୨୦୨୦ କିୟାରାଙ୍କ ପାଇଁ ଲକି
ବି ଟାଉନର ରାଇଜିଙ୍ଗ୍ ଷ୍ଟାର୍ ଭାବେ କିୟାରା ଆଡଭାନୀଙ୍କ ହାତରେ ଏବେ ବହୁତ ବଡ଼ ବଡ଼ ବ୍ୟାନରର୍ ଫିଲ୍ମ ରହିଛି । ବ୍ୟସ୍ତ ନାୟିକା ଭାବେ ନିଜର ଏକ ସ୍ୱତନ୍ତ୍ର ପରିଚୟ ହାସ କରିଥିବା କିୟାରାଙ୍କ ପାଇଁ ଆସନ୍ତା ୨୦୨୦ ବେଶ୍ ଲକି । ଆଗାମୀ ବର୍ଷ କିୟାରାଙ୍କ ୩ଟି ଫିଲ୍ମ ରିଲିଜ୍ ହେବ । ସାହିଦ୍ କପୁରଙ୍କ ସହିତ କିୟାରାଙ୍କ ଅଭିନୀତ ‘କବୀର୍ ସିଂ’ ବକ୍ସ ଅଫିସ୍ ବ୍ୟବସାୟ କ୍ଷେତ୍ରରେ ଧମାକା କରିଥିଲା । ଡିସେମ୍ବରରେ ରିଲିଜ୍ ହେବାକୁ ଥିବା ‘ଗୁଡ୍ ନ୍ୟୁଜ୍’ରେ କିୟାରା ଅକ୍ଷୟ କୁମାର, କରିନା କପୁର୍ ଓ ଦିଲଜିତ୍ ଦୋସାଞ୍ଜଙ୍କ ସହିତ ପରଦା ଉପରକୁ ଆସିବେ । ଏ ତ ଗଲା ଚଳିତବର୍ଷର କଥା । ଆଗାମୀ ବର୍ଷ ସେ ‘ଇନ୍ଦୁ କି ଜବାନୀ’, ‘ଭୁଲଭୁଲେୟା ୨’ ଓ ‘ଲକ୍ଷ୍ମୀବମ୍’ରେ ପରଦା ଉପରକୁ ଆସିବେ । ଆଜିକାଲି ସେ ‘ଇନ୍ଦୁ କି ଜବାନୀ’ର ସୁଟିଂ କରୁଛନ୍ତି । ଏହାକୁ ଆସନ୍ତା ବର୍ଷ ଜୁନ୍ ୫ ତାରିଖରେ ରିଲିଜ୍ କରାଯିବାର ଯୋଜନା ରହିଛି ।
ଆଗାମୀ କିଛି ଦିନ ମଧ୍ୟରେ ସେ କାର୍ତ୍ତିକ ଆର୍ଯ୍ୟନଙ୍କ ସହିତ ‘ଭୁଲ୍ ଭୁଲେୟା୨’ର ସୁଟିଂ ଆରମ୍ଭ କରିବେ । ଏହି ସୁଟିଂ ପୁରଣ ହେବା ପାଇଁ ୨ ମାସ ଲାଗିବ ବୋଲି ସୂଚନା ମିଳିଛି ଏବଂ ଏହା ଆସନ୍ତା ବର୍ଷ ଜୁଲାଇରେ ସିନେମାଘରକୁ ଆସିବ । ଅକ୍ଷୟ କୁମାରଙ୍କ ସହ ‘ଲକ୍ଷ୍ମୀବମ୍’ର ସୁଟିଂ ସେଡ୍ୟୁଲ୍ ମଧ୍ୟ ଆରମ୍ଭ ହେବାକୁ ଯାଉଛି । ଏହି ୩ଟି ଫିଲ୍ମ ବ୍ୟତୀତ କିୟାରା ସିଦ୍ଧାର୍ଥ ମାଲହୋତ୍ରାଙ୍କ ସହ ‘ଶେରଶାହା’ ମାଧ୍ୟମରେ ପରଦା ଉପରକୁ ଆସିବେ ବୋଲି ଚର୍ଚ୍ଚା ହେଉଛି । ତେବେ ଆଗାମୀ ବର୍ଷ କିୟାରା ତାଙ୍କ ଫିଲ୍ମ କ୍ୟାରିୟରରେ କ’ଣ ସବୁ ସଫଳତା ହାସଲ କରିବେ, ତାହା କେବଳ ସମୟ ହିଁ କହିବ ।