ଦିୱାଲି ଧମାକା: ‘ସାଣ୍ଢ୍ କି ଆଁଖ୍’, ‘ହାଉସଫୁଲ୍୪’ ଓ ‘ମେଡ୍ ଇନ୍ ଚାଇନା’
ସିନେପ୍ରେମୀଙ୍କ ପାଇଁ ଦୀପାବଳି ଉପହାର ଭାବେ ଫ୍ରାଇଡେ’ ରିଲିଜରେ ସିନେମାଘରକୁ ଆସିଛି ‘ସାଣ୍ଢ୍ କି ଆଁଖ୍’, ‘ହାଉସଫୁଲ୍୪’ ଓ ‘ମେଡ୍ ଇନ୍ ଚାଇନା’ । ଏବେ ବାୟୋପିକର ଜମାନା ଥିବାରୁ ଦର୍ଶକଙ୍କୁ ବେଶ୍ ପସନ୍ଦ ହେଉଛି ‘ସାଣ୍ଢ୍ କି ଆଁଖ୍’ । ଭାରତର ସୁବଠାରୁ ଓଲଡ୍ ସାର୍ପସୁଟର୍ ଚନ୍ଦ୍ରୋ ତୋମର୍ (୮୭)ଓ ପ୍ରକାଶି ତୋମର(୮୨)ଙ୍କ ଜୀବନ କାହାଣୀକୁ ନେଇ ପ୍ରସ୍ତୁତ ଏହି ଫିଲ୍ମରେ ତାପସୀ ପନ୍ନୁ ଓ ଭୂମୀ ପେଡନେକର୍ ମୁଖ୍ୟ ଭୂମିକାରେ ଅଛନ୍ତି । ଉତ୍ତରପ୍ରଦେଶର ଗୋଟିଏ ଛୋଟ ଗାଁରେ ରହୁଥିବା ଚନ୍ଦ୍ରୋ ଓ ପ୍ରକାଶିଙ୍କ ଜୀବନ ସଂଘର୍ଷ, ସାର୍ପସୁଟର୍ ହେବା ପଛର କାହାଣୀ ଏବଂ ଦୁହିଁଙ୍କ ସଫଳତାକୁ ନେଇ ଫିଲ୍ମ ଆଗକୁ ବଢ଼ିଛି । କାହାଣୀ ଅନୁଯାୟୀ ତାପସୀ ଓ ଭୂମୀଙ୍କ କଷ୍ଟ୍ୟୁମ୍, ମେକଅପ୍ ଓ ଡାଇଲଗ୍ ଡେଲିଭରି ଦର୍ଶକଙ୍କୁ ବେଶ୍ ଆକୃଷ୍ଟ କରିଛି । ତୁଷାର ହିରନନ୍ଦାନୀଙ୍କ ନିର୍ଦ୍ଦେଶିତ ଓ ଅନୁରାଗ କାଶ୍ୟପଙ୍କ ପ୍ରଯୋଜିତ ଏହି ଫିଲ୍ମ ‘ହାଉସଫୁଲ୍ ୪’ ଓ ‘ମେଡ୍ ଇନ୍ ଚାଇନା’ ସହିତ ବକ୍ସଅଫିସ୍ ଟକ୍କର ଦେବ । ରାଜକୁମାର ରାଓ ଓ ମୌନୀ ରାୟଙ୍କ ଅଭିନୀତ ରୋମାଣ୍ଟିକ୍ କମେଡ଼ି ଫିଲ୍ମ ‘ମେଡ୍ ଇନ୍ ଚାଇନା’ ମଧ୍ୟ ଦର୍ଶକଙ୍କ ମନୋରଞ୍ଜନ କରିବା ଦିଗରେ ବେଶ୍ ସଫଳ ହୋଇଛି । ପ୍ରତିଥର ଭଳି ରାଜକୁମାରଙ୍କ ଅଭିନୟ ସହିତ ମୌନୀ ରୟଙ୍କ ଜଲୱା ଦର୍ଶକଙ୍କୁ ଫିଲ୍ମ ପ୍ରତି ଆକର୍ଷିତ କରିଛି ।
ଏହି ଦୁଇଟି ଫିଲ୍ମକୁ ଟକ୍କର ଦେବ ସାଜିଦ୍ ନାଦିଆୱାଲାଙ୍କ ପ୍ରଯୋଜିତ ସୁପର୍ କମେଡ଼ି ଫିଲ୍ମ ‘ହାଉସଫୁଲ୍ ୪’ । ‘ହାଉସଫୁଲ୍’ ଫ୍ରାଞ୍ଚାଇଜର ୪ର୍ଥ ସଂସ୍କରଣ ଭାବେ ରିଲିଜ୍ ହୋଇଥିବା ଏହି ଫିଲ୍ମରେ ଅକ୍ଷୟ କୁମାର, ରିତେଶ୍ ଦେଶମୁଖ୍, ବବି ଦେଓଲ୍, କୃତି ସେନନ୍, ପୂଜା ହେଗଡ଼େ ଓ କୃତି ଖରବନ୍ଦା ମୁଖ୍ୟ ଭୂମିକାରେ ଅଛନ୍ତି । ତେବେ ପ୍ରତିଥର ଭଳି ଏହି ଫିଲ୍ମ ହାଉସଫୁଲ୍ ହେବ କି ଅନ୍ୟ ଦୁଇଟି ଫିଲ୍ମ ଏହା ଉପରେ ଭାରି ପଡ଼ିବେ ତାହା କେବଳ ସମୟ ହିଁ କହିବ । ବହୁ ପ୍ରତିକ୍ଷୀତ ୩ଟି ଫିଲ୍ମ ଏକାସାଙ୍ଗରେ ରିଲିଜ୍ ହୋଇଥିବାରୁ ଦର୍ଶକ ୩ଟି ଫିଲ୍ମ ମଧ୍ୟରେ ବାଣ୍ଟି ହୋଇଯିବେ, ଯାହାର ସିଧା ପ୍ରଭାବ ପଡ଼ିବ ବକ୍ସ ଅଫିସ୍ ଉପରେ । କିନ୍ତୁ ଉତ୍ସବର ମାହୋଲ୍ ଥିବାରୁ ଏହି ୩ଟି ଫିଲ୍ମର ବକ୍ସ ଅଫିସ୍ ବ୍ୟବସାୟ ବେଶ୍ ଆଖିଦୃଶୀୟା ହେବ ବୋଲି ଫିଲ୍ମ ସମୀକ୍ଷକ ଓ ଟ୍ରେଡ୍ ଆନାଲିଷ୍ଟମାନେ ଆଶା କରୁଛନ୍ତି ।