ଫେରୁଛନ୍ତି ଗ୍ରେସି ସିଂ

‘ଲଗାନ୍’ ଓ ‘ମୁନ୍ନାଭାଇ’ ଭଳି ବ୍ଲକବଷ୍ଟର୍ ଫିଲ୍ମରେ ଅଭିନୟ ଦକ୍ଷତାର ପ୍ରମାଣ ଦେଇଥିବା ଅଭିନେତ୍ରୀ ଗ୍ରେସି ସିଂ ବିଗତ ୨୦୧୫ରେ ଛୋଟ ପରଦାରେ ଏଣ୍ଟ୍ରୀ କରିଥିଲେ । ଛୋଟ ପରଦାର ଆଧ୍ୟାତ୍ମିକ ଶୋ’ ‘ସନ୍ତୋଷୀ ମା’ରେ ତାଙ୍କୁ ମା’ ସନ୍ତୋଷୀଙ୍କ ରୂପରେ ଦେଖିବାକୁ ମିଳିଥିଲା । ୨୦୧୭ରେ ଏହି ଶୋ’ ଶେଷ ହୋଇଥିଲା । ତା’ ପରଠାରୁ ଅଭିନୟ ଜଗତରୁ ଦୂରେଇ ରହିଥିବା ଗ୍ରେସି ପୁଣିଥରେ ମା’ ମନ୍ତୋଷୀ ରୂପରେ ଛୋଟ ପରଦାକୁ ଫେରୁଛନ୍ତି ବୋଲି ଖବର ଆସିଛି । ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିବା ଏକ ଭିଡିଓରୁ ଗ୍ରେସିଙ୍କ ଲେଉଟାଣୀ ଖବର କନଫର୍ମ ହୋଇଛି ।

ନୂଆ ଶୋ’ର ନାଁ ରଖାଯାଇଛି ‘ସନ୍ତୋଷୀ ମା’: ସୁନାଏ ବ୍ରତ କଥାଏ’ । ଏହି ଶୋ’ରେ ସୂତ୍ରଧାର ଭାବେ ଗ୍ରେସି ମା’ ସନ୍ତୋଷୀ ରୂପରେ ବ୍ରତକଥା ଶୁଣାଇବେ । ଶୋ’ ସମ୍ପର୍କରେ ଗ୍ରେସି କହିଛନ୍ତି ଯେ ‘ଏଭଳି ଏକ ଆଧ୍ୟାତ୍ମିକ ଶୋ’ରେ ଅଭିନୟ କରିବା ଓ ମା’ ସନ୍ତୋଷୀଙ୍କ ରୂପ ଧାରଣ କରିବା ମୋର ସୌଭାଗ୍ୟ । ଏହି ଅଭିନୟ ଦ୍ୱାରା ନିଜକୁ ସମ୍ପୂର୍ଣ୍ଣ କରିବା ଭଳି ମନେ ହୋଇଥାଏ । ପୁଣିଥରେ ଏଭଳି ଏକ ଶୋ’ର ଅଫର୍ କରାଯାଇଥିବାରୁ ମୁଁ ବେଶ୍ ଖୁସି । ଏଥିପାଇଁ ମୁଁ ଶୋ’ର ମେକର୍ସଙ୍କୁ ଧନ୍ୟବାଦ ଜଣାଉଛି’ । ଗ୍ରେସିଙ୍କ ଲେଉଟାଣୀ ଖବର ପାଇବା ପରେ ପ୍ରଶଂସକ ଓ ଟେଲି ଦର୍ଶକ ମଧ୍ୟ ଖୁସି ମନାଉଥିବା ଜଣାପଡ଼ିଛି ।

Leave a Reply

Your email address will not be published.