ମାଗଣା ଯୁଗ ଶେଷ: ଜିଓ ନେବ ମିନିଟ୍କୁ ୬ ପଇସା
ଭୁବନେଶ୍ଵର, (ଓଟି): ରିଲାଏନ୍ସ ଜିଓର ମାଗଣା ଭଏସ କଲ ଯୁଗ ଶେଷ ହୋଇଯାଇଛି। ଟଆଇ ଉପରେ ଦୋଷ ଲଦି ଜିଓ ପକ୍ଷରୁ ଆଜିଠାରୁ ଗୋଟିଏ ମିନିଟ୍ କଲ୍ ପାଇଁ ଗ୍ରାହକଙ୍କଠାରୁ ୬ ପଇସା ଆଦାୟ କରାଯିବ। ଅବଶ୍ୟ ରିଲାଏନ୍ସ ଜିଓ ଗ୍ରାହକ ଜିଓ ଗ୍ରାହକଙ୍କୁ କଲ କରିବା ପୂର୍ବ ପରି ମାଗଣା ରହିଛି। ଏନେଇ ଏକ ପ୍ରେସ୍ ବିଜ୍ଞପ୍ତିରେ ଜିଓ ପକ୍ଷରୁ ଆନ୍ତଃ ସଂଯୋଜ ବ୍ୟବହାର ଚାର୍ଜ ( ଆଇୟୁସି) ସଂଗ୍ରହ ପାଇଁ ଏକ ନୂଆ ଭାଉଚର ଘୋଷଣା କରାଯାଇଛଇ। ସର୍ବନିମ୍ନ ୧୦ ଟଙ୍କା ରିଜାର୍ଜ କରି ଗ୍ରାହକ ୧୨୪ ମିନିଟ୍ ଯାଏ ଅନ୍ୟ ନେଟ୍ୱର୍କକୁ କଲ୍ କରିପାରିବେ। ଏହାସହ ୧ ଜିବି ଡେଟା ମାଗଣା ପାଇବେ ବୋଲି ଜିଓ ପକ୍ଷରୁ କୁହାଯାଇଛି।
କେଉଁଠିକୁ ମାଗଣା ରହିବ
ପୂର୍ବପରି ସବୁ ଜିଓ ରୁ ଜିଓ କଲ୍ ମାଗଣା ରହିବ। କେବଳ ଅନ୍ୟ ନେଟ୍ୱର୍କ ବା ଅଫ୍ନେଟ୍ କଲ୍ ମିନିଟ୍ ପୀଛା ୬ ପଇସା ବ। ଏହା ଜାନୁୟାରୀ ୨୦୨୦ ଯାଏ ବଳବତ୍ତର ରହିବ। ଆଗକୁ ଟେଲିକମ୍ ନିୟାମକ ପ୍ରାଧୀକରଣ ( ଟ୍ରାଇ)ଙ୍କ ନିଷ୍ପତ୍ତି କ୍ରମେ ପରବର୍ତ୍ତୀ ଯୋଜନା ଘୋଷଣା ହେବ।
କିନ୍ତୁ ଜିଓ ଫୋନ୍ରୁ କୌଣସି ଲ୍ୟାଣ୍ଡଲାଇନ୍କୁ ଫୋନ୍ ପୂର୍ବପରି ମାଗଣା ରହିବ। ସେହିପରି ଆପଣ ଯଦି ହ୍ବାଟ୍ସ ଆପ୍ରେ ବା ସେହିପରି କୌଣସି ମାଧ୍ୟମରେ ଭିଡିଓ କଲ୍ କରୁଛନ୍ତି ତେବେ ତାହା ବି ମାଗଣା ରହିବ। ସମସ୍ତ ଇନ୍କମିଂ କଲ୍ ବି ମାଗଣା ରହିବ।
ଉପଲବ୍ଧ ଟପ୍ଅପ୍
ଏସବୁ ଟପ-ଅପ ଭାଉଚର ଗୁଡ଼ିକର ମୂଲ୍ୟ ୧୦ ଟଙ୍କାରୁ ଆରମ୍ଭ କରି ୨୦, ୫୦ ଓ ୧୦୦ ଟଙ୍କା ପର୍ଯ୍ୟନ୍ତ ରହିଛି । ଏସବୁ ଟପ-ଅପ ଭାଉଚର ଗୁଡ଼ିକ ମାଧ୍ୟମରେ ମାଗଣା ଡାଟା ମଧ୍ୟ ମିଳିବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି । ଅନ୍ୟପକ୍ଷରେ ପୋଷ୍ଟପେଡ ଗ୍ରାହକମାନେ ମିନିଟ ପିଛା ୬ ପଇସା ପ୍ରଦାନ କରିବେ । ଜିଓ ପରେ ଅନ୍ୟ ଅପରେଟରମାନେ ମଧ୍ୟ ସମାନ ବ୍ୟବସ୍ଥା ଆରମ୍ଭ କରିବାର ସମ୍ଭାବନା ରହିଛି ।