‘ମୁଁ ନବୀନ ପଟ୍ଟନାୟକ କହୁଛି’- ଆରମ୍ଭ ହେଲା ‘ମୋ ସରକାର’ ଅଭିଯାନ

ଭୁବନେଶ୍ଵର, (ଓଟି): ‘ମୁଁ ନବୀନ ପଟ୍ଟନାୟକ କହୁଛି।’ ଚମକିବା ଦରକାର ନାହିଁ, ଆପଣଙ୍କ ଫୋନ୍‌କୁ ବି ଏମିତି କଲ୍‌ କେତେବେଳେ ଆସିପାରେ। ପୁଣି ଏହାକୁ ସ୍ପାମ୍‌ ଭାବି କେବେ ଏଡ଼ାଇବାର ଆବଶ୍ୟକ ନାହିଁ। କାରଣ ଏହା କୌଣସି ନିର୍ବାଚନ ପ୍ରଚାର ଉଦ୍ଦେଶ୍ୟ ସମ୍ବଳିତ ରୋବଟ୍‌ କୃତ କଲ୍‌ ନୁହେଁ ବରଂ ସ୍ଵୟଂ ମୁଖ୍ୟମନ୍ତ୍ରୀଙ୍କ କଲ୍‌ ।ସେ ଆପଣଙ୍କ ସହ କଥା ହେବାକୁ ଚାହିଁବେ- ବିଭିନ୍ନ ସରକାରୀ ସେବା ବାବଦରେ। ଏଣୁ ପ୍ରସ୍ତୁତ ଥାଆନ୍ତୁ।

ମୁଖ୍ୟମନ୍ତ୍ରୀଙ୍କ ସ୍ଵପ୍ନର ଯୋଜନା ‘ ମୋ ସରକାର’ ଆଜିଠାରୁ ରୂପାୟନ ହେବା ଦ୍ଵାରା ଏହା ବାସ୍ତବ ହୋଇଛି। ନବୀନ ନିବାସଠାରୁ ମୁଖ୍ୟମନ୍ତ୍ରୀ ଆଜି ଏହି ଯୋଜନାର ଶୁଭାରମ୍ବ କରିଛନ୍ତି। ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜନ୍ମ ବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳୀ ଜଣାଇ ଶ୍ରୀ ପଟ୍ଟନାୟକ  ସରକାରୀ ବିଧି ବ୍ୟବସ୍ଥା ଓ ଜନ ସାଧାରଣଙ୍କ ଭିତରେ ଆସୁଥିବା ସମସ୍ତ ବାଧାକୁ ଦୂର କରିବା ଲାଗି ଚାହିଁଛନ୍ତି। 

ଏହିକ୍ରମରେ ଆଜି ମୁଖ୍ୟମନ୍ତ୍ରୀ ବଲାଙ୍ଗୀର, ସୁନ୍ଦରଗଡ଼, ମାଲକାନଗିରି, ଯାଜପୁର, ବାରିପଦାର ଲୋକଙ୍କ ସହ ଫୋନ୍‌ରେ କଥା ହୋଇଛନ୍ତି। ଏହିସବୁ ଅଞ୍ଚଳର ଲୋକଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅବସ୍ଥା ଓ ସେବା ପ୍ରଦାନ ସମ୍ପର୍କରେ ପଚାରି ବୁଝିଥଇବା ଜଣାପଡ଼ିଛି। ସେହିପରି ନୟାଗଡ଼ ଓ ଭବାନୀପାଟଣା ସହରର ଲୋକଙ୍କୁ ପୁଲିସ ପ୍ରଶାସନ ବାବଦରେ ପଚାରି ବୁଝିଛନ୍ତି ମୁଖ୍ୟମନ୍ତ୍ରୀ। 

ମୋ ସରକାର ପୋର୍ଟାଲ୍‌ରୁ ସଂଗୃହୀତ ନମ୍ବରଗୁଡ଼ିକ ଭିତରୁ ୮ଟିକୁ ମୁଖ୍ୟମନ୍ତ୍ରୀ ଫୋନ୍‌ କରିଥିବା ଜଣାପଡ଼ିଛି। ଏହା ସହ ଭୁବନେଶ୍ଵରସ୍ଥିତ ଶହୀଦନଗର ଥାନାକୁ ଯାଇ ସେଠାରେ ମୋ ସରକାର ଲୋଗୋ ଏବଂ କାର୍ଯ୍ୟକ୍ରମର ଲକ୍ଷ୍ୟ ସମ୍ବଳିତ ବାର୍ତ୍ତା ଫଳକକୁ ଉନ୍ମୋଚନ କରିଥିଲେ। 

ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ମିଳିଥିବା ସୂଚନା ଅନୁସାରେ, ଆଜିଠାରୁ ରାଜ୍ୟର ସମସ୍ତ ଥାନା ଏବଂ ୨୧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ କଟକ, ବ୍ରହ୍ମପୁର ଏବଂ ସମ୍ବଲପୁରମେଡିକାଲ୍‌ କଲେଜରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଅକ୍ଟୋବର ୩୦ ସୁଦ୍ଧା ରାଜ୍ୟର ସମସ୍ତ ଜିଲ୍ଲାକୁ ଏହି କାର୍ଯ୍ୟକ୍ରମ ସମ୍ପ୍ରସାରିତ ହେବ। ୨୦୨୦ ମାଚର୍ର୍ ୫ ତାରିଖ ସୁଦ୍ଧା ସବୁ ବିଭାଗରେ ଏହିପରି ସ୍ଵଚ୍ଛ ବ୍ୟବସ୍ଥା ଆପଣାଯିବାକୁ ଲକ୍ଷ୍ୟ ରଖାଯାଇଛି। 

ଅଗଷ୍ଟ ୧୫ ତାରିଖ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ ‘ମୋ ସରକାର’ ବାବଦରେ ଘୋଷଣା କରିଥିଲେ। ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ହେଉଛି ସରକାରୀ କାର୍ଯ୍ୟାଳୟକୁ ଆସୁଥିବା ଲୋକଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବା ସହ ଆବଶ୍ୟକ ସେବା ଯୋଗାଇଦେବା। 

Leave a Reply

Your email address will not be published. Required fields are marked *