ରେଳ କର୍ମଚାରୀ ବ୍ୟବହାର କରିବେନି ଥରେ ବ୍ୟବହାର ହେଲାଭଳି ପ୍ଲାଷ୍ଟିକ୍‌

ଭୁବନେଶ୍ଵର, (ଓଟି): ପୂର୍ବତଟ ରେଳପଥର କର୍ମଚାରୀମାନେ ଏକ ଅଭିନବ ଶପଥପାଠ କରିଛନ୍ତି। ସେମାନେ କିମ୍ବା ତାଙ୍କ ପରିବାରର ଲୋକେ ଏଣିକି ଥରେ ବ୍ୟବହାର ହେବାଭଳି ପ୍ଲାଷ୍ଟିକ୍‌ ବର୍ଜନ କରିବେ। ଖାଲି ସେତିକି ନୁହେଁ ପାଖ ଆଖର ଲୋକଙ୍କୁ ଏଥିଲାଗି ପ୍ରବର୍ତ୍ତାଇବେ। ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜୟନ୍ତୀ ପାଳନ ଅବସରରେ ସେମାନେ ଏହି ଶପଥ ନେଇଛନ୍ତି। 

ପୂର୍ବତଟ ରେଳପଥର ମହାପ୍ରବନ୍ଧକ ବିଦ୍ୟା ଭୂଷଣଙ୍କ ନେତୃତ୍ୱରେ ରେଳପଥର ଅଧିକାରୀ ଓ କର୍ମଚାରୀମାନେ ସ୍ଵଛ ଭାରତ ମିଶନ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ଏହି ଅବସରରେ ଶ୍ରୀ ବିଦ୍ୟା ଭୂଷଣ ରେଳବାଇ କର୍ମଚାରୀ ମାନଙ୍କୁ ନିଜେ ଏକକ ବ୍ୟବହୃତ ପ୍ଲାଷ୍ଟିକ ବ୍ୟବହାର ନକରିବା ସହ ଅନ୍ୟ ମାନଙ୍କୁ ଏହାର ବ୍ୟବହାରକୁ ବାରଣ କରିବାକୁ ଶପଥପାଠ କରାଇଥିଲେ।

ଏହା ସହିତ ସ୍ୱଚ୍ଛତା ପ୍ରତି ସପ୍ତାହକୁ ୨ ଘଣ୍ଟା ଶ୍ରମଦାନ କରିବାକୁ ମଧ୍ୟ ଶପଥ କରାଇଥିଲେ। ଏହି ଅବସରରେ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ଶ୍ରୀ ସୁଧୀର କୁମାରଙ୍କ ସହିତ ସମସ୍ତ ବିଭାଗୀୟ ପ୍ରମୁଖ ଅଧିକାରୀମାନେ ଉପସ୍ଥିତ ଥିଲେ। ରେଳପଥର ଅଧିକାରୀ ଓ କର୍ମଚାରୀମାନେ ଏହି ଅବସରରେ ରେଳବିହାର ଠାରେ ସ୍ୱଚ୍ଛତା ପାଇଁ ଶ୍ରମଦାନ କରିବା ସହିତ ବୃକ୍ଷରୋପଣ କରିଥିଲେ। ଏହା ପୂର୍ବରୁ ରେଳପଥର ଅଧିକାରୀ ଓ କର୍ମଚାରୀମାନଙ୍କ ସହିତ ଭାରତ ସ୍କାଉଟ ଓ ଗାଇଡ୍ସ ସ୍ବେଚ୍ଛାସେବୀମାନେ ପ୍ରଭାତଫେରୀ କାର୍ଯ୍ୟକ୍ରମ ରେ ସ୍ୱଚ୍ଛତା ସମ୍ବନ୍ଧରେ ବିଭିନ୍ନ ସ୍ଲୋଗାନ ମାଧ୍ୟମରେ ଜନସାଧାରଣଙ୍କୁ ସଚେତନତାର ବାର୍ତ୍ତା ପହଞ୍ଚାଇବା ସହିତ ଏକକ ବ୍ୟବହୃତ ପ୍ଲାଷ୍ଟିକ ବ୍ୟବହାର ନକରିବାକୁ କହିଥିଲ।

Leave a Reply

Your email address will not be published. Required fields are marked *