ଡେବ୍ୟୁ କଲେ ଐଶ୍
ବଚ୍ଚନ ପରିବାରର ବୋହୁ ଐଶ୍ଚର୍ଯ୍ୟା ରାୟ ବଚ୍ଚନ ଲରିୟଲ୍ କମ୍ପାନୀ ପକ୍ଷରୁ ପ୍ୟାରିସ୍ ଠାରେ ଅନୁଷ୍ଠିତ ‘ଲରିୟଲ୍ ପ୍ୟାରିସ୍ ଲେ ଡିଫାଇଲ୍’ ନାମକ ଫ୍ୟାଶନ୍୍ ଶୋ’ରେ ର୍ୟାମ୍ପ ୱାକ୍ କରି ଏବେ ଚର୍ଚ୍ଚାରେ ଅଛନ୍ତି । ପ୍ରଥମ ଥର ପାଇଁ ଐଶ୍ ପ୍ୟାରିସ୍ ଫ୍ୟାଶନ୍ ୱିକର ଶୋଭା ବଢ଼ାଇଛନ୍ତି । ଏହି ଡେବ୍ୟୁ ପାଇଁ ଐଶଙ୍କ ସହିତ ପ୍ରଶଂସକ ମହଲରେ ମଧ୍ୟ ଖୁସିର ଲହରୀ ଖେଳିଯାଇଛି । ଏହି ଉତ୍ସବରେ ଐଶ୍ ଜଣେ ଇଟାଲିୟନ୍ ଡିଜାଇନର୍ ଗିଏମବିଷ୍ଟାଙ୍କ ଦ୍ୱାରା ଡିଜାଇନ୍ ହୋଇଥିବା ପର୍ପଲ୍ ରଙ୍ଗର ଆଉଟଫିଟରେ ନଜର ଆସିଥିଲେ । ଲିଲେକ୍ ପ୍ରିଣ୍ଟେଡ୍ ସ୍ମୋକ୍ ଡ୍ରେସ୍ ଐଶଙ୍କ ସୁନ୍ଦରତାକୁ ଦ୍ୱିଗୁଣିତ କରିଥିଲା । ଏହି ହାଇନେକ୍ ଡ୍ରେସ୍ ଝାଲେରି ସହିତ ପ୍ରସ୍ତୁତ କରାଯାଇଥିଲା । ଡ୍ରେସରେ ଥିବା ଏକ ଲମ୍ବା ଟ୍ରେଲ୍ ଏକ କ୍ଲାସିକ୍ ଲୁକ୍ ଦେଇଥିଲା । ହ୍ୱାଇଟ୍ ରଫଲ୍ଡ ସୁଜ୍ ସହିତ ଐଶ୍ ତାଙ୍କ ଗେଟଅପ୍ କମ୍ପପ୍ଲିଟ୍ କରିଥିଲେ ।
ଐଶଙ୍କ ବ୍ୟତୀତ ଇଭା ଲଗ୍ନୋରିୟା, କେମିଲା କବେଲୋ, ହେଲେନ୍ ମିରେନ୍, ଗୈରି ହାର୍ନର୍, ଅମ୍ବେର୍ ହର୍ଡ଼, ଡାଉଟଜେନ୍ କ୍ରୋଏସ୍ ଓ ଲିୟା କେବେଡେଟ୍ ମଧ୍ୟ ର୍ୟାମ୍ପ ଉପରେ ନିଜ ନିଜର ଜଲୱା ଦେଖାଇଥିଲେ । ପ୍ୟାରିସ୍ ଫ୍ୟାଶନ୍ ୱିକର ଆୟୋଜନ ‘ମୋନାଇଡେ’ ସଂସ୍ଥା ପକ୍ଷରୁ କରାଯାଇଥିଲା । ବିଗତ ୧୮ ବର୍ଷ ହେଲା ଐଶ୍ ଲରିୟଲ୍ ପ୍ୟାରିସ୍ ବ୍ରାଣ୍ଡର ଆମ୍ବାସଡର୍ ଭାବେ ଅଛନ୍ତି ଏବଂ ପ୍ରତିବର୍ଷ ସେ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଏହି ବ୍ରାଣ୍ଡର ରିପ୍ରେଜେଣ୍ଟ୍ କରିଥାନ୍ତି ।











