‘ସୋଲେ’ର କାଲିଆଙ୍କୁ ହରାଇଲା ବଲିଉଡ୍
୧୯୭୫ରେ ରିଲିଜ୍ ହୋଇଥିବା ବ୍ଲକବଷ୍ଟର୍ ‘ସୋଲେ’ ଏବଂ ତା’ର କିଛି ଚର୍ଚ୍ଚିତ ଡାଇଲଗ୍ ସିନେପ୍ରେମୀଙ୍କ ପାଇଁ ଅପାସୋରା । ସେହି ଫିଲ୍ମରେ ଡାକୁ ଗବର୍ ସିଂଙ୍କ ଗ୍ୟାଙ୍ଗରେ ଥିବା କାଲିଆ ଓରଫ୍ ବିଜୁ ଖୋଟେ ଆଉ ନାହାନ୍ତି । ୭୭ବର୍ଷ ବୟସରେ ସୋମବାର ଦିନ ସେ ଆରପାରିକୁ ଚାଲିଯାଇଥିଲେ । ତାଙ୍କର ପୁରା ନାଁ ଥିଲା ବିଠଲ୍ ବାବୁରାଓ ଖୋଟେ । ବଲିଉଡର ପ୍ରଖ୍ୟାତ ନାୟିକା ଶୋଭା ଖୋଟେ ଓ ଦୁର୍ଗା ଖୋଟେଙ୍କ ଭାଇ ହେଉଛନ୍ତି ବିଜୁ ଖୋଟେ । ଅଭିନୟ କ୍ୟାରିୟର୍ ମଧ୍ୟରେ ହିନ୍ଦୀ ଓ ମରାଠୀକୁ ମିଶାଇ ସେ ୩୦୦ରୁ ଊଦ୍ଧ୍ୱର୍ ଫିଲ୍ମରେ ଭିଲିଆନ୍ ଓ କମେଡ଼ି ରୋଲ୍ କରିଛନ୍ତି । ପରଦା ଉପରେ ଦର୍ଶକଙ୍କୁ ହସାଇ ହସାଇ ବେଦମ୍ କରୁଥିବା ବିଜୁ ବାସ୍ତବ ଜୀବନରେ ଖୁବ୍ ଲାଜକୁଳା । ଏହି ଲାଜକୁଳ ସ୍ୱଭାବର ଭୟ ଯୋଗୁଁ ସେ ଅଭିନୟ ଦୁନିଆରେ ପାଦ ଥାପିଥିଲେ ।
ଲାଜକୁଳା ସ୍ୱଭାବ ଯୋଗୁଁ ସେ ମଞ୍ଚ ଉପରକୁ ଯିବାକୁ ପସନ୍ଦ କରୁନଥିଲେ । କିନ୍ତୁ କଲେଜରେ ଏକ ନାଟକ ପାଇଁ ବିଜୁଙ୍କୁ ହିନ୍ଦୀ ଶିକ୍ଷକ ବାଧ୍ୟ କରିଥିବାରୁ ସେ ଶିକ୍ଷକଙ୍କ ଭୟରେ ମଞ୍ଚ ଉପରକୁ ଯାଇଥିଲେ । ସେହି ନାଟକରେ ସେ ପ୍ରଥମଥର ପାଇଁ ଅଭିନୟ ଦୁନିଆକୁ ଆସିଥିଲେ । କଲେଜ୍ ପରେ ବିଜୁ ଗୋଟିଏ ପ୍ରିଣ୍ଟିଙ୍ଗ୍ ପ୍ରେସ୍ ଆରମ୍ଭ କରିଥିଲେ । ସମୟକ୍ରମେ ବିଜୁଙ୍କ ବାପା ଏକ ମରାଠୀ ଫିଲ୍ମ ‘ୟା ମାଲିକ’ ନିର୍ମାଣ କରିଥିଲେ, ଯେଉଁଥିରେ ମୁଖ୍ୟ ଭୂମିକାରେ ଥିଲେ ମେହେମୁଦ୍ ଓ ଶୋଭା ଖୋଟେ । ଏହି ଫିଲ୍ମରେ ଆକ୍ଟିଙ୍ଗ୍ କରିବା ପାଇଁ ବାପା ବିଜୁଙ୍କୁ ଅଫର୍ କରିଥିଲେ । ସେହି ଫିଲ୍ମ ମାଧ୍ୟମରେ ବିଜୁ ବଡ଼ ପରଦାକୁ ଆସିଲେ । ଏହା ପରଠାରୁ ସେ ଅନେକ ମରାଠୀ ଓ ହିନ୍ଦୀ ଫିଲ୍ମରେ ନିଜ ଅଭିନୟ ଦକ୍ଷତାର ପରିଚୟ ଦେଇଥିଲେ ମଧ୍ୟ ‘ସୋଲେ’ରୁ ତାଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ମିଳିଥିଲା । ବଲିଉଡ୍ ଫିଲ୍ମ ‘ସୋଲେ’,’କୁର୍ବାନୀ’, ‘କର୍ଜ’, ‘ନଗିନା’, ‘କୟାମତ୍ ସେ କୟାମତ୍ ତକ୍’, ‘ଅନ୍ଦାଜ୍ ଆପନା ଆପନା’, ‘ଗୋଲମାଲ୍ ୩’ ଓ ‘ଅତିଥି ତୁମ୍ କବ୍ ଜାୟୋଗେ’ ମାଧ୍ୟମରେ ବିଜୁ ଏକ ଅଲିଭା ଛାପ ଛାଡ଼ି ଯାଇଛନ୍ତି । ତାଙ୍କର ଦୁଇଟି ଚର୍ଚ୍ଚିତ ଡାଇଲଗ୍ ହେଉଛି – ‘ମୈନେ ଆପକା ନମକ୍ ଖାୟା ହେ ସରଦାର୍’ (ସୋଲେ) ଏବଂ ‘ଗଲତି ସେ ମିଷ୍ଟେକ୍ ହୋ ଗେୟା’ (ଅନ୍ଦାଜ୍ ଆପନା ଆପନା) ।











