୨୨ରେ ଓଡ଼ିଶା ଯୁବ ସମ୍ମାନ ୨୦୧୯: ସମ୍ମାନିତ ହେବେ ୧୬ଯୁବ ପ୍ରତିଭା

 

ଭୁବନେଶ୍ବର(ଓଟି): ନିଜ ନିଜ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରି ସମାଜ ପାଇଁ ନୂଆ ଉଦାହରଣ ସୃଷ୍ଟି କରିଥିବା ଓଡ଼ିଶାର ୧୬ ଜଣ ଯୁବ ପ୍ରତିଭାଙ୍କୁ ସମ୍ମାନିତ କରିବ ଗଣମାଧ୍ୟମ ଓ ପ୍ରକାଶନ ସଂସ୍ଥା ଓଡ଼ିଆ ମିଡିଆ। ସବୁଠାରୁ ବଡ଼ କଥା ହେଲା ଏହି ସମସ୍ତ ପ୍ରତିଭାଙ୍କ ବୟସ ୪୦ ବର୍ଷରୁ କମ୍‌। ଚଳିତମାସ ୨୨ତାରିଖରେ ଏଥିପାଇଁ ଏକ ସ୍ଵତନ୍ତ୍ର ଉତ୍ସବର ଆୟୋଜନ କରାଯାଇଛି। ଏହି ଉତ୍ସବର ନାଁ ରହିଛି ଓଡ଼ିଶା ଯୁବ ସମ୍ମାନ ସମାରୋହ। 

ଏହି ସମ୍ମାନ ସମାରୋହରେ ବରିଷ୍ଠ ରାଜନୀତିଜ୍ଞ ତଥା ଲୋକସଭା ସାଂସଦ ଭର୍ତୃହରି ମହତାବ ଓ ବରିଷ୍ଠ କଥାଶିଳ୍ପୀ ତଥା ଶିଶୁସାହିତ୍ୟିକ ଦାଶ ବେନହୁର ଅତିଥି ଭାବେ ଯୋଗଦେବେ।

ସମ୍ମାନିତ ହେବାକୁ ଥିବା ପ୍ରତିଭାଙ୍କ ଭିତରେ ରାଜନେତା ଓ ଅଭିନେତା ବି ରହିଛନ୍ତି। ସେମାନେ ହେଲେ,  ବିଜୁ ଜନତା ଦଳ ନେତା ତଥା ତଥା ରାଜ୍ୟ ସରକାରଙ୍କ ଇଲେକ୍ଟ୍ରନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ ଉପଦେଷ୍ଟା ଅନୁଭବ ପଟ୍ଟନାୟକ, ସିନେ ନାୟିକା ଅର୍ଚ୍ଚିତା ସାହୁ, ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଧାବିକା ଦୂତୀ ଚାନ୍ଦ, ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଓଡ଼ିଶୀ ନୃତ୍ୟଶିଳ୍ପୀ ଶାଶ୍ବତ ଯୋଶୀ, ସମ୍ବାଦର ମୁଖ୍ୟ ସାମ୍ବାଦିକ ଚୌଧୁରୀ ଅମିତାଭ ଦାସ, ପ୍ରସିଦ୍ଧ ଗାୟିକା ଦୀପ୍ତିରେଖା ପାଢ଼ୀ, ଇଣ୍ଟରନାସନାଲ ପବ୍ଲିକ୍‌ ସ୍କୁଲ ଫର୍‌ ରୁରାଲ ଇନୋଭେସନ୍‌ର ପ୍ରତିଷ୍ଠାତା ଅନୀଲ ପ୍ରଧାନ, ସମାଜସେବୀ କଳ୍ପାଶା ଅଙ୍କିତା ଶ, ସ୍ଥାପତ୍ୟ କାରିଗର କାନ୍ତକିଶୋର ମହାରଣା, କଥାକାର ରବିନାରାୟଣ ଦାଶ, ସାମାଜିକ ଗଣମାଧ୍ୟମ କର୍ମୀ ରୁଦ୍ରପ୍ରସନ୍ନ ରଥ, ବାଜିରାଓ ଆଇଏଏସ୍‌ ଏକାଡେମୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶୁଭ୍ରାଂଶୁ ଭୂଷଣ ଓଝା, ସିନେମା ଗୀତିକାର ସୁବ୍ରତ ସ୍ବାଇଁ, ପୋଷଣ ଓ ସ୍ବାସ୍ଥ୍ୟ ବିଶେଷଜ୍ଞ ସ୍ମୃତି ମହାପାତ୍ର, ଯୁବ ଔପନ୍ୟାସିକ ଅଭିଶେକ ପାଣି ଓ ଯୁବ ଉଦ୍ୟୋଗୀ ଅନୁକୁଳ ଅଗ୍ରଓ୍ବାଲ ପ୍ରମୁଖ ଚଳିତ ବର୍ଷର ଓଡ଼ିଶା ଯୁବ ସମ୍ମାନ ଗ୍ରହଣ କରିବେ।

ଯୁବ ପ୍ରତିଭାଙ୍କୁ ଚିହ୍ନଟ ଓ ସେମାନଙ୍କର ସଫଳତାକୁ ସ୍ବୀକୃତି ଦେବା ସହ ସେମାନଙ୍କ ପ୍ରେରଣାଦାୟୀ କାର୍ଯ୍ୟକୁ ଲୋକଲୋଚନକୁ ଆଣିବା ଏ ସମ୍ମାନ ସମାରୋହର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଓଡ଼ିଆ ମିଡିଆର ନିର୍ଦ୍ଦେଶକ ତଥା ଲେଖକ ଓ ସାମ୍ବାଦିକ ଶୁଭ୍ରାଂଶୁ ପଣ୍ଡା ସୂଚନା ଦେଇଛନ୍ତି। 

Leave a Reply

Your email address will not be published. Required fields are marked *