ସକୁନ୍ତଳା ଦେବୀ ରୂପରେ ବିଦ୍ୟା, ଜାରି ହେଲା ଫାଷ୍ଟଲୁକ୍
‘ମିଶନ୍ ମଙ୍ଗଲ୍’ର ସଫଳତା ପରେ ବିଦ୍ୟା ବାଲାନ୍ ତାଙ୍କର ଆଗାମୀ ପ୍ରୋଜେକ୍ଟ ‘ସକୁନ୍ତଳା ଦେବୀ’ଙ୍କ ବାୟୋପିକ୍ ପାଇଁ ଫୁଲ୍ ଦମରେ ଲାଗି ପଡ଼ିଛନ୍ତି । ହ୍ୟୁମାନ୍ କମ୍ପୁଟର୍ ଭାବେ ଗିନିଜ୍ ବୁକ୍ରେ ନାମ ଲିପିବଦ୍ଧ ହୋଇ ରହିଥିବା ସକୁନ୍ତଳା ଦେବୀଙ୍କ ଭୂମିକାରେ ବିଦ୍ୟା ପରଦା ଉପରକୁ ଆସିବେ । ୧୯୮୨ ମସିହାରେ ସକୁନ୍ତଳା ଦେବୀଙ୍କ ନାମ ମ୍ୟାଥ୍ ଜିନିୟସ୍ ଭାବେ ଗିନିଜ୍ ବୁକ୍ ଅଫ୍ ୱାଲର୍ଡ଼ ରେକର୍ଡ଼ରେ ସ୍ଥାନ ପାଇଥିଲା । ୧୯୭୭ ମସିହାରେ ସକୁନ୍ତଳାଙ୍କ ଟକ୍କର କମ୍ପୁଟର୍ ‘ୟୁନିବେକ୍’ ସହିତ ହୋଇଥିଲା । ୨୦୧ ଅଙ୍କ ବିଶିଷ୍ଟ ଏକ ସଂଖ୍ୟାର ୨୩ ତମ ମୂଳ ସଂଖ୍ୟା ବାହାର କରିବା ପାଇଁ ସକୁନ୍ତଳାଙ୍କୁ ଟ୍ୟାକ୍ସ ଦିଆଯାଇଥିଲା । ଏହାକୁ ସେ ମାତ୍ର ୫୦ ସେକେଣ୍ଡରେ ସମାଧାନ କରିଦେଇଥିଲେ । କିନ୍ତୁ ଏହି ଟ୍ୟାକ୍ସକୁ ପୁରଣ କରିବା ପାଇଁ କମ୍ପୁଟରକୁ ଲାଗିଥିଲା ୬୨ ସେକେଣ୍ଡ୍ । ତେଣୁ ଏଭଳି ଏକ କଡ଼ା ଚ୍ୟାଲେଞ୍ଜରେ ସଫଳତା ହାସଲ କରିବା ପରେ ସକୁନ୍ତଳାଙ୍କ ନାମ ଗିନିଜ୍ ବୁକରେ ସ୍ଥାନ ପାଇଛି ।
ଲଣ୍ଡନରେ ଫିଲ୍ମର ସୁଟିଂ ଜୋରସୋରରେ ଆଗେଇ ଚାଲିଥିବାବେଳେ ସକୁନ୍ତଳା ଦେବୀ ରୂପରେ ବିଦ୍ୟାଙ୍କ ଫାଷ୍ଟଲୁକ୍ ଜାରି କରାଯାଇଛି । ବିଦ୍ୟାଙ୍କ ଏହି ନିଆରା ଲୁକ୍ ପ୍ରଶଂସକଙ୍କ ସହିତ ସିନେପ୍ରେମୀଙ୍କୁ ବେଶ୍ ପସନ୍ଦ ହୋଇଛି । ଏହାର ନିର୍ଦ୍ଦେଶନା ଦେଇଛନ୍ତ ଅନୁ ମେନନ୍ । ନୟାମିକା ମହତାନିଙ୍କ ସହିତ ମିଶି ଅନୁ ଏହାର ସ୍କ୍ରିନ୍ପ୍ଲେ ରଚନା କରିଛନ୍ତି ଏବଂ ଏହାର ସଂଳାପ ଲେଖିକା ହେଉଛନ୍ତି ଇଶିତା ମଇତ୍ରୋ । ମୋଟ ଭାବେ କହିବାକୁ ଗଲେ ଏହା ହେଉଛି ପ୍ରଥମ ମହିଳା ପ୍ରାଧାନ୍ୟ ବଲିଉଡ୍ ଫିଲ୍ମ ଯେଉଁଥିରେ ନିର୍ଦ୍ଦେଶନାରୁ ଆରମ୍ଭ କରି ରାଇଟିଙ୍ଗ୍ ଓ ମୁଖ୍ୟ ଭୂମିକା ପର୍ଯ୍ୟନ୍ତ ମହିଳାମାନେ ହିଁ ଅଛନ୍ତି । ଗତ ମେ’ ମାସରେ ଫିଲ୍ମ ସମ୍ପର୍କରେ ଘୋଷଣା କରାଯାଇଥିଲା ଏବଂ ଆସନ୍ତା ବର୍ଷ ଏହାକୁ ରିଲିଜ୍ କରାଯିବାର ଯୋଜନା ରହିଛି ।











