ଅଯୋଧ୍ୟା ମାମଲା: ଗୋଗଇ ଦେଇପାରନ୍ତି ରାୟ
ଭୁବନେଶ୍ଵର, (ଓଟି) ସୁପ୍ରିମ୍କୋର୍ଟଙ୍କ ପ୍ରଧାନ ବିଚାରପତି ରଞ୍ଜନ ଗୋଗଇ ଅଯୋଧ୍ୟା ବିବାଦର ଅନ୍ତିମ ରାୟ ଦେଇପାରନ୍ତି। ଆସନ୍ତା ନଭେମ୍ବରରେ ସେ ଅବସର ନେଉଥିବାରୁ ଏହି ସମ୍ଭାବନା ପ୍ରକାଶ ପାଇଛି। ଏହାଛଡ଼ା ମାମଲାର ଶୁଣାଣିକୁ ଦୈନନ୍ଦିନ ଭିତ୍ତିରେ ଶେଷ କରି ଅକ୍ଟୋବର ୧୮ ତାରିଖ ସୁଦ୍ଧା ସମସ୍ତ ଶୁଣାଣି ଶେଷ କରିବାକୁ କୋଟ; ସମୟ ନିର୍ଦ୍ଧାରଣ କରିଛନ୍ତି।
ସୁପ୍ରିମକୋର୍ଟ କହିଛନ୍ତି, ଯଦି ଉଭୟ ପକ୍ଷ ଚାହାନ୍ତି, ମଧ୍ୟସ୍ଥତା ଜରିଆରେ ମଧ୍ୟ ବିବାଦର ସମାଧାନ କରାଯାଇପାରିବ। କିନ୍ତୁ ଆସନ୍ତା ମାସ ୧୮ ତାରିଖ ସୁଦ୍ଧା ଏହି ପ୍ରକ୍ରିୟା ଶେଷ କରିବା ଆବଶ୍ୟକ। ଏହାଦ୍ଵାରା ରାୟ ପ୍ରକାଶ ପାଇଁ ବିଚାରପତିମାନଙ୍କୁ ଅତିକମରେ ଏକ ମାସ ସମୟ ମିଳିପାରିବ। ଏହି କ୍ରମରେ ଅଗଷ୍ଟ ୬ରୁ ଅଯୋଧ୍ୟା ମାମଲାର ଶୁଣାଣି ଚାଲିଛି। ଏକ ପାଞ୍ଚଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଏହାର ଶୁଣାଣି କରୁଛନ୍ତି। ଏହାର ଅଧ୍ୟକ୍ଷତା କରୁଛନ୍ତି ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ, ଯାହାଙ୍କ କାର୍ଯ୍ୟକାଳ ନଭେମ୍ବର ମାସ ୧୭ ତାରିଖରେ ପୂରିବାକୁ ଯାଉଛି।











