ଖାଲି ବିଧାୟକ ନୁହନ୍ତି, ସରପଞ୍ଚ ବି ନିମିତମାତ୍ର ବୋଲି କହିଲେ ପୁରୀ ଓ ବ୍ରହ୍ମଗିରି ବିଧାୟକ
ଭୁବନେଶ୍ଵର, (ଓଟି): ପୁରୀ ଜିଲ୍ଲା ପ୍ରଶାସନ ବିରୋଧରେ ବିଷୋଦ୍ଗାର କରିଛନ୍ତି ପୁରୀ ଓ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ବିଧାୟକ। ଜିଲ୍ଲା ପ୍ରଶାସନ ନାମକୁ ମାତ୍ର ହୋଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦ୍ଵାରା ପରିଚାଳିତ ହେଉଛି ବୋଲି ଅଭିଯୋଗ କରିବା ସହ ଏଠାରେ ନିର୍ବାଚିତ ପ୍ରତିନିଧିମାନଙ୍କର କୌଣସି ମତକୁ ସରକାର ସମ୍ମାନ ଦେଉ ନଥିବା କହିଛନ୍ତି। ଏପରିକି ସରକାରୀ ନୀତିର ଠିକଣା ରୂପାୟନରେ ପଞ୍ଚାୟତର ନିର୍ବାଚିତ ପ୍ରତିନିଧିଙ୍କର ମଧ୍ୟ କୌଣସି ଭୂମିକା ରହୁ ନାହିଁ ବୋଲି ସେମାନେ କହିଛନ୍ତି। କେବଳ କିଛି ହାରିଥିବା ବିଜେଡି ନେତାଙ୍କ ଦ୍ଵାରା ସରକାରୀ କଳ ପରିଚାଳିତ ହେଉଛି ବୋଲି ବିଜେପି ଅଭିଯୋଗ କରିଛି।
ରାଜ୍ୟ କାର୍ଯ୍ୟାଳୟଠାରେ ବିଜେପିର ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଏବଂ ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର କହିଛନ୍ତି, ମୁଖ୍ୟମନ୍ତ୍ରୀ ୫ଟି ର କଥା କହୁଥିବାବେଳେ ଜିଲ୍ଲା ସ୍ତରରୁ ଆରମ୍ଭ କରି ବ୍ଲକର ଜିଆରଏସ, ଭିଏଲଡବ୍ଲୁ, ବିଡିଓ ଶାସକ ଦଳର ନେତା ଓ କର୍ମୀମାନଙ୍କୁ ବିଭିନ୍ନ ଯୋଜନାର ହିତାଧିକାରୀଭାବେ ସାମିଲ କରାଇ ଚାଲିଛନ୍ତି ।ଗଣତନ୍ତ୍ରରେ ଜଣେ ବିଧାୟକର ଯାହା ଅଧୀକାର ଅଛି ତାକୁ କ୍ଷୁର୍ଣ୍ଣ କରିବା ପାଇଁ ହୀନ ରାଜନୀତି କରାଯାଉଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।
ଏବେ ଜିଲ୍ଲା ପ୍ରଶାସନର ସମସ୍ତ ଭତା ବାର୍ଧ୍ୟକ ଭତା, ବିଧବା ଭତା, ଦିବ୍ୟାଙ୍ଗ ଭତାର ହିତାଧିକାର ଚୟନକୁ ପଂଚାୟତ ଠାରୁ ଛଡାଇ ନିଆଯାଇ ଅଙ୍ଗନବାଡିକୁ ଦିଆଯାଉଛି । ଏହା କେବଳ ପୁରୀ ଜିଲ୍ଲାରେ ଲାଗୁ ହୋଇଛି ବୋଲି ଶ୍ରୀ ଷଡଙ୍ଗୀ କହିଛନ୍ତି । କେବଳ ପୁରୀ ଜିଲ୍ଲାରେ ଗୋଟିଏ ନୁଆ ନିୟମ ଲାଗୁ ହେବ କାହିଁକି ? କାହିଁକି ପଂଚାୟତର କ୍ଷମତାକୁ ସଙ୍କୁଚିତ କରାଯାଉଛି ? ମୁଖ୍ୟମନ୍ତ୍ରୀ ଆମ ଗାଁ ଆମ ବିକାଶ କଥା କହୁଥିବା ବେଳେ ଖାଲି ବିଧାୟକ ନୁହେଁ ବଂର ପଂଚାୟତର ସରପଂଚ ମାନଙ୍କଠାରୁ କ୍ଷମତା ଛଡାଇ ନେଉଛନ୍ତି ବୋଲି ଶ୍ରୀ ଷଡଙ୍ଗୀ ଅଭିଯୋଗ କରିଛନ୍ତି ।
ଯେଉଁ ବୋଟ ଓ ଡଙ୍ଗା ମାଛଧରାଳି ମାନଙ୍କୁ ଦିଆଯାଇଛି ତାହା କେନ୍ଦ୍ରୀୟ କେନ୍ଦ୍ର ସରକାରଙ୍କ ସଂସ୍ଥା ହୁଡକୋର ସିଏସଆର (ସାମାଜିକ କଲ୍ୟାଣ ପାଣ୍ଠି) ଓ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡର ଏକ ବଡ ଅଂଶକୁ କେନ୍ଦ୍ର ସରକାରଙ୍କର ପିଏସୟୁ (କେନ୍ଦ୍ରୀୟ କମ୍ପାନୀମାନେ ) ରିଲିଫ ପଣ୍ଡକୁ ଓଡିଶାର ବିକାଶ ପାଇଁ ଦିଅନ୍ତି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।
କେବଳ ଶାସକ ଦଳର ନେତାମାନଙ୍କ ସୁପାରିଶ ଆଧାରରେ ବିଜେଡିର କର୍ମୀମାନଙ୍କୁ କ୍ଷତିପୁରଣ, ପକ୍କା ଘର, ବୋଟ, ମାଛ ଧରା ଡଙ୍ଗା ମିଳୁଛି । ଏହି ଦୁଇ ନିର୍ବାଚନ ମଣ୍ଡଳିରେ ବିଜେଡିର ନେତା କିଏ, ସେମାନେ କେତେ ସ୍ୱଛ ଓ କେତେ ଦୁର୍ନିତିଗ୍ରସ୍ତ ତାହା ସମସ୍ତଙ୍କୁ ଜଣାଅଛି । ବିଜେଡିର କିଛି ନେତାମାନଙ୍କର ସୁପାରିଶରେ ଫଣିର ପରବର୍ତୀ କ୍ଷତିପୁରଣ ଓ ସରକାରଙ୍କର ଅନ୍ୟ ସମସ୍ତ ଯୋଜନାର ହିତାଧିକାରି ଚୟନରେ ବ୍ୟାପକ ଅନିୟମିତତା ହେଉଛି । ଏହି ଅନିୟମିତତାରେ ତୃତୀୟ ମହଲାର ଏଥିରେ ସିଧାସଳଖ ସମ୍ପୃକ୍ତି ଅଛି । ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ଇଙ୍ଗିତରେ ଏହି ଜିଲ୍ଲା ପ୍ରଶାସନ ପୁରୀ ଜିଲ୍ଲାର କିଛି ବିଜେଡି ନେତାଙ୍କର ସଖୀ କଣ୍ଢେଇ ପାଲଟିଛି ବୋଲି ଶ୍ରୀ ଷଡଙ୍ଗୀ କହିଛନ୍ତି ।











