ସିରିଏଲ୍ କିଲର୍ ଆଦିତ୍ୟ ରୟ
ସିନେ ମହଲରେ ଆଶିକି ବୟ ଭାବେ ପରିଚିତ ଆଦିତ୍ୟ ରାୟ କପୁର୍ ଏବେ ଜଣେ ହତ୍ୟାକାରୀ ଭାବେ ନିଜର ନୂଆ ପରିଚୟ ସୃଷ୍ଟି କରିବାକୁ ଯାଉଛନ୍ତି । ବଲିଉଡର ଆଗାମୀ ଫିଲ୍ମ ‘ମଙ୍ଗଲ’ରେ ଆଦିତ୍ୟଙ୍କୁ ଜଣେ ସିରିଏଲ୍ କିଲର୍ ଭାବେ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି । ଫିଲ୍ମର କାହାଣୀ ଏକ ରେପ୍ କେସକୁ ନେଇ ଆଧାରିତ ଏବଂ ସେଥିରେ ପ୍ରତିଶୋଧର ଲୋମହର୍ଷରକାରୀ ଚିତ୍ର ଦେଖିବାକୁ ମିଳିବ । ଏହି ରିଭଞ୍ଜ୍ କ୍ରାଇମ୍ ଡ୍ରାମାର ମୁଖ୍ୟ ଭୂମିକା ପାଇଁ ଆଦିତ୍ୟଙ୍କୁ ସାଇନ୍ କରାଯାଇଛି । ଧୀରେ ଧୀରେ ସମୟ ଅନୁଯାୟୀ ଦର୍ଶକଙ୍କ ରୁଚିରେ ପରିବର୍ତ୍ତନ ଆସିଛି ।
ଆଜିକାଲି ଦର୍ଶକ ଫିଲ୍ମର ମୁଖ୍ୟ ଚରିତ୍ରଙ୍କୁ ଗ୍ରେସେଡରେ ଦେଖିବାକୁ ଅଧିକ ପସନ୍ଦ କରୁଛନ୍ତି । ସାହିଦଙ୍କ ଅଭିନୀତ ‘କବୀର୍ ସିଂ’ ଏହାର ଏକ ଜ୍ୱଳନ୍ତ ଉଦାହରଣ । ଏହା ବ୍ୟତୀତ ବରୁଣଙ୍କ ‘ବଦଲାପୁର୍’ ମଧ୍ୟ ଦର୍ଶକଙ୍କୁ ଖୁବ୍ ଆକୃଷ୍ଟ କରିଥିଲା । ତେଣୁ ଦର୍ଶକଙ୍କ ପସନ୍ଦ ଅନୁଯାୟୀ ବଲିଉଡରେ ଏଭଳି ରିଭେଞ୍ଚ୍ ଡ୍ରାମା ଫିଲ୍ମର ଏକ ନୂଆ ଧାରା ଆସିଛି । ତେବେ ପରଦା ଉପରେ ଲଭ୍ ରୋମାନ୍ସ କରୁଥିବା ଆଦିତ୍ୟଙ୍କୁ ନେଗେଟିଭ୍ ରୋଲରେ ଦର୍ଶକ ଆପଣାଇ ପାରୁଛନ୍ତି କି ନାହିଁ, ତାହା କେବଳ ସମୟ ହିଁ କହିବ ।











