ରୋଷେଇ – ଭେଜ୍ ପୁଡିଙ୍ଗ୍
ଆବଶ୍ୟକୀୟ ଜିନିଷ – ୧/୪ କପ୍ ଚିନି, ୩୦୦ ଏମ୍.ଏଲ୍. ଖିର, ଭାନିଲା କଷ୍ଟଡ୍ ପାଉଡର୍ ୩ ଛୋଟ ଚାମଚ, ୧ କପ୍ ଖିର, ୪ ପିସ୍ ବ୍ରେଡ୍, ୧ କପ୍ ଚିନି ।
ପ୍ରସ୍ତୁତି ପ୍ରଣାଳୀ- ପ୍ରଥମେ ଏକ ପ୍ୟାନ୍ ବସାଇ ୧/୪ କପ୍ ଚିନି ଦେଇଦିଅନ୍ତୁ । ଚିନି କରେଇରେ ନ ଲାଗିବା ପାଇଁ ଗୋଟିଏ ଚାମଚ ସାହାଯ୍ୟରେ ଚଲାନ୍ତୁ । ଚିନି ଅଳ୍ପ ମିଳେଇ ଆସିଲେ ଗ୍ୟାସର ଆଂଚକୁ ପୁରା କମ୍ କରିଦିଅନ୍ତୁ ଏବଂ ପୂର୍ବଭଳି ଚିନିକୁ ଚଲାନ୍ତୁ । ଚିନି ମିଳେଇଯାଇ ହାଲକା ବାଦାମୀ ରଙ୍ଗର ହୋଇଗଲେ ଗ୍ୟାସ୍ ବନ୍ଦ କରନ୍ତୁ ଏବଂ ତାହାକୁ ଗୋଟିଏ କେକ୍ ପ୍ୟାନରେ ପକାନ୍ତୁ । କେକ୍ ପ୍ୟାନରେ ଚିନି ସିରାକୁ ସବୁଆଡ଼େ ଖେଳାଇ ଦିଅନ୍ତୁ । ଏହା ଗୋଟିଏ ହାଲକା ଲେୟାର୍ ପରି ହୋଇଯିବ । ତାହାକୁ ଥଣ୍ଡା ହେବାକୁ ଦିଅନ୍ତୁ । ଏହାପରେ ଗୋଟିଏ କରେଇ ବସାଇ ଖିରକୁ ଫୁଟିବାକୁ ରଖିଦିଅନ୍ତୁ । ଖିର ଫୁଟିବା ଭିତରେ ଗୋଟିଏ ବାଉଲରେ ୧କପ୍ ଖିର ଓ ଭାନିଲା କଷ୍ଟଡ୍ ପାଉଡର୍ ମିଶାଇ ଭଲ ଭାବେ ଫେଣ୍ଟି ଦିଅନ୍ତୁ । ପାଉଁରୁଟିର ଚାରିପଟେ ଥିବା ବାଦାମୀ ଅଂଶକୁ କାଟି ଛୋଟ ଛୋଟ ଖଣ୍ଡ କରନ୍ତୁ ଏବଂ ତାହାକୁ ଭଲ ଭାବେ ଗ୍ରାଇଣ୍ଡ କରନ୍ତୁ । ଏହି ସମୟ ଭିତରେ ଖିର ଭଲ ଭାବେ ଫୁଟି ସାରିଥିବ । ସେଥିରେ ଭାନିଲା ପେଷ୍ଟକୁ ପକାଇ ଭଲ ଭାବେ ଗୋଳାନ୍ତୁ । ଏହାପରେ ସେହି ଖିରରେ ଅଳ୍ପ ଅଳ୍ପ କରି ପାଉଁରୁଟି ପାଉଡରକୁ ପକାଇ ଏକ ପେଷ୍ଟ୍ ପ୍ରସ୍ତୁତ କରନ୍ତୁ । ମନେରଖନ୍ତୁ ଏହାକୁ ଅଧିକ ଗାଢ଼ା କିମ୍ବା ଅଧିକ ପତଳା କରିବେ ନାହିଁ । ଏହାପରେ ଚିନି ଲେୟାର୍ ଥିବା କେକ୍ ପ୍ୟାନରେ ତାହାକୁ ଢ଼ାଳି ଦିଅନ୍ତୁ । ଏହାକୁ ସିଝାଇବା ପାଇଁ ଗୋଟିଏ ବଡ଼ ବାସନରେ ୨ ଗ୍ଲାସ୍ ପାଣି ରଖି ଗ୍ୟାସରେ ବସାନ୍ତୁ । ସେହି ବାସନ ଭିତରେ ଗୋଟିଏ ଷ୍ଟାଣ୍ଡ୍ ରଖି କେକ୍ ପ୍ୟାନକୁ ତା’ ଉପରେ ରଖନ୍ତୁ ଏବଂ ଗୋଟିଏ ଘୋଡ଼ଣୀ ଦେଇଦିଅନ୍ତୁ । ବଡ଼ ବାସନକୁ ମଧ୍ୟ ଗୋଟିଏ ଘୋଡ଼ଣୀ ଦ୍ୱାରା ବନ୍ଦ କରନ୍ତୁ । ଏହାକୁ ଲୋ ମିଡିୟମ୍ ଫ୍ଲେମରେ ୨୫-୩୦ ମିନିଟ୍ ପର୍ଯ୍ୟନ୍ତ ସିଝାନ୍ତୁ । ଏହାପରେ ପୁଡିଙ୍ଗକୁ ବାହାର କରି ଥଣ୍ଡା ହେବାକୁ ଦିଅନ୍ତୁ । ଏହାକୁ ୨-୩ ଘଣ୍ଟା ପାଇଁ ଫ୍ରିଜରେ ରଖନ୍ତୁ । ଏହାକୁ ଗୋଟିଏ ଛୁରୀ ସାହାଯ୍ୟରେ କେକ୍ ପ୍ୟାନରୁ ବାହାର କରି ଥାଳିରେ ରଖନ୍ତୁ । ଏହା ଏଗ୍ ପୁଡିଙ୍ଗ ଭଳି ଖୁବ୍ ନରମ ହୋଇଥାଏ ଏବଂ ଖାଇବା ପାଇଁ ବହୁତ ସ୍ୱାଦିଷ୍ଟ ।











