ରୋଷେଇ – ମୁଗଡାଲି ପକୋଡ଼ି
ଆବଶ୍ୟକୀୟ ଜିନିଷ – ୨୦୦ ଗ୍ରାମ ମୁଗଡାଲି, ଗୋଟିଏ ବଡ଼ ପିଆଜ, ୨ଟି କଂଚା ଲଙ୍କା, ୧ ବଡ଼ ଅଦା ପେଷ୍ଟ୍, ୧ ଚାମଚ ଜୁଆଣି, ଏକ ଚୁଟକି ଖାଇବା ସୋଡ଼ା, ଅଧା କପ୍ ଭୃସଙ୍ଗ ପତ୍ର, ଛାଣିବା ପାଇଁ ତେଲ ଓ ସ୍ୱାଦ ଅନୁଯାୟୀ ଲୁଣ ।
ପ୍ରସ୍ତୁତି ପ୍ରଣାଳୀ – ମୁଗଡାଲିକୁ ଧୋଇ ପ୍ରାୟ ଦେଢ଼ ଘଣ୍ଟା ପାଣିରେ ବତୁରାଇ ରଖନ୍ତୁ । ତା’ପରେ ମୁଗକୁ ଗ୍ରାଇଣ୍ଡିଙ୍ଗ୍ ଜାରରେ ପକାଇ ଭଲ ଭାବେ ଗ୍ରାଇଣ୍ଡ୍ କରନ୍ତୁ । ମନେ ରଖନ୍ତୁ ଏଥିରେ ଜମାରୁ ପାଣି ଦେବେ ନାହିଁ । ମୁଗ ପେଷ୍ଟକୁ ଗୋଟିଏ ବାଉଲରେ ବାହାର କରିଦିଅନ୍ତୁ । ସେଥିରେ ପିଆଜ ଓ କଂଚା ଲଙ୍କାକୁ ଛୋଟ ଛୋଟ ଖଣ୍ଡ କରି କାଟି ପକାନ୍ତୁ । ଏହାପରେ ସେଥିରେ ଅଦା ପେଷ୍ଟ୍, ଜୁଆଣି, ଖାଇବା ସୋଡ଼ା, ଭୃସଙ୍ଗପତ୍ର ଓ ଲୁଣ ପକାଇ ଭଲ ଭାବେ ଗୋଳାନ୍ତୁ । ଗ୍ୟାସରେ କରେଇ ବସାଇ ତେଲ ପକାନ୍ତୁ । ତେଲ ଗରମ ହେବା ପରେ ସେଥିରେ ମୁଗ ପେଷ୍ଟରୁ ଅଳ୍ପ ଅଳ୍ପ ନେଇ ପକୁଡ଼ି ଭଳି ପକାନ୍ତୁ । ଏହାପରେ ଗ୍ୟାସକୁ ଲୋ ମିଡିୟମ୍ ଫ୍ଲେମରେ ରଖି ପକୁଡ଼ିଗୁଡ଼ିକୁ ଭଲ ଭାବେ ଛାଣିଦିଅନ୍ତୁ । ଗ୍ୟାସର ଫ୍ଲେମକୁ ହାଇ ରଖିଲେ କପୁଡ଼ିଗୁଡ଼ିକ ଭିତରୁ କଂଚା ରହିଯିବ । ତେଣୁ ଏହିଭଳି ଭାବେ ବଳକା ପକୋଡ଼ିକୁ ଛାଣନ୍ତୁ । ବର୍ଷାଦିନରେ ଏହାକୁ ପୁଦିନା ସସ୍ ସହିତ ଗରମ ଗରମ ପରଷନ୍ତୁ ।











