ପୁରୀ ସୌନ୍ଦର୍ଯ୍ୟକରଣକୁ ଆମିକସ୍ କ୍ୟୁରୀଙ୍କ ହଁ’: କହିଲେ ଠିକ୍ ପଦକ୍ଷେପ
ଭୁବନେଶ୍ଵର, (ଓଟି): ପୁରୀକୁ ବିଶ୍ଵ ଐତିହ୍ୟ ନଗରୀରେ ପରିଣତ କରିବା ତଥା କେନ୍ଦ୍ର ସରକାରଙ୍କ ଅବଢ଼ା ଯୋଜନାକୁ ରୂପାୟନ କରିବା ଲାଗି ରାଜ୍ୟ ସରକାର ଯେଉଁ ପଦକ୍ଷେପ ନେଉଛନ୍ତି ତାହାକୁ ସମର୍ଥନ କରିଛନ୍ତି ସୁପ୍ରିମ୍କୋର୍ଟଙ୍କ ଦୂତ ତଥା ଆମିକସ କ୍ୟୁରୀ ରଞ୍ଜିତ୍ କୁମାର। ପୁରୀ ପରିଦର୍ଶନ ଓ ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା ପରେ ଶ୍ରୀ କୁମାର ଗଣମାଧ୍ୟମରେ ନିଜର ମତବ୍ୟକ୍ତ କରି ଖୁସିବ୍ୟକ୍ତ କରିଛନ୍ତି।

ଶ୍ରୀଜଗନ୍ନାଥ ମନ୍ଦିର ଚାରିକଡ଼ରେ ଚାଲିଥିବା ଉଚ୍ଛେଦ ପ୍ରକ୍ରିୟା ଜନସ୍ଵାର୍ଥରେ କରାଯାଉଛି। ଏହି ପ୍ରକ୍ରିୟାରେ କାହାକୁ ଉଚ୍ଛେଦ ହେବାକୁ ବାଧ୍ୟ କରାଯାଉ ନାହିଁ। ମେଘନାଦ ପ୍ରାଚୀର ପାଖରେ ଥିବା କୋଠାଗୁଡ଼ିକର ସତ୍ତ୍ଵାଧିକାରୀଙ୍କ ସହ ଆବଶ୍ୟକ ବୁଝାମଣା ପରେ ଏହି ପଦକ୍ଷେପ ହାତକୁ ନିଆଯାଉଛି ବୋଲି ସେ କହିଛନ୍ତି। ଏହି ସୌନ୍ଦର୍ଯ୍ୟକରଣ ପ୍ରକ୍ରିୟା ଜଗନ୍ନାଥ ସଂସ୍କୃତିକୁ ପ୍ରୋତ୍ସାହନ ଦେବାରେ ସହାୟକ ହେବ ବୋଲି ସେ କହିଛନ୍ତି।
ସେବକ ଭକ୍ତ ଓ ସ୍ଥାନୀୟ ଲୋକଙ୍କ ସ୍ଵାର୍ଥରେ ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରାଯାଉଛି। ସାରା ବିଶ୍ଵରେ ଏହାଦ୍ଵାରା ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରସାର ଲାଭ କରିବ ବୋଲି ଶ୍ରୀ କୁମାର ଗଣମାଧ୍ୟମକୁ କହିବା ପରେ ସରକାରୀ ସ୍ତରରେ ଯଥେଷ୍ଟ ଉତ୍ସାହ ଦେଖିବାକୁ ମିଳିଛି।

ରାଜ୍ୟ ସରକାରଙ୍କ ପକ୍ଷରୁ ଜବରଦସ୍ତି ଉଚ୍ଛେଦ ତଥା ଭଙ୍ଗାରୁଜା ପ୍ରକ୍ରିୟା ଜାରି ରହିଥିବା କିଛି ମଠ ମହନ୍ତ ଓ ବୁଦ୍ଧିଜୀବୀ ଅଭିଯୋଗ କରିଛନ୍ତି। ଏ ଦିଗରେ ସୁପ୍ରିମ୍କୋର୍ଟଙ୍କ ନିକଟରେ ଜନସ୍ଵାର୍ଥ ମାମଲା ଦାୟର କରାଯାଇଛି। ଏହି ମାମଲାକୁ ଭିତ୍ତିକରି ଆଜି ଶ୍ରୀ ଜଗନ୍ନାଥ ମନ୍ଦିର ପରିସ୍ଥିତିକୁ ଅନୁଧ୍ୟାନ କରିବାକୁ ଆମିକସ୍ କ୍ୟୁରୀ ପୁରୀରେ ପହଞ୍ଚିଥିଲେ। ତାଙ୍କ ସହ ଭାରତର ସଲିସିଟର ଜେନେରାଲ୍ ମଧ୍ୟ ନିଜର ଅନୁଧ୍ୟାନ ଜାରି ରଖିଛନ୍ତି।
ଶ୍ରୀ କୁମାର ଗଜପତି ମହାରାଜା, ଶ୍ରୀମନ୍ଦିର ପରିଚାଳନା ଓ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି।











