ପୁରୀରେ ଉଚ୍ଛେଦ ପ୍ରକ୍ରିୟା ଅନୁଧ୍ୟାନ ଆଜି
ଭୁବନେଶ୍ଵର, (ଓଟି): ପୁରୀକୁ ବିଶ୍ଵ ଐତିହ୍ୟ ସହରରେ ପରିଣତ କରିବା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ଚାଲିଥିବା ବିବାଦୀୟ ଉଚ୍ଛେଦ ପ୍ରକ୍ରିୟାର ଆଜି ଅନୁଧ୍ୟାନ ହେବ। ପ୍ରକ୍ରିୟାର ଅନୁଧ୍ୟାନ ଲାଗି ସୁପ୍ରିମ୍ କୋର୍ଟଙ୍କ ଦ୍ଵାରା ନିଯୁକ୍ତ ଆମିକସ୍ କ୍ୟୁରୀ ରଞ୍ଜିତ୍ କୁମାର ଓ ଭାରତର ସଲୁସିଟର ଜେନେରାଲ୍ ତୁଷାର ମେହେଟ୍ଟା ପୁରୀରେ ପହଞ୍ଚିଛନ୍ତି। ଶ୍ରୀମନ୍ଦିର ଭିତର ଏବଂ ବାହାରେ ଉଚ୍ଛେଦ ପ୍ରକ୍ରିୟା ତଥା ସଂସ୍କାର ପାଇଁ ପ୍ରଶାସନ ନେଉଥିବା ପଦକ୍ଷେପ ବାବଦରେ ଆଲୋଚନା କରିବେ। ଏ ବାବଦ ରିପୋର୍ଟ ସେମାନେ ସୁପ୍ରିମ୍କୋର୍ଟଙ୍କୁ ପ୍ରଦାନ କରିବେ। ସେପ୍ଟେମ୍ବର ୧୭ ତାରିଖରେ କୋର୍ଟ ଏ ବାବଦରେ ଶୁଣାଣି କରିବା କାର୍ଯ୍ୟକ୍ରମ ରହିଛି।
କଣ୍ଟିନେଣ୍ଟାଲ୍ ଆସୋସିଏସନ୍ ଅଫ୍ ଲୟାର୍ସଙ୍କ ପକ୍ଷରୁ ପୁରୀରେ ଚାଲିଥିବା ଉଚ୍ଛେଦ ପ୍ରକ୍ରିୟାକୁ ଭିତ୍ତିକରି କୋର୍ଟଙ୍କ ଧ୍ୟାନ ଆକର୍ଷଣ କରାଯାଇଛି। ଏପରିକି ସୁପ୍ରିମ୍ କୋର୍ଟଙ୍କୁ ବିଭ୍ରାନ୍ତିକର ତଥ୍ୟ ସରକାର ଦେଇଛନ୍ତି ବୋଲି ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ତଥା ଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି। ସେ କହିଛନ୍ତି, ସରକାର କୋର୍ଟଙ୍କ ପାଖରେ ଗୋଟିଏ କଥା କହୁଥିବାବେଳେ ପୁରୀରେ ଆଉ ଗୋଟିଏ କଥା କହିଛନ୍ତି। ଏହା ବିଭ୍ରାନ୍ତିକର।
ପୁରୀକୁ ବିଶ୍ଵ ଐତିହ୍ୟ ସହରରେ ପରିଣତ କରିବା ତଥା ପୁରୀ ଶ୍ରୀମନ୍ଦିରକୁ ବାହ୍ୟ ଆକ୍ରମଣରୁ ସୁରକ୍ଷିତ ରଖିବା ଲାଗି ସରକାର ପୁରୀରେ ଉଚ୍ଛେଦ ପ୍ରକ୍ରିୟା ଜାରି ରଖିଛନ୍ତି। ଏଥିରେ ଅନେକ ମଠ ମନ୍ଦିର ଧ୍ବଂସ କରାଯାଉଛି। ଆଗକୁ ଏହି ପ୍ରକ୍ରିୟା ଅଧିକ ତ୍ଵରାନ୍ବିତ ହେବ ବୋଲି ଆଶଙ୍କା କରାଯାଉଛି। ଫଳରେ ଅନେକ ଲୋକଙ୍କ ବାସଗୃହ ବି ଭାଙ୍ଗି ଚୁନା ହୋଇଯିବ। ସେମାନଙ୍କ ଥିଥାନ ପାଇଁ ସରକାର ଆଗୁଆ ଥଇଥାନ ପ୍ୟାକେଜ୍ ଘୋଷଣା କରିଛନ୍ତି। କିନ୍ତୁ ଏହାକୁ ବିଭିନ୍ନ ସ୍ତରରେ ନାପସନ୍ଦ କରାଯାଇଛି।











