ମଠ ଭଙ୍ଗା ପ୍ରସଙ୍ଗ: ବେଆଇନ ବୋଲି ଦର୍ଶାଇଲେ ପୁରୀ ସୁରକ୍ଷା ମଞ୍ଚ

ଭୁବନେଶ୍ଵର, (ଓଟି): ପୁରୀରେ ଚାଲିଥିବା ସୌନ୍ଦର୍ଯ୍ୟକରଣ ତଥା ଶ୍ରୀମନ୍ଦିରକୁ ସୁରକ୍ଷିତ କରିବା ଅଭିଯାନକୁ ବିରୋଧ କରି ଗଢ଼ା ଯାଇଛଇ ପୁରୀ ସୁରକ୍ଷା ମଞ୍ଚ। ପ୍ରଶାସନର ଏହି କାର୍ଯ୍ୟକୁ ବେଆଇନ ବୋଲି କହିବା ସହ ପ୍ରସ୍ତାବକୁ ପ୍ରଥମେ ସରକାର ସର୍ବସାଧାରଣଙ୍କ ଆଲୋଚନା ପାଇଁ ଉନ୍ମୁକ୍ତ କରନ୍ତୁ ବୋଲି କହିଛନ୍ତି। ଶ୍ରୀଜଗନ୍ନାଥ ସଂସ୍କୃତି ଓ ଐତିହ୍ୟ ସହ ସିଧାସଳଖ ସମ୍ପର୍କ ରଖୁଥିବା ଏହି ମଠଗୁଡ଼ିକୁ ଉଚ୍ଛେଦ କରାଯିବା ଦୁର୍ଭାଗ୍ୟଜନକ ବୋଲି କହିବା ସହ ଏଥିନେଇ ଅଧିକ ଆଲୋଚନା ଆବଶ୍ୟକ ଓ ଆବଶ୍ୟକ ସ୍ଥଳରେ ପ୍ରଥମେ ଥଇଥାନ କରାଯାଇ ଉଚ୍ଛେଦ କାର୍ଯ୍ୟ କରାଯିବା ଦରକାର ବୋଲି ମଞ୍ଚ ପକ୍ଷରୁ ଦାବି କରାଯାଇଛି। 

ଦଳଗତ ନିର୍ବିଶେଷରେ ରାଜନେତା, ବୁଦ୍ଧିଜୀବୀ, ମଠାଧୀଶ ତଥା ସଂସ୍କୃତି ଗବେଷକଙ୍କୁ ନେଇ ଏହି କମିଟି ଗଠନ କରାଯାଇଛି। ଏହି କମିଟି ଆଜି ଜିଲ୍ଲାପାଳଙ୍କୁ ଭେଟି ନିଜର ଦାବି ପତ୍ର ପ୍ରଦାନ କରିବେ। 

 ଶ୍ରୀମନ୍ଦିର ଚତୁଃପାର୍ଶ୍ବରୁ ୭୫ ମିଟର ଉଚ୍ଛେଦ ନିଷ୍ପତ୍ତି ପରେ ପ୍ରଶାସନ ଏବେ ମଠ ଉଚ୍ଛେଦ ଅଭିଯାନ ଆରମ୍ଭ କରିଛି। ଲଙ୍ଗୁଳି ମଠ, ଏମାର ମଠ ଭାଙ୍ଗିବା ପରେ ଏବେ ବଡ଼ଆଖଡ଼ା ମଠ ଭାଙ୍ଗିବାକୁ ପ୍ରସ୍ତୁତି ଆରମ୍ଭ କରିଛି। ତେବେ ଆଜି ବଡ଼ଆଖଡ଼ା ମଠ ଭାଙ୍ଗିବା ପୂର୍ବରୁ ବିବାଦୀୟ ପରିସ୍ଥିତି ଦେଖାଦେଇଛି। ମଠ ମହନ୍ତଙ୍କ ସମେତ ଅନ୍ୟ ନାଗା ସାଧୁସନ୍ଥମାନେ ଏହାର ପ୍ରତିବାଦ ଜଣାଇବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।  

ପୁରୀ ଟାଉନ୍ ହଲଠାରେ ମଞ୍ଚ ପକ୍ଷରୁ ଆୟୋଜିତ ବୈଠକରେ ମଠ ଉଚ୍ଛେଦକୁ ବିରୋଧ କରାଯାଇ ଶ୍ରୀମନ୍ଦିର ପରମ୍ପରା ସହ ମଠ ସଂସ୍କୃତି ଜଡ଼ିତ ଥିବାରୁ ମଠ ଭାଙ୍ଗିବା ପୂର୍ବରୁ ଏ ଦିଗରେ ବିଚାର କରାଯିବା ଆବଶ୍ୟକତା ରହିଛି ବୋଲି ମତ ପ୍ରକାଶ ପାଇଥିଲା। ନବ‌କଳେବର ସମୟରେ ଶ୍ରୀମନ୍ଦିର ଚାରିପାଖରୁ ବହୁ ଦୋକାନ ଘର ଉଚ୍ଛେଦ କରାଯାଇଥିଲା। ଆଜି ପର୍ଯ୍ୟନ୍ତ ସେମାନଙ୍କ ଥଇଥାନ ବ୍ୟବସ୍ଥା କରାଯାଇ ନ ଥିବାରୁ ବୈଠକରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ‘ଆଗ ଥଇଥାନ, ପରେ ଉଚ୍ଛେଦ’ କରିବାକୁ ବୈଠକରେ ମତ ପ୍ରକାଶ ପାଇଥିଲା। ଅନ୍ୟପଟେ ଶ୍ରୀମନ୍ଦିର ସହ ମଠ ସଂସ୍କୃତି ଜଡ଼ିତ ଥିବାରୁ ଏହାର ସୁରକ୍ଷା ଦିଗ ପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ସମସ୍ତେ ମତ ଦେଇଥିଲେ। ଉଚ୍ଛେଦ ପୂର୍ବରୁ ଏ ନେଇ ପ୍ରଶାସନ ଆଲୋଚନା କରିବାର ଆବଶ୍ୟକତା ରହିଥିଲା। କିନ୍ତୁ ବିନା ଆଲୋଚନାରେ ଉଚ୍ଛେଦ ନିଷ୍ପତ୍ତି ବେଆଇନ। ଏହି ବେଆଇନ ଉଚ୍ଛେଦ ବନ୍ଦ କରାଯାଉ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା। ସରକାର ଯେଉଁ ପ୍ୟାକେଜ୍ ଘୋଷଣା କରିଛନ୍ତି, ସେ ସଂପର୍କରେ ବି ଅଧିକ ଆଲୋଚନାର ଆବଶ୍ୟକତା ରହିଛି ବୋଲି ସମସ୍ତେ ମତ ଦେଇଥିଲେ। ଉଚ୍ଛେଦ ଓ ସୌନ୍ଦର୍ଯ୍ୟୀକରଣର ମଡେଲ୍ ସର୍ବସାଧାରଣରେ ଉପସ୍ଥାପନ ପାଇଁ ଦାବି ହୋଇଥିଲା।

Leave a Reply

Your email address will not be published. Required fields are marked *