ସପ୍ତମ ବେତନ କମିଶନଙ୍କ ସୁପାରିସି ଲାଗୁ: ବିଶ୍ଵବିଦ୍ୟାଳୟ ଶିକ୍ଷକଙ୍କ ଦରମା ବୃଦ୍ଧି

ଭୁବନେଶ୍ଵର: ବିଶ୍ଵବିଦ୍ୟାଳୟ ଶିକ୍ଷକଙ୍କ ଲାଗି ସରକାର ସପ୍ତମ ବେତନ କମିଶନଙ୍କ ସୁପାରିସି ଲାଗୁ କରିଛନ୍ତି। ଏହାଫଳରେ ଦେଶବ୍ୟାପୀ ବିଭିନ୍ନ ବିଶ୍ଵବିଦ୍ୟାଳୟରେ କାର୍ଯ୍ୟ କରୁଥିବା ପ୍ରଫେସର, ଆସିଷ୍ଟାଣ୍ଟ ପ୍ରଫେସର ଏବଂ ଆସୋସିଏଟ୍‌ ପ୍ରଫେସରଙ୍କ ଦରମା ବୃଦ୍ଧି ପାଇଛି। ବିଶ୍ଵବିଦ୍ୟାଳୟ ଶିକ୍ଷକ ମହାସଂଘର ଦୀର୍ଘଦିନର ଦାବି ଏହାଦ୍ଵାରା ପୂରଣ ହୋଇଛି। ସରକାରଙ୍କ ଲହି ନିଷ୍ପତ୍ତି ଦ୍ଵାରା ଆମ ରାଜ୍ୟର ୧୫ ୧ବିଶ୍ଵବିଦ୍ୟାଳୟରେ କାର୍ଯ୍ୟରତ୨ହଜାରରୁ ଅଧିକ ବିଶ୍ଵବିଦ୍ୟାଳୟ ଶିକ୍ଷକ ଉପକୃତ ହେବେ। 

ନିଷ୍ପତ୍ତି ଅନୁସାରେ୨୦୧୬ ଜାନୁଆରି ପହିଲାରୁ ପିଛିଲା ଭାବେ ଏହି  ଦରମା ମିଳିବ। ଶିକ୍ଷକମାନଙ୍କର ସର୍ବନିମ୍ନ ୨.୫୭ ଗୁଣ ବୃଦ୍ଧି ହୋଇଛି।  ଉଚ୍ଚଶିକ୍ଷା ବିଭାଗର ଚିଠି ଅନୁଯାୟୀ ଯେଉଁ ଦିନ ଶିକ୍ଷକମାନେ ବର୍ଦ୍ଧିତ ଦରମା ପାଇବେ ସଙ୍ଗେ ସ‌ଙ୍ଗେ ସେମାନଙ୍କୁ ବକେୟା ଦରମାର ୪୦ ପ୍ରତିଶତ ଅର୍ଥ ଦିଆଯିବ। ଅବଶିଷ୍ଟ ୬୦ ପ୍ରତିଶତ ପରବର୍ତୀ ସରକାରୀ ନିଷ୍ପତ୍ତି ପରେ ପ୍ରଦାନ କରାଯିବ। ପ୍ରସ୍ତାବିତ ବ୍ୟବସ୍ଥା ଅନୁଯାୟୀ ଶିକ୍ଷକଙ୍କର ଦରମା ପ୍ରଦତ୍ତ ପ୍ରଥମ ସିଡ୍ୟୁଲ ଅନୁଯାୟୀ ହେବ। ବର୍ତମାନର ‌ପେ’ ବ୍ୟାଣ୍ଡ ଓ ଗ୍ରେଡ୍‌ ପେ’କୁ ବିଚାରକୁ ନିଆଯିବ ଓ ଦରମା ତତ୍‌ସଂଲଗ୍ନ ସେଲ୍‌ ଅନୁଯାୟୀ ନିର୍ଦ୍ଧାରିତ ହେବ। ବର୍ତମାନ ଦରମାକୁ ବିଚାରକୁ ନେଇ ନିର୍ଦ୍ଧାରିତ ସେଲ୍‌ରେ ଉଲ୍ଲେଖିତ ଅର୍ଥକୁ ପରିବର୍ତ୍ତିତ ଦରମା ହିସାବରେ ଧରାଯିବ। ଶିକ୍ଷକମାନଙ୍କଠାରୁ ସେମାନଙ୍କ ବାର୍ଷିକ ଇନ୍‌କ୍ରିମେଣ୍ଟ ବାବଦରେ ଅଣ୍ଡରଟେକିଂ ଦେବେ। ସେହି ଅନୁଯାୟୀ ଶିକ୍ଷକଙ୍କର ଇନ୍‌କ୍ରିମେଣ୍ଟ ତାରିଖ ନିରୂପଣ କରାଯିବ।

ବ୍ୟବସ୍ଥା ଅନୁଯାୟୀ କୌଣସି କନିଷ୍ଠ ଶିକ୍ଷକ ସେହି ବର୍ଗର ବରିଷ୍ଠ ଶିକ୍ଷକଙ୍କଠାରୁ ଅଧିକ ଦରମା ପାଉଥିବା ଦେଖାଗଲେ ଷ୍ଟେପ୍‌ଅପ୍‌ ପଦ୍ଧତି ଜରିଆରେ ସମ୍ପୃକ୍ତ ବରିଷ୍ଠ ଶିକ୍ଷକଙ୍କ ଦରମା କନିଷ୍ଠ ଶିକ୍ଷକଙ୍କ ସହ ସମାନ କରାଯିବ ଏବଂ ସମ୍ପୃକ୍ତ ଶିକ୍ଷକଙ୍କର ବରିଷ୍ଠତା ବଜାୟ ରହିବ। ୨୦୧୬ ଜାନୁଆରି ପହିଲା ଓ ତା’ପରଠାରୁ କାର୍ଯ୍ୟରେ ଯୋଗଦେଇଥିବା ଶିକ୍ଷକମାନେ କୌଣସି କାରଣରୁ ନିର୍ଦ୍ଧାରିତ ଦରମାଠାରୁ ଅଧିକ ଦରମା ପାଇଥିଲେ ତାହା ସେମାନଙ୍କଠାରୁ ଫେରାଇ ଅଣାଯିବ। ସୂଚନାଯୋଗ୍ୟ ଯେ ସପ୍ତମ ବେତନ କମିସନ ଲାଗୁ କରିବା ଦାବିରେ ବିଶ୍ବବିଦ୍ୟାଳୟ ଶିକ୍ଷକ ମହାସଂଘର ସଦସ୍ୟମାନେ ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦେବା ସହ ରାଜ୍ୟ ସରକାରଙ୍କ ନିକଟରେ ବାରମ୍ବାର ଦାବି କରି ଆସୁଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୀତିଗତ ନିଷ୍ପତ୍ତି ନେଇଥିବାରୁ ଗତ ଜୁନ୍‌ ମାସରେ ଶିକ୍ଷକମାନେ ନବୀନ ନିବାସରେ କୃତଜ୍ଞତା ଜଣାଇଥିଲେ। ଗତ ଜୁଲାଇ ୨୬ରେ ଏହା ସ୍ବତନ୍ତ୍ର ଆଦେଶ ଜରିଆରେ ଲାଗୁ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟପାଳଙ୍କୁ ଚିଠି ଲେଖାଯାଇଥିଲା। ଏହି ବିଜ୍ଞପ୍ତି ବଳରେ ‌ବିଶ୍ବବିଦ୍ୟାଳୟ ଶିକ୍ଷକମାନେ ବର୍ଦ୍ଧିତ ବେତନ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି।

Leave a Reply

Your email address will not be published.