ବିଜୁ ସମାଧି ନାଁ ନେଇ ସ୍ଵର୍ଗଦ୍ଵରରେ ମୁଖ୍ୟମନ୍ତ୍ରୀଙ୍କ ଜବରଦଖଲ!

ଭୁବନେଶ୍ଵର, (ଓଟି): ପୁରୀରେ ରାଜ୍ୟ ସରକାର ଆତଙ୍କରାଜ ଚଳାଇଛନ୍ତି। ତ୍ୟାଗ କରିବା ଦ୍ଵାହି ଦେଇ ସରକାର ଐତିହ୍ୟସମ୍ପନ୍ନ କୋଠାବାଡ଼ିକୁ ଭାଙ୍ଗିରୁଜି ଚୁନା କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି କଳିଙ୍ଗସେନା ଅଧ୍ୟକ୍ଷ ହେମନ୍ତ ରଥ। ଅପରପକ୍ଷେ ଖୋଦ୍‌ ମୁଖ୍ୟମନ୍ତ୍ରୀ ସ୍ଵର୍ଗଦ୍ଵାରରେ ଜବରଦଖଲ କରିଛନ୍ତି ବୋଲି ସେ କହିଛନ୍ତି। ଯଦି ରାଜ୍ୟବାସୀ ପୁରୀର ଐତିହ୍ୟ, ମଠ, ପୁରୁଣା କିର୍ତ୍ତିରାଜୀକୁ ସୁରକ୍ଷା ଦୃଷ୍ଟିରୁ ଭାଙ୍ଗିବା ଲାଗି ରାଜି ହେଉଛନ୍ତି ତେବେ ମୁଖ୍ୟମନ୍ତ୍ରୀ ତ୍ୟାଗ ସ୍ଵୀକାର କରି ସ୍ଵର୍ଗଦ୍ଵାରୁ ନିଜର ଜବରଦଖଲ ହଟାନ୍ତୁ ବୋଲି ସେ ଆହ୍ବାନ ଦେଇଛନ୍ତି। 

ଭୁବନେଶ୍ୱରଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ରଥ କହିଛନ୍ତି ଯେ ପୁରୀବାସୀଙ୍କ ତ୍ୟାଗ ଯୋଗୁଁ ଆଜି ସେଠାରେ ବିଶ୍ୱପ୍ରସିଦ୍ଧ ଜଗନ୍ନାଥ ମନ୍ଦିର ସୁରକ୍ଷିତ ଭାବେ ରହିଛି । ତେବେ ପୁରୀ ବିକାଶ ନାଁରେ ମୁଖ୍ୟମନ୍ତ୍ରୀ ଯେଭଳି ଭଙ୍ଗାରୁଜାରେ ମାତିଛନ୍ତି ତାହା ଏହି ଐତିହ୍ୟ ସହରରେ ଆତଙ୍କରାଜ ଭଳି ଅବସ୍ଥା ସୃଷ୍ଟି କରିଛି ।

ବିଜୁବାବୁଙ୍କ ସମାଧୀ ନାଁରେ ସର୍ବପୁରାତନ ଐତିହ୍ୟ ସ୍ୱର୍ଗଦ୍ୱାରରେ ୬୪ ଡିସିମିଲି ଜମି ଜବରଦଖଲ ହୋଇଛି। ଏହାକୁ ଖୋଦ୍‌ ମୁଖ୍ୟମନ୍ତ୍ରୀ ଜବରଦଖଲ କରିଛନ୍ତି ବୋଲି ସେ କହିଛନ୍ତି।  ଲୋକଙ୍କ ସ୍ୱାର୍ଥ ପାଇଁ ମୁଖ୍ୟମନ୍ତ୍ରୀ ପ୍ରଥମେ ତାକୁ ହଟାନ୍ତୁ। ଏହା ହେଲେ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ପୁରୀବାସୀଙ୍କର ଆସ୍ଥା ବଢିବ ଓ ସେମାନେ ତ୍ୟାଗ ପାଇଁ ଆଗେଇ ଆସିବେ ବୋଲି ସେ କହିଛନ୍ତି।

ଏଥି ସହିତ ପୁରୀ ଶ୍ରୀମନ୍ଦିର ସମ୍ମୁଖରେ ଥିବା ଉକ୍ରଳମଣି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ଯାହାକୁ କି ମହାତ୍ମାଗାନ୍ଧୀ ତାଙ୍କର ଓଡିଶା ଆଗମନବେଳେ ପ୍ରତିଷ୍ଠା କରିଥିଲେ ତାହାକୁ ହଟାଇବା ପୂର୍ବରୁ ମୁଖ୍ୟମନ୍ତ୍ରୀ ସ୍ୱର୍ଗଦ୍ୱାରରୁ ଜବରଦଖଲ ହଟାଇବାପାଇଁ ନିର୍ଦ୍ଦେଶ ଦେବାକୁ ଶ୍ରୀ ରଥ ଦାବି କରିଛନ୍ତି । ସେନା ସୁପ୍ରିମୋ କହିଛନ୍ତି ଯେ ପୁରୀବାସୀଙ୍କୁ ନବକଳେବର ବେଳେ ଆଇକନ ସିଟିର ସ୍ୱପ୍ନ ଦେଖାଇ କୋଟି କୋଟି ଟଙ୍କା ଚଳୁ କରିଥିବା ସରକାର ଏବେ ପୁଣିଥରେ ବିକାଶ ଓ ସୁରକ୍ଷା ନାଁରେ ଲୋକଙ୍କ ବିନାଶ କରୁଛନ୍ତି । କିଛି ଲୋକଙ୍କ ସ୍ୱାର୍ଥ ପାଇଁ ହଜାର ହଜାର ପୁରୀବାସୀ ବେପାର ବଣିଜ ଓ ଘରଦ୍ୱାର ହରାଇ ସର୍ବହରା ହେବାକୁ ବସିଲେଣି । ତେଣୁ ମୁଖ୍ୟମନ୍ତ୍ରୀ ପ୍ରଥମେ ସ୍ୱର୍ଗଦ୍ୱାରରୁ ଜବରଦଖଲ ହଟାଇ ତ୍ୟାଗ କରନ୍ତୁ ଓ ଲୋକଙ୍କୁ ଥଇଥାନ ପରେ ବିକାଶର ପାଠ ପଢାନ୍ତୁ ଏବଂ ମଠ ସଂସ୍କୃତିର ଐତିହ୍ୟ ହଜିଗଲା ପରେ ବିଶ୍ୱ ଐତିହ୍ୟର ମାନ୍ୟତା ପୁରୀ କିପରି ପାଇବ ମୁଖ୍ୟମନ୍ତ୍ରୀ ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି ଶ୍ରୀ ରଥ ଆହ୍ୱାନ ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଉପସଭାପତି ସବ୍ୟସାଚୀ ମହାପାତ୍ର, ସାଧାରଣ ସଂପାଦକ ବିଜୟ ରାଜ, ସଂଗଠନ ମନ୍ତ୍ରୀ ଭକ୍ତଶେଖର ରାୟ ଏବଂ ସଂପାଦକ ପ୍ରଦୀପ ସାହୁ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *