ସରକାରଙ୍କୁ ରାଜନୀତିକ ଭୟ: ଅନିଶ୍ଚିତତାରେ ପୌର ନିର୍ବାଚନ

ଭୁବନେଶ୍ଵର, (ଓଟି): ସର୍ବାଧିକ ସଂଖ୍ୟା ଗରିଷ୍ଠ ଲାଭ କରିଥିବା ଶକ୍ତିଶାଳୀ ବିଜୁ ଜନତାଦଳ କିନ୍ତୁ ଭାଗ୍ୟ ପରୀକ୍ଷା କରିବାକୁ ଡରୁଛି। ପରିସ୍ଥିତି ଏମିତି ହୋଇଛି ଯେ, ସହରାଞ୍ଚଳରେ ନିର୍ବାଚନ ହେଲେ ବିଜେଡି ଟଳମଳ ହେବ ବୋଲି ବି ଆଶଙ୍କା କରୁଛି। ଏଣୁ କଳେ, ବଳେ କୌଶଳେ ପୌର ନିର୍ବାଚନକୁ ଘୁଞ୍ଚାଇବାରେ ଲାଗିଛନ୍ତି ରାଜ୍ୟ ସରକାର। 

ଏ ଭିତରେ ଗୋଟିଏ ବର୍ଷ ବିତିବାକୁ ବସିଛି, କିନ୍ତୁ ଓଡ଼ିଶାର ୧୦୧ ପୌରାଞ୍ଚଳରେ ନିର୍ବାଚିତ ପ୍ରତିନିଧିଙ୍କ ଦ୍ଵାରା ଶାସନ ନଚଳାଇ ସରକାରଙ୍କ ଦ୍ଵାରା ନିଯୁକ୍ତ ଅମଲାତାନ୍ତ୍ରିକ ପ୍ରଶାସକଙ୍କ ଦ୍ଵାରା ଚଳାଇବାକୁ ଉଚିତ ଭାବିଛନ୍ତି ରାଜ୍ୟ ସରକାର।  ଅର୍ଥାତ୍‌ ରାଜ୍ୟର ସହରାଞ୍ଚଳରେ ତୃଣମୂଳ ଗଣତନ୍ତ୍ରକୁ ଗୋଡ଼ ଭାଙ୍ଗି କରି ଠିଆ କରାଯାଇଛି। ଫଳରେ କେନ୍ଦ୍ର ସହାୟତା ହେଉ ବା ସହରାଞ୍ଚଳ ବିକାଶ, କେଉଁଠି ହେବ କାହିଁକି ହେବ କିଏ କରିବ ତାହା ଆଉ ଲୋକ ପ୍ରତିନିଧି ସ୍ଥିର ନକରି କରୁଛନ୍ତିି ସରକାରଙ୍କ ଦ୍ଵାରା ନିଯୁକ୍ତ ପ୍ରଶାସକମାନେ। ପୁଣି ବିକାଶ ନାଁରେ ବିଭିନ୍ନ ସହରକୁ ଭାଙ୍ଗି ଚୁନା କରାଯାଉଛି ବିନା ସ୍ଥାନୀୟ ଅନୁମୋଦନରେ। ଅର୍ଥାତ୍‌ ସ୍ଵାୟତ୍ତ ଶାସନ ବର୍ତ୍ତମାନ ପଙ୍ଗୁ ପ୍ରାୟ। ଏପରି ଅବସ୍ଥାରେ ସରକାର କେଉଁ ଆଭିମୁଖ୍ୟ ନେଇ ଏଥର ସ୍ଵାୟତ୍ତ ଶାସନ ଦିବସ ( ଅଗଷ୍ଟ୩୧)କୁ ପାଳନ କରିବେ! 

ପୃଷ୍ଠଭୂମି

ଓଡ଼ିଶାରେ ପୌର ନିର୍ବାଚନ ନହୋଇପାରିବା ପଛରେ ସରକାରଙ୍କ ମନଯୋଗର ଅଭାବ ହିଁ ମୁଖ୍ୟ ଅନ୍ତରାୟ ହୋଇଛି। ଅର୍ଥାତ୍‌ ଯଦି ସରକାର ଚାହିଁବେ ତେବେ ନିର୍ବାଚନ ପାଇଁ ବାଟ ଫିଟିବ। କାରଣ ଏବେ କୋର୍ଟ ବା ନ୍ୟାୟପାଳିକାଙ୍କ କୌଣସି କେଁ ଏହି ନିର୍ବାଚନ ପରିଚାଳନାକୁ ଭିତ୍ତି କରି ହୋଇ ନାହିଁ। ବରଂ ରାଜ୍ୟ ସରକାରଙ୍କ ଦ୍ଵାରା ଆପଣା ଯାଇଥିବା ନିର୍ବାଚନ ନୀତି ଭୁଲ୍‌ ବୋଲି ଦର୍ଶାଇ ହାଇକୋର୍ଟଙ୍କଠାରୁ ସୁପ୍ରିମ୍‌କୋର୍ଟଙ୍କଯାଏ ସରକାରଙ୍କୁ ତାଚ୍ଛଲ୍ୟ କରି ତୁରନ୍ତ ବର୍ଗ ଭିତ୍ତିକ ସୀମା ନିର୍ଦ୍ଧାରଣକୁ ୫୦ ପ୍ରତିଶତରୁ ଅଧିକ ନକରାଇବାକୁ କହିଛନ୍ତି।

ରାଜ୍ୟ ସରକାରଙ୍କ ନୀତି ଅନୁସାରେ ରାଜ୍ୟର ୬୬ ପ୍ରତିଶତ ପୌରାଞ୍ଚଳକୁ  ସରକାର ଅନୁସୂଚିତ ଜାତି, ଜନଜାତି ବା ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷିତ କରିଥିଲେ। କିନ୍ତୁ ଏହା ଯେ ସମ୍ବିଧାନ ବିରୋଧୀ ତାହା କହି ହାଇକୋର୍ଟରେ ମାମଲା ଚାଲିଥିଲା। ହାଇକୋର୍ଟ ଏଥିରେ ସରକାରଙ୍କୁ ସମାଲୋଚନା କରି ସଂରକ୍ଷଣ ମାମଲା ୫୦ ପ୍ରତିଶତକୁ ନ ଟପିବାକୁ କହିଥିଲେ। ହେଲେ ସରକାର ଏଥିରେ ସହମତ ନହୋଇ ସୁପ୍ରିମ୍‌କୋର୍ଟ ଗଲେ। ସୁପ୍ରିମ୍‌କୋର୍ଟ ବି ହାଇକୋର୍ଟଙ୍କ ସ୍ଵରରେ ତାଳ ମିଳାଇବାରୁ ରାଜ୍ୟ ସରକାର ଅଯଥା ସମାଲୋଚନାର ସରବ୍ୟ ହୋଇଥିଲେ। ହେଲେ କୋର୍ଟଙ୍କ ରାୟ ଅନୁସାରେ ସରକାର ଓଡ଼ିଶା ପୌରାଞ୍ଚଳର ନିୟମ ୨୦୧୬ରେ ପରିବର୍ତ୍ତନ ଆଣିବା ସକାଶୋ ଆବଶ୍ୟକ ବିଧାନସଭାର ଅନୁମୋଦନ ଗ୍ରହଣ କରିବାରେ ବିଳମ୍ବ କରୁଛନ୍ତି। ଏହି ବିଲ୍‌ ସଂଶୋଧିତ ହେଲେ ସୀମା ପୁନଃ ନିର୍ଦ୍ଧାରଣ ହେବ। ଏଥିଲାଗି ସମୟ ଲାଗିବ। କିନ୍ତୁ ରାଜ୍ୟ ସରକାର ତାହା କରାଇ ଦେଉ ନଥିବା ନେଇ ଅଭିଯୋଗ ହୋଇଛି। 

ପୌର ପୂର୍ବରୁ ପଞ୍ଚାୟତ

ପରିସ୍ଥିତି ଏମିତି ହୋଇଛି ଯେ, ପୌର ନିର୍ବାଚନ ପୂର୍ବରୁ ପଞ୍ଚାୟତ ନିର୍ବାଚନ ପୁଣିଥରେ ହୋଇଯାଇପାରେ ବୋଲି ଚର୍ଚା ହେଉଛି। ଯେହେତୁ ରାଜ୍ୟ ସରକାର ଚଳାଉଥିବା ବିଜେଡିକୁ ଏଥର ପୌରାଞ୍ଚଳରୁ ଭୋଟ୍‌ ହାର କମ୍‌ ମିଳିଛି ଏବଂ ପ୍ରମୁଖ ପୌରାଞ୍ଚଳରେ ବିରୋଧୀ ଦଳଙ୍କ ସଦସ୍ୟ ନିର୍ବାଚିତ ହୋଇଛନ୍ତି, ସେଥିଲାଗି ଏହା ଏକ ଆହ୍ବା ନବୋଲି ସରକାର ଗ୍ରହଣ କରିଛନ୍ତି। 

କଟକ-ବାରବାଟୀଠୁ ଆରମ୍ଭ କରି ପୁରୀ, ସମ୍ବଲପୁର, ବଲାଙ୍ଗୀର, ଜୟପୁର, ଜଟଣୀ, କଣ୍ଟାବାଞ୍ଜି, ଖରିଆର, ପାରଳା ଖେମୁଣ୍ଡି, ରାଇରଙ୍ଗପୁର, ରାୟଗଡ଼ା, ସୁନ୍ଦରଗଡ଼, କଳଳାହାଣ୍ଡି ପ୍ରଭୃତି ସହରାଞ୍ଚଳ ନିର୍ବାଚନ ମଣ୍ଡଳୀରୁ ଏଥର କଂଗ୍ରେସ ବା ବିଜେପି ପ୍ରାର୍ଥୀ ନିର୍ବାଚିତ ହୋଇଛନ୍ତି। ପୁଣି ଭୁବନେଶ୍ଵର ମହାନଗର ନିଗମ ଅଞ୍ଚଳରେ ସାଂସଦ ଅପରାଜିତ ହୋଇଛନ୍ତି। ଯାହାଙ୍କ ଦଳ ହେଉଛି ବିଜେପି। ଏଣୁ ଏହି ପରିସ୍ଥିତିରେ ଯଦି ର୍ନବାଚନ ହୁଏ ତେବେ ତାହା ବିଜେଡି ପାଇଁ ବୁମେରାଂ ହେବ ବୋଲି ଆଲୋଚନା ହେଉଛି। ସେଥିଲାଗି ବିଜେଡିର ଗୁଇନ୍ଦା ସଂସ୍ଥା ନିର୍ବାଚନକୁ ଟାଳିବା ପାଇଁ ସରକାରଙ୍କୁ ପରାମର୍ଶ ଦେଇଥିବା ଆଲୋଚନା ହେଉଛି। ସେଥିଲା ସରକାର ଏଥର ଆବଶ୍ୟକ ବିଲ୍‌କୁ ବଜେଟ୍‌ ଅଧିବେଶନ ସମୟରେ ଆଣିବା ବଦଳରେ ତାହାକୁ ଅନ୍ୟ ଅଧିବେଶନକୁ ଅପେକ୍ଷା କରିଛନ୍ତି। 

ଅପରପକ୍ଷେ ୨୦୧୭ ଜାନୁୟାରୀରେ ହୋଇଥିବା ପଞ୍ଚାୟତ ନିର୍ବାଚନକୁ ଏବେ ତିନିବର୍ଷ ବିତିଲାଣି। ଏହିବର୍ଷଠୁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ପାଇଁ ଯୋଜନା ପ୍ରସ୍ତୁତ ହେଲାଣି। ଆଉ ଦୁଇବର୍ଷ ପରେ ଯେହେତୁ ନିର୍ବାଚନ ଏଣୁ ଏ ସମୟକୁ ଧ୍ୟାନ ଦେଲେ ଆଗକୁ ଲୋକଙ୍କ ଭରସା ଜିତିବା ସହଜ ହେବ ବୋଲି ଦଳ ଭାବିଛି।

ପୁଣି ଆସିବ ଅଧ୍ୟାଦେଶ

ଏ ଭିତରେ ଏକବର୍ଷ ବିତିବାକୁ ଯାଉଛି। ଗତବର୍ଷ ସେପ୍ଟେମ୍ବର ୨୮ ତାରିଖରେ ରାଜ୍ୟ ସରକାର ଏକ ବିଜ୍ଞପ୍ତି ଜରିଆରେ ୧୦୧ ପୌରାଞ୍ଚଳରେ ପ୍ରଶଶସକ ନିଯୁକ୍ତି କରିଥିଲେ। ଏବେ ସେହି ଆଦେଶକୁ ଏକବର୍ଷ ବିତିବାକୁ ଯାଉଛି। ରାଜ୍ୟ ସରକାର ତାହାକୁ ପୁଣିଥରେ ନବୀକରଣ କରିପାରନ୍ତି। 

 

Leave a Reply

Your email address will not be published. Required fields are marked *