ଲୋକାଲ୍ ଷ୍ଟୋରର ଡ୍ରେସ୍ କିଣି ପିନ୍ଧିଲେ କଙ୍ଗନା
ବି ଟାଉନର ମଣିକର୍ଣ୍ଣିକା ଓରଫ୍ କଙ୍ଗନା ରଣାୱତ୍ ପୁଣିଥରେ ତାଙ୍କର ଡ୍ରେସ୍ ସେନ୍ସକୁ ନେଇ ଚର୍ଚ୍ଚାରେ ଅଛନ୍ତି । ନିକଟରେ କଙ୍ଗନା କଲିକତାରୁ ମାତ୍ର ୬୦୦ ଟଙ୍କାରେ ଗୋଟିଏ ଶାଢ଼ି କିଣି ପିନ୍ଧିଥିଲେ । କଙ୍ଗନାଙ୍କ ଏଭଳି ସାଧାରଣ ଲୁକ୍ ପ୍ରଶଂସକଙ୍କୁ ପସନ୍ଦ ହୋଇଥିଲେ ମଧ୍ୟ ଏହା ପଛରେ ଥିବା କାରଣ ଜଣାପଡ଼ିନଥିଲା । ଏବେ କଙ୍ଗନା ପୁଣିଥରେ ସେହି କାମଟିକୁ ଦୋହରାଇଛନ୍ତି । ସେ ଜୟପୁରର ଏକ ଲୋକାଲ୍ ଷ୍ଟୋରରୁ ଗୋଟିଏ ଡ୍ରେସ୍ କିଣି ପିନ୍ଧିଛନ୍ତି । ଏହାକୁ ମ୍ୟାଚିଙ୍ଗ୍ ଇୟରରିଙ୍ଗ୍ ଓ ଜୋତା କଙ୍ଗନାଙ୍କୁ ଏକ ନିଆରା ଲୁକ୍ ଦେଉଛି । ଡ୍ରେସ୍ ସହିତ ସେ ଏକ କଳାରଙ୍ଗର ବ୍ୟାଗ୍ ଓ ସନ୍ ଗ୍ଳାସ୍ କ୍ୟାରି କରିଛନ୍ତି । ଡ୍ରେସ୍ଟି ସାଧାରଣ ଥିଲେ ମଧ୍ୟ ସେଥିରେ ଥିବା ‘ଗୋଟା’ କାମ କଙ୍ଗନାଙ୍କ ମନ କିଣିନେଇଛି ।
ଏହାକୁ ପ୍ରସ୍ତୁତ କରିଥିବା ଲୋକାଲ୍ କାରିଗରଙ୍କ ପ୍ରଶଂସା କରି କଙ୍ଗନା ଟ୍ୱିଟ୍ କରିବା ସହିତ ଏକ ଫଟୋ ମଧ୍ୟ ପୋଷ୍ଟ୍ କରିଛନ୍ତି । ନାୟିକାମାନେ ନିଜକୁ ଫ୍ୟାଶନ୍ ଅପଡେଟ୍ ବୋଲାଇବା ପାଇଁ ଅଧିକରୁ ଅଧିକ ଟଙ୍କା ଖର୍ଚ୍ଚ କରୁଥିବାବେଳେ କଙ୍ଗନା ସମ୍ପୂର୍ଣ୍ଣ ବିପରୀତ ଦିଗ ଆପଣାଇଛନ୍ତି । କଙ୍ଗନାଙ୍କ ଏହି ମାନସିକତା ପାଇଁ ଏବେ ସେ ପ୍ରଶଂସକ ମହଲରୁ ଅନେକ ପ୍ରଶଂସା ସାଉଁଟି ଚାଲିଛନ୍ତି ଏବଂ ତାଙ୍କର ନୂଆ ଡ୍ରେସର ଫଟୋ ଖୁବ୍ ଭାଇରାଲ୍ ହେବାରେ ଲାଗିଛି ।











