ଜଳବାୟୁ ପରିବର୍ତ୍ତନ ଓ ସମୁଦ୍ର ପ୍ରଦୁଷଣ: ପାରାଦୀପରେ ୧୮ହଜାର ଟନ୍‍ ଇଲିସି କମ୍‍

ପାରାଦୀପ,(ଓଟି): ଦିନେ ଇଲିସି ମାଛର ପ୍ରମୁଖ କେନ୍ଦ୍ର ପାଲଟିଥିବା ପାରାଦୀପରେ ଏବେ ଇଲିସି ମରିଚିକା ପ୍ରାୟ । ଅର୍ଥାତ୍‍ ପୂର୍ବଭଳି ଆଉ ଇଲିସି ମାଛ ମିଳୁ ନାହିଁ । ପରିସ୍ଥିତି ଏପରି ହୋଇଛି, ରାଜଧାନୀ ଭୁବନେଶ୍ୱରରେ ଇଲିସି ଦର କିଲୋ ପ୍ରତି ୮୦୦ ଟଙ୍କା ଥିବାବେଳେ ଏଠାରେ ତାହା ୧୨୦୦ରୁ ୧୫୦୦ ଟଙ୍କାରେ ପହଞ୍ଚିଛି । ଏହି ହେତୁ ପାରାଦୀପ ମାଛ ବଜାରରେ ହତାଶା ଲାଗି ରହିଛି । ଆଉ ସିଧାସଳଖ ମତ୍ସଜୀବୀ, ବେପାରି, ଖାଉଟି ପ୍ରଭାବିତ ହେଉଛନ୍ତି। ତେବେ ଏହାର କାରଣ କ’ଣ? କାହିଁକି ହଠାତ୍‍ ଇଲିସି ଅମଳ ଏଠାରେ କମିଲା? ପ୍ରାଥମିକ ଭାବେ ଏହା ଜଳବାୟୁ ପରିବର୍ତ୍ତନ ଓ ସାମୁଦ୍ରିକ ପ୍ରଦୁଷଣକୁ ଏଥିପାଇଁ ଦାୟୀ କରାଯାଉଛି ।

ବିଗତ ୧୦ ବର୍ଷର ଇଲିସି ମାଛ ଅମଳକୁ ଲକ୍ଷ୍ୟ କଲେ ପ୍ରାୟ ୧୮ ହଜାର ଟନ୍‍ ଇଲିସି ମାଛ ଅମଳ କମିଛି । ପ୍ରତି ବର୍ଷ ୧୦ରୁ ୨୦ ପ୍ରତିଶତ ମାଛ ଆଦାୟ କମୁଥିବା ସ୍ପଷ୍ଟ ହୁଏ । ଏହାଦ୍ୱାରା ପାରାଦୀପର ୨୫ ହଜାର ମତ୍ସ୍ୟଜୀବୀ ପରିବାର ଚିନ୍ତାରେ ପଡ଼ିଛନ୍ତି । ମହାନଦୀ ମୁହାଣ ପୋତି ହେବା, କାରଖାନାରୁ ବର୍ଯ୍ୟ ଆସି ସମୁଦ୍ରରେ ମିଶିବା ଏବଂ ଜଳବାୟୁ ପ୍ରଦୂଷଣର ପ୍ରଭାବ ହେତୁ ଏଭଳି ପରିବର୍ତ୍ତନ ହୋଇଥିବା କହୁଛନ୍ତି ବିଶେଷଜ୍ଞ ଓ ମତ୍ସ୍ୟଜୀବୀ ପରିବାର ।

ମିଳିଥିବା ତଥ୍ୟ ଅନୁସାରେ ପାରାଦୀପରେ ପାଖାପାଖି ୫୦୦ ନୋଳିଆ ଏବଂ ୪୦୦ ବଙ୍ଗାଳୀଙ୍କ ମୋଟର ଚାଳିତ ଡଙ୍ଗା ରହିଛି । ପାଖାପାଖି ୯୦୦ ଡଙ୍ଗାରେ ସାତ ହଜାରରୁ ଉଦ୍ଧ୍ୱର୍ ମତ୍ସ୍ୟଜୀବୀ କାର୍ଯ୍ୟ କରିଥାନ୍ତି । ପୂର୍ବରୁ ଘନଘଳିଆଠାରେ ଏହି ଡଙ୍ଗାସବୁ ରହୁଥିଲା । ହେଲେ ୧୯୯୯ ମସିହା ବାତ୍ୟାପରେ ଏଡିବି ପ୍ରୋଜେକ୍ଟ ହେବା ପାଇଁ ଏହାକୁ ପାରାଦୀପ ବାଲି ପ୍ଲଟ୍କୁ ସ୍ଥାନାନ୍ତର କରାଯାଇଛି । ଏଠି ପ୍ରାୟ ଶହେଟି ମାଛ ଗୋଦାମ ରହିଥିବା ବେଳେ ଏଠାରେ କାତ୍ତିକେଶ୍ୱର ମତ୍ସବ୍ୟବସାୟୀ ସଂଘ ଗଢ଼ା ହୋଇଛି । ମାଛ ଗୋଦାମ ଗୁଡ଼ିକରେ ପ୍ରାୟ ୫ ହଜାର ଶ୍ରମିକ କାମ କରନ୍ତି । ଏହାଛଡ଼ା ବରଫ, ଝୁଡ଼ି, ପତ୍ର, ଟ୍ରଲି ଓ ଗାଡ଼ି ମୋଟରକୁ ମିଶାଇଲେ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବେ ମାଛ ବ୍ୟବସାୟ ସହିତ ୨୫ ହଜାର ପରିବାର ଜଡ଼ିତ । ବର୍ଷସାରା ଯାହା ମାଛ ଧରା ହୁଏ କିନ୍ତୁ ସେଥିରେ ବିଶେଷ ଲାଭ ହୋଇ ନଥାଏ । ତେଣୁ ବର୍ଷ ତମାମ ଇଲିଶି ମାଛକୁ ଚାହିଁ ରହିଥାନ୍ତି ମତ୍ସଜୀବୀ ।

ଖାଁ ଖାଁ ପାରାଦୀପ ମାଛ ବଜାର

କାର୍ତ୍ତିକେଶ୍ୱର ମତ୍ସ୍ୟ ବ୍ୟବସାୟୀ ସଂଘର ସମ୍ପାଦକ ପ୍ରକାଶ ଜେନାଙ୍କ କହିବା ଅନୁସାରେ ଜୁଲାଇ ମାସ ପ୍ରଥମ ସପ୍ତାହରେ ଇଲିସି ମାଛ ମରାଯାଏ, ଯାହା ସେପ୍ଟେମ୍ବର ମାସ ତୃତୀୟ ସପ୍ତାହ ପର୍ଯ୍ୟନ୍ତ ଲାଗି ରହେ । ୧୦ ବର୍ଷ ତଳକୁ ଲକ୍ଷ୍ୟ କଲେ ତିନି ମାସ ମଧ୍ୟରେ ୨୦ରୁ ୨୫ ହଜାର ଟନ୍ କେବଳ ଇଲିସିି ମାଛ ମରାଯାଉଥିଲା । ନିକଟସ୍ଥ ଖୁଚୁରା ବଜାର ସହ କଟକ, ଭୁବନେଶ୍ୱର, ପୁରୀ, ଏବଂ ରାଜ୍ୟ ବାହାରର କଲିକତା, ବମ୍ବେ, ଦିଲ୍ଲୀ, ହାଇଦ୍ରାବାଦ ଭଳି ବଡ଼ ବଡ଼ ସହରକୁ ପାରାଦୀପରୁ ଇଲିସି ଯାଉଥିଲା । ହେଲେ ଜଳବାୟୁ ପରିବର୍ତ୍ତନ, ସମୂଦ୍ର ମୁହାଣ ପୋତି ହେବା ଯୋଗୁଁ ପ୍ରତି ବର୍ଷ ୧୦ରୁ ୨୦ ପ୍ରତିଶତ ଇଲିସ ମାଛର ଅମଳ କମିବାରେ ଲାଗିଛି । ଲଗାତାର କିଛି ବର୍ଷ ଇଲିସ ମିଳିଲାନାହିଁ ବୋଲି ସେ କହିଛନ୍ତି।

ଗତ ବର୍ଷ ୨୦୧୮ ମସିହାରେ ମାତ୍ର ୧୦ ଦିନ ଇଲିଶି ମାଛ ମିଳିଥିଲା । କଲିକତାର କିଛି କମ୍ପାନୀକୁ ପ୍ରତିଦିନ ୫ଟା ଗାଡ଼ିରେ ୩୦ ଟନ୍ ମାଛ ଯାଉଥିଲା । ବାକି ଖୁଚୁରା ବଜାରରେ ବିକ୍ରି ହେଉଥିଲା । ଇଲିସି ନେବା ପାଇଁ ଲୋକଙ୍କ ଭିଡ଼ ଏତେ ରହିଲା ଯେ ୧୦ ଦିନ ପାରାଦୀପକୁ ଯାତାୟତ ଠପ୍ ହୋଇଯାଇଥିଲା । ତଥ୍ୟ ଅନୁସାରେ ଗତ ବର୍ଷ ପ୍ରାୟ ୨୦୦୦ ଟନ୍ ମାଛ ଧରା ହୋଇଥିଲା । ୧୦ ବର୍ଷ ତଳେ ୨୦ରୁ ୨୫ ହଜାର ମାଛ ମରୁଥିବାବେଳେ ଏବେ ୨ ହଜାର ଟନ୍ ମାଛ ମରିବାକୁ ନେଇ ପୁରା ମାଛ ବ୍ୟବସାୟ ଚିନ୍ତାରେ ପଡ଼ିଛି । ଚଳିତ ବର୍ଷ ମାତ୍ର ଦୁଇ ଦିନ ପାଖାପାଖି ୧୦ ଟନ୍ ଇଲିଶି ଧରା ହୋଇଥିଲା । ୩ ଶହରୁ ୫ ଶହ ମାଛ ୮୦୦ ଟଙ୍କା, ୫ ଶହରୁ ୧ କିଲୋ ୧୨୦୦ ଏବଂ କ୧ କିଲୋରୁ ଅଧିକ ୧୮୦୦ ରୁ ୨୦୦୦ ଥିବାରୁ ଖାଉଟି ମାଛ କିଣି ଖାଇବା ସମ୍ଭବ ହୋଇ ନାହିଁ । ସବୁ ତକ ମାଛ ବିଦେଶକୁ ରପ୍ତାନୀ କରାଯାଇଥିବା ସୂଚନା ମିଳିଛି ।

ମତ୍ସଜୀବୀଙ୍କ ସୂଚନା ଅନୁସାରେ ଜୁଲାଇ ମାସରେ ବର୍ଷା ଆରମ୍ଭ ହେଲେ କୁବେଇ ପବନରେ ଇଲିସ ମାଛ ସମୂଦ୍ର ଭିତରୁ ଧୀରେ ଧୀରେ କୂଳକୁ ଆସନ୍ତି । ସେହି ସମୟରେ ପ୍ରବଳ ଇଲିଶି ଧରା ହୁଏ । ଏହାଛଡ଼ା ମହାନଦୀ ମୁହାଣ ଦେଇ ବନ୍ୟାଜଳ ସମୂଦ୍ରକୁ ଗଲେ ମିଠା ପାଣିର ସନ୍ଧାନରେ ବି ଇଲିସି କୂଳକୁ ଆସିଥାନ୍ତି । ଏବେ ପାରାଦୀପରେ ଅନେକ ଶିଳ୍ପ ଗଢ଼ି ଉଠିଛି । ଏହାର ବର୍ଜ୍ୟବସ୍ତୁ ଓ ରାସାୟନିକ ପାଣି ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବେ ସମୂଦ୍ର ଜଳରେ ମିଶୁଛି । ଯାହା ଦ୍ୱାରା କୂଳକୁ ଇଲିଶି ଆସୁ ନାହାନ୍ତି । ଯେଉଁ ମୋଟର ଚାଳିତ ଡଙ୍ଗା ନେଇ ମତ୍ସଜୀବୀ ମାଛ ମାରିବାକୁ ଯାଉଛନ୍ତି ତାହା ଅତି ବେଶିରେ ୫ କିମି ସମୂଦ୍ର ଭିତରକୁ ଯାଇ ପାରିବ । ହେଲେ ଏହି ସବୁ କାରଣ ପାଇଁ ୫ କିମି ଭିତରେ ଇଲିସ ମାଛ ରହୁନଥିବା ଜଣା ପଡ଼ିଛି । ଖାଲି ଇଲିଶି କାହିଁକି ଧୀରେ ଧୀରେ ପାରାଦୀପରୁ ମାଛ ଧରା ହେବା କମି କମି ଯାଉଛି । ମାଛ ବ୍ୟବସାୟ ସହିତ ଜଡ଼ିତ ଥିବା ପ୍ରାୟ ୨୫ ହଜାର ପରିବାର ଏବେ ପ୍ରମାଦ ଗଣୁଛନ୍ତି । ଯଦି ଏଭଳି ସ୍ତିତି ଲାଗି ରୁହେ ତେବେ ଆଉ ପାରାଦୀପର ଇଲିଶି ମାଛ ପାଟିରେ ବାଜିବା ସ୍ୱପ୍ନ ପାଲଟିଯିବ ।

Leave a Reply

Your email address will not be published. Required fields are marked *