ବିୟୁଟି ଟିପ୍ସ: ଅଏଲ୍ ଥେରାପି
ବ୍ରଣ, କଳାଦାଗ ଓ ରୁକ୍ଷ ତ୍ୱଚା ସମସ୍ୟା ଦୂର କରିବା ସହିତ ଚେହେରାରେ ବୟସ ଦାଗ ନ ଦେଖାଯିବା ପାଇଁ ଆଜିକାଲି ଯୁବପିଢି ଅଏଲ୍ ଥେରାପି ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି । ତ୍ୱଚାରେ ଚମକ ଆଣିବା ସହିତ ଅନେକ ସ୍କ୍ରିନ୍ ସମସ୍ୟାର ସମାଧାନ ମଧ୍ୟ ଏହି ଥେରାପି ଦ୍ୱାରା ସମ୍ଭବ । ବିଭିନ୍ନ ପ୍ରକାର ଏସେନସିଆଲ୍ ଅଏଲ୍ ବ୍ୟବହାର କରି ବିୟୁଟିସିଆନ୍ ଏହି ଥେରାପି କରିଥାନ୍ତି । ବଡ଼ ବଡ଼ ବିୟୁଟିପାର୍ଲରେ ଅଧିକ ଖର୍ଚ୍ଚାନ୍ତ ନ ହୋଇ ଆପଣ ଏହି ପଦ୍ଧତିକୁ ଘରେ ମଧ୍ୟ କରିପାରିବେ । ସ୍କିନ୍ ସମସ୍ୟାକୁ ଦୃଷ୍ଟିରେ ରଖି କେଉଁ ଅଏଲ୍ ବ୍ୟବହାର କରିବାକୁ ହେବ ଏବଂ କିଭଳି ଏହାକୁ ପ୍ରସ୍ତୁତ କରିବେ ସେ ସମ୍ପର୍କରେ ଜାଣିବା ନିହାତି ଆବଶ୍ୟକ । ତେବେ ଆସନ୍ତୁ ଜାଣିନେବା ଏ ସର୍ମ୍ପକିତ କିଛି ଟିପ୍ସ-
୧- ଟି ଟ୍ରି ଅଏଲ୍
ବ୍ରଣ ଓ ବ୍ଲାକହେଡ୍ସ ସମସ୍ୟା ଥିବା ବ୍ୟକ୍ତି ଟି ଟ୍ରି ଅଏଲ୍ ବ୍ୟବହାର କରିବା ଉଚିତ୍ । ଏହା ବ୍ରଣର କଳାଦାଗ ଦୂର କରିବା କ୍ଷେତ୍ରରେ ମଧ୍ୟ ଖୁବ୍ ସହାୟକ । ମୁହଁକୁ ଭଲ ଭାବେ ଧୋଇବା ପରେ ୫-୬ ବୁନ୍ଦା ଟି ଟ୍ରି ଅଏଲ୍ ସହିତ ୪-୫ ବୁନ୍ଦା ମହୁ ମିଶାଇ ଲଗାନ୍ତୁ । ୧୫-୨୦ ମିନିଟି ପରେ ମୁହଁ ଧୋଇଦିଅନ୍ତୁ ।
୨- କ୍ୟାରଟ୍ ସିଡ୍ ଅଏଲ୍
ଏହି ତେଲ ସନବର୍ଣ୍ଣ ସମସ୍ୟା ଦୂର କରିଥାଏ । ଟୋନିଙ୍ଗ୍ ସମସ୍ୟା ମଧ୍ୟ ଦୂର ହୋଇଥାଏ । ୨ ବୁନ୍ଦା କ୍ୟାରଟ୍ ସିଡ୍ ଅଏଲ୍, ୨ ବୁନ୍ଦା ଲେମନ୍ ଅଏଲ୍କୁ ମିଶାଇ ଚେହେରା, ବେକ ଓ ବେକପଛରେ ଲଗାନ୍ତୁ । ଏହାକୁ ଅଧିକ ସମୟ ରଖିବାକୁ ହେବ । ତେଣୁ ରାତିରେ ଏହାକୁ ଲଗାନ୍ତୁ ଏବଂ ସକାଳେ ଉଷୁମ ପାଣିରେ ଚେହେରାକୁ ଧୋଇଦିଅନ୍ତୁ ।
୩- ଲେମନ୍ ଅଏଲ୍
ବୟସର ଛାପ ଦୂର କରିବା ସହିତ ଟେନସନ୍ ଦୂର କରିବା ପାଇଁ ଲେମନ୍ ଅଏଲ୍ ଦ୍ୱାରା ମସାଜ୍ କରାଯାଏ । ୨୦ ବୁନ୍ଦା ଲେମନ୍ ଅଏଲ୍ ସହିତ ୨୦୦ମିଲିଗ୍ରାମ୍ ସେଫ୍ ଫ୍ଲାୱାର୍ ଅଏଲ୍ ମିଶାଇ ଏକ ବୋତଲରେ ରଖି ଦିଅନ୍ତୁ । ପ୍ରତିଦିନ କୌଣସି ଫେସୱାସ୍ ଦ୍ୱାରା ଚେହେରାକୁ ଭଲ ଭାବେ ସଫା କରିବା ପରେ ସେଥିରୁ ଅଳ୍ପ ଆଣି ଚେହେରାରେ ୧୦-୧୫ ମିନିଟ୍ ହାଲକା ହାତରେ ମାଲିସ୍ କରନ୍ତୁ । ଏହାକୁ ପ୍ରାୟ ଅଧଘଣ୍ଟା ରଖିବା ପରେ ଧୋଇଦିଅନ୍ତୁ ।
୪- ଲାଭେଣ୍ଡର୍ ଅଏଲ୍
ଏହା ତ୍ୱଚାରେ ଚମକ ଆଣିବା ସହିତ ତ୍ୱଚା ଲାଲ୍ ପଡ଼ିଯିବା ସମସ୍ୟା ଦୂର କରିଥାଏ । ଏହା ଟୋନିଙ୍ଗ୍ ମଧ୍ୟ ଦୂର କରିଥାଏ । ୨-୩ ବୁନ୍ଦା ଲାଭେଣ୍ଡର୍ ଅଏଲ୍ ସହିତ ୫ଚାମଚ ଆଲୋବେରା ଜେଲ୍ ମିଶାଇ ଚେହେରାରେ ଲଗାନ୍ତୁ । ଅଧଘଣ୍ଟା ପରେ ଚେହେରାକୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ ।
୫- ରୋଜମେରି ଅଏଲ୍
ଚେହେରାକୁ ଚମକଦାର୍ କରିବା ସହିତ ବୟସର ଛାପ ଆଣିବାକୁ ଦେଇନଥାଏ ରୋଜମେରି ଅଏଲ୍ ।୬ବୁନ୍ଦା ରୋଜମେରି ଅଏଲ୍ ସହିତ ୧ ଚାମଚ ଏଲୋବେରା ଜେଲ୍ ମିଶାଇ ଚେହେରାରେ ଲଗାନ୍ତୁ । ଏହାକୁ ରାତିରେ ଲଗାଇ ସକାଳୁ ଧୋଇଦେବା ଅଧିକ ଲାଭଦାୟକ ।