ରାଜସ୍ୱ ଆଦାୟ ଲକ୍ଷ୍ୟ ବିଫଳ ହେବ : ଖଣି ନିଲାମରେ ଅଂଶ ଗ୍ରହଣ କରିବାକୁ ଶିଳ୍ପସଂସ୍ଥା ଅନାଗ୍ରହୀ
ଭୁବନେଶ୍ଵର, (ଓଟି): ଖଣି ନିଲାମ ପ୍ରକ୍ରିୟାରୁ ରାଜସ୍ୱ ଆଦାୟ କ୍ଷେତ୍ରରେ ବଡ଼ ସଫଳତା ପାଇବେ ବୋଲି ରାଜ୍ୟ ସରକାର ଯେଉଁ ଲକ୍ଷ୍ୟ ରଖିଛନ୍ତି ସେଥିରେ ସଫଳ ହୋଇପାରିବେ ନାହିଁ । କାରଣ ଲୁହା ପଥର ଖଣି ଉପରେ ସମସ୍ତଙ୍କ ନଜର ଥିବାବେଳେ ଏବେ ଖଣି ନିଲାମରେ ଅଂଶଗ୍ରହଣରେ ବଡ଼ ବଡ଼ ଶିଳ୍ପସଂସ୍ଥା ଆଗ୍ରହ ପ୍ରକାଶ କରୁନାହାନ୍ତି। ଫଳରେ ଆଗାମୀ ସପ୍ତାହରେ ହେବାକୁ ଥିବା ୮ଟି ଲୁହାପଥର ଖଣି ନିଲାମ ପ୍ରକ୍ରିୟା ବିଫଳ ହେବ ବୋଲି ଆଲୋଚନା ହେଉଛି।
ବର୍ତ୍ତମାନ ଆନ୍ତର୍ଜାତିକ ବଜାରରେ ଷ୍ଟିଲ ମୂଲ୍ୟ ସବୁଠାରୁ କମ୍ ରହିଛି। ଫଳରେ ଶିଳ୍ପସଂସ୍ଥା ଓ ଖଣିଜ ପଦାର୍ଥ ବ୍ୟବସାୟ କରୁଥିବା ବ୍ୟବସାୟିକ ପ୍ରତିଷ୍ଠାନ ଓଡ଼ିଶାରେ ଲୁହାପଥର ଖଣି ନିଲାମ ନେବାକୁ ହେଲେ ଅତ୍ୟଧିକ ପ୍ରିମିୟମ ଦେବାକୁ ପଡ଼ୁଛି ବୋଲି ଶିଳ୍ପସଂସ୍ଥାମାନେ ଅଭିଯୋଗ କରିଛନ୍ତି। ଫଳରେ ରାଜ୍ୟ ସରକାରଙ୍କ ଲୁହାପଥର ନିଲାମ କେତେଦୂର ସଫଳତା ଲାଭ କରିବ ସେନେଇ ସନ୍ଦେହ ଆରମ୍ଭ ହୋଇଯାଇଛି।
ନୂତନ ମାଇନିଂ ଆଣ୍ଡ ମିନେରାଲସ ଡେଭଲପମେଣ୍ଟ ଆଇନ ଅନୁସାରେ ଓଡ଼ିଶାରେ ଚାଲୁଥିବା ୨୪ଟି ବ୍ୟବସାୟିକ ଲୁହାପଥର ଖଣି ୨୦୨୦ ମାର୍ଚ୍ଚ ସୁଦ୍ଧା ବନ୍ଦ ହୋଇଯିବ। ଏହାଛଡ଼ା ୮ଟି ଲୁହାପଥର ଖଣିର ଆଗାମୀ ସପ୍ତାହରେ ନିଲାମ ପ୍ରକ୍ରିୟା ଆରମ୍ଭ କରାଯିବ। ଏହି ୮ଟି ଖଣିରେ ୫୭୩ ମିଲିୟନ ଟନ ଲୁହାପଥର ଗଚ୍ଛିତ ରହିଛି।
ଓଡ଼ିଶାରେ ଥିବା ଅଗ୍ରଣୀ ଶିଳ୍ପସଂସ୍ଥା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର କମ୍ପାନୀ ଏହି ଲୁହା ପଥର ଖଣି ନିଲାମରେ ଗୁରୁତର ସହିତ ଅଂଶ ଗ୍ରହଣ କରିବ ନାହିଁ ବୋଲି କହିସାରିଲାଣି। ଯଦିବା ଅଂଶ ଗ୍ରହଣ କରେ ତେବେ ଅଧିକ ପ୍ରିମିୟମ ଦେବାକୁ ପ୍ରତିଶ୍ରୁତି ଦେବ ନାହିଁ ବୋଲି ଜଣାପଡ଼ିଛି। ବର୍ତ୍ତମାନ ଆନ୍ତର୍ଜାତିକ ବଜାରରେ ଷ୍ଟିଲର ଚାହିଦା ନଥିବାରୁ ବ୍ୟବସାୟିକ ଖଣି ଲିଜ୍ ପାଇଁ ନିଲାମବେଳେ ସର୍ବାଧିକ ୨୫ରୁ ୩୦ ପ୍ରତିଶତ ପ୍ରିମିୟମ ଦେଇପାରିବ ବୋଲି ଷ୍ଟିଲ ଶିଳ୍ପ ଆଶାକରୁଛି। ଏହାଠାରୁ ଅଧିକ ଦେଲେ ଶିଳ୍ପସଂସ୍ଥା ଦେବାଳିଆ ହୋଇଯିବ ବୋଲି ଷ୍ଟିଲ ଶିଳ୍ପସହିତ ଜଡ଼ିତ ଥିବା ସଂସ୍ଥାମାନେ ମତବ୍ୟକ୍ତ କରିଛନ୍ତି।