ରିଭ୍ୟୁ: ‘ଜବରିୟା ଯୋଡ଼ି’

ଫ୍ରାଇଡେ’ ରିଲିଜରେ ଏଥର ସିନେମାଘରକୁ ଆସିଛି ପ୍ରଶାନ୍ତ ସିଂଙ୍କ ନିର୍ଦ୍ଦେଶିତ ‘ଜବରିୟା ଯୋଡ଼ି’ । ସିଦ୍ଧାର୍ଥ ମାଲହୋତ୍ରା, ପରିଣୀତି ଚୋପ୍ରା ଓ ଅପାରଶକ୍ତି ଖୁରାନାଙ୍କ ଅଭିନୀତ ଏହି ରୋମାଣ୍ଟିକ୍ କମେଡ଼ି ଫିଲ୍ମ ଦର୍ଶକଙ୍କୁ ଆକୃଷ୍ଟ କରିପାରିନାହିଁ । ବିହାରର ପୃଷ୍ଟଭୂମିକୁ ନେଇ କାହାଣୀ ରଚିତ । ଗନପଏଣ୍ଟରେ ଯୁବକ ଯୁବତୀଙ୍କ ଜବରଦସ୍ତି ବିବାହ ପରମ୍ପରାକୁ ନେଇ କାହାଣୀ ଆଗକୁ ବଢିଛି । କାହାଣୀରେ ଏକ ଭଲ ଦିଗ ପ୍ରତି ଧ୍ୟାନ ଦିଆଯାଇଛି । ଯେଉଁଲୋକ ଯୌତୁକ ଲୋଭୀ ତାହାର ହିଁ ଜବରଦସ୍ତ ବିବାହ କରାଇ ଦିଆଯାଉଛି । ଏହି କାମ କରୁଛନ୍ତି ଫିଲ୍ମର ହିରୋ ଅଭୟ ସିଂ(ସିଦ୍ଧାର୍ଥ ମାଲହୋତ୍ରା) । ଅଭୟ ଆଗାମୀ ଦିନରେ ବିଧାୟକ ହେବାର ଲକ୍ଷ୍ୟ ରଖିଛନ୍ତି । କାହାଣୀ ନୂଆ ମୋଡ଼ ନେଇଛି ।

ଅଭୟ ପିଲାଦିନରେ ବବଲି(ପରିଣୀତି)ଙ୍କୁ ଭଲ ପାଉଥିଲେ । କିନ୍ତୁ ସମୟକ୍ରମେ ସେମାନେ ଅଲଗା ହୋଇଯାଇଛନ୍ତି । ସେମାନେ ଅନେକ ବର୍ଷ ପରେ ପାଟନାରେ ଦେଖା ହୁଅନ୍ତି । ଇତିମଧ୍ୟରେ ବବଲିଙ୍କ ଜୀବନରେ ଅନେକ ଜଣ ଆସିଛନ୍ତି ଏବଂ ସେମାନେ ସମସ୍ତେ ବବଲିଙ୍କୁ ଧୋକା ଦେଇଛନ୍ତି । ଘଟଣାକ୍ରମ ଆଗକୁ ବଢିଛି ଏବଂ ବବଲିଙ୍କୁ ଜେଲ୍ ହୋଇଯାଇଛି । ଏହାପରେ ଅଭୟ ଜବରଦସ୍ତି ବବଲିଙ୍କୁ ଉଠାଇ ଆଣିଛନ୍ତି ଏବଂ ଏହାପରେ କ’ଣ ସବୁ ଘଟୁଛି, ତାହା ଦେଖିବାକୁ ହେଲେ ଦର୍ଶକଙ୍କୁ ଫିଲ୍ମଟି ଦେଖିବାକୁ ପଡ଼ିବ । ୨୨କୋଟି ବଜେଟରେ ନିର୍ମିତ ଏହି ଫିଲ୍ମରେ କାହାଣୀର ଚରିତ୍ରଗୁଡ଼ିକୁ ପରସ୍ପରକୁ ମେଳ ଖାଉନାହିଁ ବୋଲି ମତ ଦେଇଛନ୍ତି ସିନେ ସମୀକ୍ଷକ ଓ ଦର୍ଶକ । ବିହାରର ପୃଷ୍ଟଭୂମିରୁ ଆରମ୍ଭ ହୋଇଥିବା କାହାଣୀରେ ଜବରଦସ୍ତି ପଞ୍ଜାବୀ ଓ ଲକ୍ଷେ୍ମାର ତଡ଼କା ଦେବା ଭଳି ମନେ ହେଉଛି । ଏକତା କପୁର୍, ଶୋଭା କପୁର୍ ଓ ଶୈଲେଶ୍ ଆର୍ ସିଂଙ୍କ ପ୍ରଯୋଜିତ ଏହି ଫିଲ୍ମକୁ ସିନେ କ୍ରିଟିକମାନେ ୫ଅଙ୍କରୁ ୨ ଅଙ୍କ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *