ବିଶେଷାଙ୍କ: ଦେବଦୂତଙ୍କୁ ହରାଇଲା ବଲିଉଡ୍

ବଲିଉଡକୁ ‘ଇଣ୍ଡଷ୍ଟ୍ରୀ’ର ମାନ୍ୟତା ଦେଇ ସାହୁକାର ଓ ଅଣ୍ଡରୱାଲର୍ଲ୍ଡ ଡନମାନଙ୍କ ଦୌରାତ୍ମ୍ୟରୁ ଫିଲ୍ମ ନିର୍ମାତା ଓ ତାରକାଙ୍କୁ ସୁରକ୍ଷା ପ୍ରଦାନ କରି ଆଇରନ୍ ଲେଡି ସୁଷମା ସ୍ୱରାଜ ସାଜିଥିଲେ ମନୋରଞ୍ଜନ ଜଗତର ଦେବଦୂତ । ସେହି ଦେବଦୂତଙ୍କୁ ହରାଇ ବଲିଉଡ୍ ଆଜି ସ୍ତବ୍ଧପ୍ରାୟ । ଲାଗୁଛି ସତେ ଯେମିତି ମନୋରଞ୍ଜନ ଦୁନିଆର ସୁଷମା ହଜିଯାଇଛି । ସୁଷମାଙ୍କ ସ୍ମୃତିସବୁ ତାରକାଙ୍କ ଆଖିର ଲୁହ ହୋଇ ଝରି ପଡ଼ୁଛି । ସୁଷମାଙ୍କ ପାଇଁ କୋହ ଓ ଆବେଗ ଭରା ସ୍ମୃତିରେ ଭରିଯାଇଛି ସୋସିଆଲ୍ ମିଡିଆ । ଏହି ସ୍ମୃତି-ବିସ୍ମୃତିର ଏକ ଭାବଗମ୍ଭୀର ପରିବେଶ ମଧ୍ୟରେ ପୂର୍ବତନ ତଥା ଦେଶର ପ୍ରଥମ ପୂର୍ଣ୍ଣକାଳୀନ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ନେଇ ଏକ ବିଶେଷ ଆଲେଖ୍ୟ –

ବଲିଉଡକୁ ଦେଇଥିଲେ ଇଣ୍ଡଷ୍ଟ୍ରୀର ପରିଚୟ –
ମଙ୍ଗଳବାର ଦିନ ୬୭ ବର୍ଷ ବୟସରେ ହୃଦଘାତରେ ସୁଷମା ଇହ ଜଗତରୁ ବିଦାୟ ନେଇଛନ୍ତି ସତ, କିନ୍ତୁ ବଲିଉଡରେ ସେ ସବୁଦିନ ପାଇଁ ବଂଚି ରହିବେ । ସେ ଥିଲେ ବଲିଉଡର ଦେବଦୂତ । ୧୯୯୮ ମସିହାରେ ଅଟଳ ବିହାରୀ ବାଜପେୟୀଙ୍କ ସରକାର ସମୟରେ ସୁଷମା କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ସୁଷମା ତାଙ୍କର ଏହି କାର୍ଯ୍ୟକାଳ ମଧ୍ୟରେ ବଲିଉଡ୍ ପାଇଁ ଏକ ଅବିସ୍ମରଣୀୟ ଓ ଐତିହାସିକ ପଦକ୍ଷେପ ନେଇଥିଲେ । ସେହି ସମୟରେ ବଲିଉଡର ୨୫ ପ୍ରତିଶତ ଫିଲ୍ମ ସାହୁକାରଙ୍କଠାରୁ ଋଣ ନେଇ ନିର୍ମାଣ କରାଯାଉଥିଲା । ସାହୁକାରମାନେ ୩୬-୪୦ ପ୍ରତିଶତ ଲାଭର ସର୍ତ୍ତ ରଖି ଋଣ ଦେଉଥିଲେ । ଏହା ବ୍ୟତୀତ ବଲିଉଡର ୭୦ ପ୍ରତିଶତ ଫିଲ୍ମ ବଡ଼ ବଡ଼ ବିଲଡର୍, ବିଜନେସମ୍ୟାନ୍ ଓ ବଡ଼ ଗହଣା ବେପାରୀଙ୍କ ଟଙ୍କାରେ ନିର୍ମିତ ହେଉଥିଲା । ୫ ପ୍ରତିଶତ ଫିଲ୍ମରେ ଅଣ୍ଡରୱାଲର୍ଡ଼ ଡନମାନଙ୍କର ଟଙ୍କା ଲାଗୁଥିଲା । ଏସବୁ ସମସ୍ୟାକୁ ଦୂର କରିବା ପାଇଁ ସୁଷମା ବଲିଉଡକୁ ଏକ ଉଦ୍ୟୋଗ ବା ଇଣ୍ଡଷ୍ଟ୍ରୀ ମାନ୍ୟତା ଦେବା ପରେ ଫିଲ୍ମନିର୍ମାତା ଓ ତାରକା ଶାନ୍ତିରେ ନିଃଶ୍ୱାସ ମାରିଥିଲେ । ବଲିଉଡ୍ ଜଗତ ପାଇଁ ଏହା ଥିଲା ସୁଷମାଙ୍କର ଏକ ଅବିସ୍ମରଣୀୟ ଅବଦାନ ।

ସୁଷମାଙ୍କ ସ୍ମୃତିରେ ଭାବବିହ୍ୱଳ ତାରକାଙ୍କ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି –
ସୁଷମାଙ୍କ ବିୟୋଗରେ ଅଭିନୟ ଜଗତର ଚିକମିକ୍ ତାରକାଙ୍କ ଔଜଲ୍ୟ ଆଜି ସମ୍ପୂର୍ଣ୍ଣ ମଳିନ । ସୁଷମାଙ୍କ ସହିତ କଟାଇଥିବା ହସଖୁସିର ମୁହୂର୍ତ୍ତସବୁ କେବଳ ଏକ ସୁଖଦ ସ୍ମୃତି ହୋଇ ରହିଯାଇଛି । ସୁଷମାଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସହ ତାରକାଙ୍କ ସ୍ମୃତିର କିଛି ଝଲକ –

ଅନାଡ଼ି କହୁଥିଲେ କୁଣ୍ଢାଇ ପକାଉଥିଲେ ସୁଷମା: ଧର୍ମେନ୍ଦ୍ର

ସୁଷମାଙ୍କୁ ହରାଇବା ପରେ ବଲିଉଡର ହିମ୍ୟାନ୍ ଧର୍ମେନ୍ଦ୍ର ନିଜର ପ୍ରତିକ୍ରିୟା ଦେଇ ଟ୍ୱିଟ୍ କରିଛନ୍ତି ଯେ ସୁଷମାଙ୍କ ନିଧନ ଖବରରେ ମୁଁ ଅତ୍ୟନ୍ତ ଦୁଃଖିତ । ସେ ମୋର ସାନ ଭଉଣୀ ଥିଲେ । ସେ ମୋତେ ଅନାଡ଼ି କହି କୁଣ୍ଢାଇ ପକାଉଥିଲେ । କେବଳ ଭାରତ କାହିଁକି ବିଶ୍ୱସ୍ତରରେ ସେ ଜଣେ ଲୋକପ୍ରିୟ ରାଜନେତ୍ରୀ ଥିଲେ । ତାଙ୍କୁ କେବେମଧ୍ୟ ଭୁଲିହେବ ନାହିଁ । ମୁଁ ତାଙ୍କ ଆତ୍ମାର ସଦଗତି କାମନା କରୁଛି ।


ମୋ ଉଚ୍ଚତାକୁ ନେଇ ସୁଷମା ସ୍ୱରାଜ ଦେଇଥିଲେ ମଜାଦାର୍ ମନ୍ତବ୍ୟ: ବିଗ୍ ବି


ସୁଷମାଙ୍କ ନିଧନରେ ମ୍ରିୟମାଣ ହୋଇପଡ଼ିଥିବା ବିଗ୍ ବି ଏକ ସୁନ୍ଦର କବିତା ସହ ସୁଷମାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । କବିତାଟି ହେଉଛି –
‘ ମୃଦୁଭାଷୀ ସମ୍ମୋହକ ବକ୍ତା ମିଲନସାର୍ ଦୁଃଖହର୍ତ୍ତା,
ସୁଷମା ଜୀ ଜୈସୋଁ କା ରିକ୍ତ ସ୍ଥାନ କଭି ନେହିଁ ଭରତା’ ।
ସୁଷମାଙ୍କ ସ୍ମୃତିଚାରଣ କରିବାକୁ ଯାଇ ବିଗ୍ ବି କହିଛନ୍ତି ଯେ ୨୦୧୨ରେ ଅନୁଷ୍ଠିତ ଏକ ସମ୍ମାନପ୍ରଦାନ ସମାରୋହରେ ସୁଷମା ଜୀ ଓ ମୋତେ ସମ୍ମାନିତ କରାଯାଇଥିଲା । ଏହାପରେ ଏକ ଗ୍ରୁପ୍ ଫଟୋ ପାଇଁ ମୁଁ ସୁଷମାଙ୍କ ପାଶ୍ୱର୍ରେ ଠିଆ ହୋଇଥିଲି । ଏହି ମଉକାରେ ସୁଷମା ମୋତେ ଧୀରେ କହିଥିଲେ ଯେ ‘ଆପଣଙ୍କ ଭାଗ୍ୟରେ ଏଭଳି ଜଣେ ମହିଳାଙ୍କ ସହିତ ଫଟୋ ଉଠାଇବା ପାଇଁ ଲେଖାଥିଲା, ଯିଏକି ଆପଣଙ୍କ ଉଚ୍ଚତାଠାରୁ ଖୁବ୍ ସାନ । ଏହାର ଉତ୍ତରରେ ବିଗ୍ ବି କହିଥିଲେ ଯେ ମୁଁ ଉଚ୍ଚତାରେ ବଡ଼ । କିନ୍ତୁ ଆଜି ଆପଣଙ୍କ ପରି ବିଶିଷ୍ଟ ବ୍ୟକ୍ତିଙ୍କ ଗହଣରେ ମୁଁ ହେଉଛି ଜଣେ ବାମନ’ । ବିଗ୍ ବିଙ୍କ ପାଇଁ ସେହି ସବୁ ମୁହୂର୍ତ୍ତ ଥିଲା ବେଶ୍ ଆନନ୍ଦ ଦାୟକ ।


ସୁଷମା ଜି ଓ ମୋ ସମ୍ପର୍କ ଖୁବ୍ ସ୍ନେହଭରା ଥିଲା: ସବାନା ଆଜମି
ବଲିଉଡ୍ ପାଇଁ ସୁଷମାଙ୍କ ଅବଦାନ ଅବିସ୍ମରଣୀୟ । ରାଜନୈତିକ କ୍ଷେତ୍ରରେ ସୁଷମା ଓ ମୋ ଭିତରେ ମତଗତ ପାର୍ଥକ୍ୟ ଥିଲେ ମଧ୍ୟ ସାମାଜିକ ସ୍ତରରେ ସୁଷମା ଓ ମୋ ସମ୍ପର୍କ ଖୁବ୍ ସ୍ନେହଭରା ଥିଲା । ବଲିଉଡକୁ ଇଣ୍ଡଷ୍ଟ୍ରିରେ ପରିଣତ କରାଇବା ସମୟରେ ସେ ମୋତେ କହିଥିଲେ ଯେ ମୁଁ ତାଙ୍କର ନବରତ୍ନ ମଧ୍ୟରୁ ଗୋଟିଏ । ଏହି ସମ୍ମାନ ମୋ ପାଇଁ ବହୁତ ବଡ଼ । ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ ।


ସବୁବେଳେ ସୁଷମା ଜି ମୋ ନୃତ୍ୟକୁ ପ୍ରଶଂସା କରିଛନ୍ତି: ହେମାମାଳିନୀ
ସୁଷମା ସ୍ୱରାଜଙ୍କ ମୃତ୍ୟୁ ଖବରରେ ହେମାମାଳିନୀ ମିୟମ୍ରାଣ ହୋଇପଡ଼ିଛନ୍ତି । ସୁଷମାଙ୍କ ସ୍ମୃତିକୁ ମନେପକାଇ ହେମା କହିଛନ୍ତି ଯେ ସୁଷମା ଜୀ ସବୁବେଳେ ମୋ ନୃତ୍ୟକୁ ପ୍ରଶଂସା କରୁଥିଲେ । ବିଶେଷ ଭାବେ ‘ଗଙ୍ଗା’ର ନୃତ୍ୟଶୈଳୀ ତାଙ୍କୁ ଖୁବ୍ ପସନ୍ଦ ହୋଇଥିଲା । ସେ ସାର୍ବଜନୀନ ଭାବେ ମୋ ନୃତ୍ୟର ପ୍ରଶଂସା କରିବା ସହ ଉତ୍ସାହିତ କରୁଥିଲେ । ସେ ଜଣେ ନିର୍ମଳ ହୃଦୟର ମହିଳା ଥିଲେ । ତାଙ୍କର ବିୟୋଗରେ ଏକ ଯୁଗର ଅବସାନ ଘଟିଛି । କ୍ୟାବିନେଟରେ ଜଣେ ବରିଷ୍ଠ ମନ୍ତ୍ରୀ ଭାବେ ସେ ଖୁବ୍ ସଫଳତାର ସହ ନିଜ ଦାୟିତ୍ୱ ନିର୍ବାହ କରିଥିଲେ । ସେ ସବୁବେଳେ ସମସ୍ତଙ୍କ ମନରେ ଜୀବିତ ରହିବେ ।


ମୁଁ ମର୍ମାହତ: ଅକ୍ଷୟ କୁମାର
ଅକ୍ଷୟ କୁମାର ସୁଷମା ସ୍ୱରାଜଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ କହିଛନ୍ତି ଯେ ସୁଷମାଙ୍କ ମୃତ୍ୟୁ ଖବରରେ ମୁଁ ଅତ୍ୟନ୍ତ ଦୁଃଖୀ । ସେ ଜଣେ ଚଳଚଞ୍ଚଳ ନେତ୍ରୀ ଥିଲେ । ରାଜନୈତିକ କ୍ଷେତ୍ରରେ ବିରୋଧୀ ପକ୍ଷ ମଧ୍ୟ ତାଙ୍କୁ ସମ୍ମାନ ଦେଉଥିଲେ । ତାଙ୍କର ପରିବାର ପାଇଁ ମୁଁ ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଛି ।


ସମଗ୍ର ଭାରତ ପାଇଁ ଅପୂରଣୀୟ କ୍ଷତି: ଅଜୟ ଦେବଗନ୍
ଅଚାନକ ସୁଷମା ଜୀଙ୍କ ମୃତ୍ୟୁ ଖବରରେ ମୁଁ ବିଚଳିତ ହୋଇପଡ଼ିଥିଲି । ସେ ଜଣେ ବହୁମୁଖୀ ପ୍ରତିଭାସମ୍ପନ୍ନ ଓ ପ୍ରଭାବଶାଳୀ ନେତ୍ରୀ ଥିଲେ । ତାଙ୍କର ବ୍ୟକ୍ତିତ୍ୱ ସମସ୍ତଙ୍କ ପାଇଁ ଏକ ଉଦାହରଣ । ସୁଷମା ଜୀଙ୍କ ସ୍ଥାନ କେହି ପୂରଣ କରିପାରିବେ ନାହିଁ । ଭଗବାନ ତାଙ୍କର ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ ।

ଫିଲ୍ମ ଢିସୁମ୍ରେ ନଜର ଆସିଥିଲା ସୁଷମାଙ୍କ ପ୍ରତିଛବି


ସୁଷମାଙ୍କ ବ୍ୟକ୍ତିତ୍ୱ ତାଙ୍କର ସବୁଠାରୁ ବଡ଼ ପରିଚୟ ଥିଲା । ଏଭଳି ଜଣେ ଉଚ୍ଚକୋଟୀର ବ୍ୟକ୍ତିତ୍ୱସମ୍ପର୍ଣ୍ଣ ନେତ୍ରୀଙ୍କୁ କାହାଣୀର ଏକ ଚରିତ୍ର ଭାବେ ପରଦା ଉପରକୁ ଆଣିଥିଲା ବଲିଉଡ୍ । ୨୦୧୬ରେ ରିଲିଜ୍ ହୋଇଥିବା ଜନ୍ ଆବ୍ରାହମ୍ ଓ ବରୁଣ ଧୱନ୍ଙ୍କ ଅଭିନୀତ ‘ଢିସୁମ୍’ର ଏକ ଦୃଶ୍ୟ ସୁଷମାଙ୍କୁ ଉତ୍ସର୍ଗ କରାଯାଇଥିଲା । ବିଦେଶ ମନ୍ତ୍ରୀ ସୁଷମାଙ୍କ ଚରିତ୍ରରେ ଥିଲେ ଅଭିନେତ୍ରୀ ମୋନା ଅମ୍ବେଗାଭଁକର୍ । କାହାଣୀ ଅନୁଯାୟୀ ମୋନା ଗାୟତ୍ରୀ ଚରିତ୍ରରେ ଥିଲେ ଏବଂ ତାଙ୍କୁ ରକ୍ଷା ମନ୍ତ୍ରୀ ଭାବେ ଚିତ୍ରଣ କରାଯାଇଥିଲା । କିନ୍ତୁ ମୋନାଙ୍କ ଚରିତ୍ର ଓ ମେକଅପ୍ ଦେଖିବା ପରେ ଯେ କେହି ମଧ୍ୟ କହିପାରିବେ ଯେ ଏହା ସୁଷମା ସ୍ୱରାଜଙ୍କ ଦ୍ୱାରା ପ୍ରଭାବିତ ହୋଇଥିଲା ।

Leave a Reply

Your email address will not be published. Required fields are marked *