୫୭୦୦ ଫୁଟ୍ ଉଚ୍ଚରେ ପ୍ରସ୍ତୁତ ହେଲା କାରଗିଲର ସେଟ୍
ଜର୍ଜିଆଠାରେ କରଣ ଜୋହରଙ୍କ ଫିଲ୍ମ ‘କାରଗିଲ୍ ଗାର୍ଲ’ର ସୁଟିଂ ଜୋରସୋରରେ ଚାଲିଛି । କାରଗିଲ୍ ଯୁଦ୍ଧରେ ସହିଦ୍ ହୋଇଥିବ ମହିଳା ପାଏଲଟ୍ ଗୁଞ୍ଜନ ଶର୍ମାଙ୍କ ଜୀବନୀକୁ ନେଇ ଫିଲ୍ମର କାହାଣୀ ରଚିତ । ଏଥିରେ ଜାହ୍ନବୀ କପୁର୍ ମୁଖ୍ୟ ଭୂମିକାରେ ଥିବାବେଳେ ତାଙ୍କର ଭାଇ ଭୂମିକାରେ ଅଛନ୍ତି ଅଙ୍ଗଦ ବେଦି । ଏହାର ସୁଟିଂ ପାଇଁ ଏବେ ଜର୍ଜିଆର କାଜବେଗି ପାହାଡ଼ିଆ ଅଞ୍ଚଳରେ କାରଗିଲର ଏକ ସେଟ୍ ନିର୍ମାଣ କରାଯାଇଛି । ଏଭଳି କରିବା ପଛର କାରଣ ହେଉଛି କାରଗିଲ୍ ଅଞ୍ଚଳରେ ବର୍ତ୍ତମାନ କରଣଙ୍କ ଆଉ ଏକ ଫିଲ୍ମ ‘ଶେରଶାହ’ର ସୁଟିଂ ଚାଲିଛି । ତେଣୁ ଜଣେ ପ୍ରଯୋଜକଙ୍କର ଦୁଇଟି ପ୍ରୋଜେକ୍ଟ ଏକାସାଙ୍ଗରେ କାରଗିଲରେ ସୁଟିଂ କରିବା ପାଇଁ ପରମିସନ୍ ମିଳିନଥିଲା । ସେଥିପାଇଁ ବାଧ୍ୟହୋଇ କରଣ ଜର୍ଜିଆରେ କାରଗିଲର ଏକ ସେଟ୍ ନିର୍ମାଣ କରିଛନ୍ତି ।
ସମୁଦ୍ର ପତନରୁ ପ୍ରାୟ ୫୭୦୦ ଫୁଟ୍ ଉଚ୍ଚରେ ଥିବା ଜର୍ଜିଆର କାଜବେଗି ଅଞ୍ଚଳ ଦେଖିବାକୁ ପାଖାପାଖି କାରଗିଲ୍ ଭଳି । ତେଣୁ ସେଠାରେ ନିର୍ମିତ ସୁଟିଂ ସେଟ୍ ପରଦା ଉପରେ ଅବିକଳ କାରଗିଲ୍ ଭଳି ଦେଖାଯିବ । ଏହି ସୁଟିଂ ସେଟରେ ସମସ୍ତ କ୍ରୁ ମେମ୍ବରଙ୍କ ସହିତ ଅନ୍ୟ କେତେଜଣ ଜୁନିୟର୍ ଆର୍ଟିଷ୍ଟ୍ ମଧ୍ୟ ଅଛନ୍ତି । ଖୁବ୍ ଶୀଘ୍ର ଏହି ଫିଲ୍ମର ସୁଟିଂ ସାରିବା ପାଇଁ ଟିମ୍ ଲକ୍ଷ୍ୟ ରଖିଛନ୍ତି ।