ଜମ୍ମୁ ଓ କଶ୍ମୀର: ଉଠିଗଲା ୩୭୦, ଦୁଇ କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ
ଜମ୍ମୁ ଓ କଶ୍ମୀର ଆଉ ରାଜ୍ୟ ହୋଇ ରହିବ ନାହିଁ। ଏଣିକି କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ପରିଚିତ ହେବ । ଏନେଇ ଏକ ସ୍ଵତନ୍ତ୍ର ବିଲ୍କୁ ସ୍ଵରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ସଂସଦରେ ଆଗତ କରିଛନ୍ତି। ଏହି ଘୋଷଣା ଅନୁସାରେ ଜମ୍ମୁ କଶ୍ମୀରକୁ ସମ୍ବିଧାନର ଧାରା ୩୭୦ ଅନୁସାରେ ମିଳିଥିବା ସ୍ଵତନ୍ତ୍ର ମର୍ଯ୍ୟାଦାକୁ ଉଠାଇ ନିଆଯାଇଛି। ଅର୍ଥାତ୍ ଜମ୍ମୁ ଓ କଶ୍ମୀର ଦେଶର ଅନ୍ୟ ରାଜ୍ୟ ଭଳି ସମାନ ସୁବିଧା ଓ ସାମ୍ବିଧାନିକ ମର୍ଯ୍ୟାଦା ଲାଭ କରିବ।
ଏହି ଘୋଷଣା ଦ୍ଵାରା ୧୯୫୪ ମସିହାରୁ ଜମ୍ମୁ ଓ କଶ୍ମୀର ରାଜ୍ୟ ପାଇଁ ଲାଗୁ ହୋଇଥିବା ଧାରା ୩୫ (କ) ଆପେ ଆପେ କାଟ୍ ଖାଇଛି।
ସ୍ଵରାଷ୍ଟ୍ରମନ୍ତ୍ରୀ ଶ୍ରୀ ଶାହ କହିଛନ୍ତି, ଜମ୍ମୁ ଓ କଶ୍ମୀରରୁ ସ୍ଵତନ୍ତ୍ର ରାଜ୍ୟ ପାହ୍ୟା ସମ୍ବନ୍ଧିତ ଧାରା ୩୭୦କୁ କେନ୍ଦ୍ର ସରକାର ଉଠାଇଦେବା ଲାଗି ନିଷ୍ପତ୍ତି ନେଇଛନ୍ତି। ଏହା ସହ କେନ୍ଦ୍ର ସରକାର ଜମ୍ମୁ ଓ କଶ୍ମୀର ରାଜ୍ୟକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ବିଭକ୍ତ କରିଛନ୍ତି। ଗୋଟିଏ ଜମ୍ମୁ ଓ କଶ୍ମୀର ଏବଂ ଅନ୍ୟଟି ଲଦାଖ। ଜମ୍ମୁ ଓ କଶ୍ମୀର ପାଇଁ ଗୋଟିଏ ବିଧାନସଭାର ବ୍ୟବସ୍ଥା କରାଯାଇଛି। କିନ୍ତୁ ଲଦାଖରେ କୌଣସି ବିଧାନସଭା ରହିବ ନାହିଁ।