ନିମ୍ନମାନର ଔଷଧ ପରେ କଳିଙ୍ଗ ହସ୍ପିଟାଲରେ ଅଲଟ୍ରାସାଉଣ୍ଡ ମେସିନ୍‍ ଅପବ୍ୟବହାର ଆରୋପ: ଅନ୍ୟ ଘରୋଇ ହସ୍ପିଟାଲ୍‍ ବି ସନ୍ଦେହ ନଜରରେ

ଭୁବନେଶ୍ୱର, (ଓଟି): ରାଜ୍ୟର ପ୍ରଥମ ଘରୋଇ ବହୁ ବିଶେଷଜ୍ଞ ବିଭାଗୀୟ ହସ୍‍ପିଟାଲ୍‍ “କଳିଙ୍ଗ ହସ୍‍ପିଟାଲ୍‍’ ଉପରେ ଦିନକୁ ଦିନ ସଙ୍କଟ ବଢ଼ିବାରେ ଲାଗିଛି । ପ୍ରଥମେ ସରକାରଙ୍କ ପକ୍ଷରୁ ଓଏସ୍‍ଟିଏଫ୍‍ ଅନୁମୋଦନ ପ୍ରତ୍ୟାହାର ପରେ ଡ୍ରଗ୍‍ କଣ୍ଟ୍ରେଲର୍‍ଙ୍କ ପକ୍ଷରୁ ହସ୍ପିଟାଲର ଫାର୍ମାସୀ ଯାଞ୍ଚ ଓ ନିମ୍ନ ମାନର ଔଷଧ ବ୍ୟବହାର ଅଭିଯୋଗ ଅଣାଯିବା ପରେ ଆଜି ଅଲଟଆ ସାଉଣ୍ଡ ମସିନର ଦୂରୂପଯୋଗ ହେଉଥିବା ଆରୋପ ଆଣିଛି ସ୍ୱାସ୍ଥ୍ୟ ବିଭାଗ ।

ଏକ ସ୍ୱତନ୍ତ୍ର ଅଭିଯାନରେ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗର ପିସିପିଏନ୍‍ଡିଟି ସେଲ୍‍ ପକ୍ଷରୁ ସୋମବାର ମିଳିତ ଭାବେ ହସ୍ପିଟାଲ ଉପରେ ଚଢ଼ଉ ହୋଇଥିଲା । ଚଢ଼ଉ ସମୟରେ ଡାକ୍ତରଖାନାରେ ପିସିପିଏନ୍‍ଡିଟି ଆଇନ୍‍ କିଭଳି କାର୍ଯ୍ୟକାରୀ ହେଉଛି ତାହାର ଟିକିନିଖି ଯାଞ୍ଚ କରାଯାଇଥିଲା । ଯାଞ୍ଚ ସମୟରେ ଦେଖାଗଲା ଯେ ବହୁ ସ୍ଥାନରେ ଆଇନ ବର୍ହିଭୂତ କାର୍ଯ୍ୟ ହୋଇଛି । ଅଲଟ୍ରାସାଉଣ୍ଡ କରୁଥିବା ପ୍ରସୂତୀମାନଙ୍କର ରେକର୍ଡପତ୍ର ଠିକଣା ଭାବେ ମିଳି ନଥିଲା । ପ୍ରସୂତୀମାନଙ୍କ ପାଇଁ ଉଦ୍ଦିଷ୍ଟ ଫର୍ମ ‘ଏଫ୍‍’ରେ ଅଲଟ୍ରାସାଉଣ୍ଡ କରୁଥିବା ଡାକ୍ତରଙ୍କ ଦସ୍ତଖତ ବାଧ୍ୟତାମୂଳକ ଥିବାବେଳେ ଅନେକ ଫର୍ମରେ ଡାକ୍ତରଙ୍କ ଦସ୍ତଖତକୁ ଯାଞ୍ଚ ଅଧିକାରୀମାନେ ପାଇନଥିଲେ । ଏଥିଯୋଗୁଁ ଏଠାରେ ଗର୍ଭସ୍ଥ ଶିଶୁର ଲିଙ୍ଗ ନିରୂପଣ ଚାଲିଥିବା ନେଇ ଯାଞ୍ଚ ଅଧିକାରୀଙ୍କର ସନ୍ଦେହଜାତ ହୋଇଥିଲା । ଆଇନ୍‍ ଉଲ୍ଲଙ୍ଘନ ଅଭିଯୋଗରେ କଳିଙ୍ଗ ହସ୍ପିଟାଲର ଦୁଇଟି ଅଲଟ୍ରାସାଉଣ୍ଡ ମେସିନକୁ ଆଜି ସିଲ୍‍ କରାଯାଇଛି । ପୂର୍ବରୁ ଖୋରଧା ଜିଲ୍ଲା ପ୍ରଶାସନ ମଧ୍ୟ ଗୋଟିଏ ଅଲଟ୍ରାସାଉଣ୍ଡ ମେସିନ୍‍କୁ ସିଲ୍‍ କରିଥିଲା । ଆଜି ଦୁଇଟି ମେସିନ୍‍ ସିଲ୍‍ ସହିତ ଆଇନ୍‍ ଉଲ୍ଲଙ୍ଘନ ନେଇ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ସହକାରୀ ଜିଲ୍ଲାପାଳ ପୂରନ୍ଦର ନନ୍ଦଙ୍କ ସମେତ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅଧିକାରୀ, ପରିବାର କଲ୍ୟାଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଡାକ୍ତର ବିନୋଦ ବିହାରୀ ରଥ ଓ ପିସିପିଏନ୍‍ଡିଟି ସେଲ୍‍ର ଆଇନ୍‍ ଅଧିକାରୀ ମନୋରଞ୍ଜନ ପ୍ରଧାନ ପ୍ରମୁଖ ଚଢାଉରେ ଅଂଶଗ୍ରହଣ କରିଥିଲେ ।

ଗତ ସପ୍ତାହରେ ଡ୍ରଗ୍ସ କଣ୍ଟ୍ରୋଲ ଦପ୍ତର ପକ୍ଷରୁ ମଧ୍ୟ କଳିଙ୍ଗ ହସ୍ପିଟାଲ ଉପରେ ଅଚାନକ ଚଢାଉ କରାଯାଇ ଔଷଧ ଗୁଡିକୁ ଯାଞ୍ଚ କରାଯାଇଥିଲା । ଯାଞ୍ଚ ସମୟରେ ୬ଟି ଔଷଧ ଉପରେ ସନ୍ଦେହ ହେବାରୁ ତାକୁ ଜବତ କରାଯିବା ସହିତ ପରୀକ୍ଷାପାଇଁ ପଠାଯାଇଛି । ପରୀକ୍ଷା ନମୂନା ନଆସିବା ପର୍ଯ୍ୟନ୍ତ ଡାକ୍ତରଖାନା କର୍ତ୍ତୃପକ୍ଷ ଏହି ଔଷଧ ବିକ୍ରି କିମ୍ବା ବ୍ୟବହାର ଉପରେ କର୍ତ୍ତୃପକ୍ଷ କଟକଣା ଜାରି କରିଛନ୍ତି । ଏହା ପୂର୍ବରୁ ବିଧାୟକଙ୍କୁ ର୍ଦୁବ୍ୟବହାର ଅଭିଯୋଗର ତଦନ୍ତ ରିପୋର୍ଟ ଆସିବାପରେ ରାଜ୍ୟ ସରକାର କଳିଙ୍ଗ ହସ୍ପିଟାଲର ଓଏସ୍‍ଟିଏଫ୍‍ ସୁବିଧାକୁ ସାମୟିକ ଭାବେ ପ୍ରତ୍ୟାହାର କରିନେଇଛନ୍ତି ।

ଏଠାରେ ପ୍ରଶ୍ନ ଉଠୁଛି, କଳିଙ୍ଗ ହସ୍‍ପିଟାଲ୍‍ର ଏସବୁ ଅନିୟମିତତା କ’ଣ ଆଜିର? ଯଦି ଏହା ଏକ ନିୟମିତ ବ୍ୟାପର ତେବେ ସ୍ୱାସ୍ଥ୍ୟ ବିଭାଗ ଏଯାଏ ଶୋଇଥିଲା କାହିଁକି? ପୁଣି ଏକା ସଙ୍ଗେ ସବୁଯାକ ଅନିୟମିତତା ଅଭିଯୋଗ ବିଭାଗ ପାଖରେ ପହଞ୍ଚିଛି କିପରି ନା ବିଭାଗ ଏଗୁଡ଼ିକୁ ଚାବି ରଖିଥିଲା ନିର୍ଦ୍ଧିଷ୍ଟ ସମୟକୁ? ଏପରି ଅଭିଯୋଗରେ ହସ୍‍ପିଟାଲ୍‍ କର୍ତ୍ତୃପକ୍ଷ ଓ ସ୍ୱାସ୍ଥ୍ୟ ବିଭାଗ ଭିତରେ ମଧୁଚନ୍ଦ୍ରିକା ବିଷୟକୁ ବି ଏଡ଼ାଯାଇ ନପାରେ । ଯଦି ତାହା ସତ, ତେବେ ଏପରି ନିମ୍ନମାନର ଔଷକ୍ଷ ଏବଂ ଅଲ୍ଟଆ ସାଉଣ୍ଡ ମେସିନ୍‍ର ଅପବ୍ୟବହାର ଅନ୍ୟ ଘରୋଇ ପ୍ରିମିୟମ୍‍ ହସ୍‍ପିଟାଲ୍‍କୁଡ଼ିକରେ ଚାଲିଥିବା ପ୍ରସଙ୍ଗକୁ ଏଡ଼ାଯାଇ ନପାରେ!

Leave a Reply

Your email address will not be published. Required fields are marked *