ଉଠାଦୋକାନୀଙ୍କ ସମସ୍ୟା ନେଇ ବିଧାୟକ ନୀଲୁ ଷଡ଼ଙ୍ଗୀଙ୍କ ଉଦ୍ବେଗ
ଭୁବନେଶ୍ଵର, (ଓଟି): ପୁରୀ ଜିଲ୍ଲା ପ୍ରଶାସନର ଅଦୂରଦର୍ଶିତାର ନିଦର୍ଶନ ରଖିଛନ୍ତି ବିଧାୟକ ଜୟନ୍ତ ( ନୀଲୁ) ଷଡ଼ଙ୍ଗୀ। ବିଧାନସଭାରେ ଉଠାଦୋକାନୀଙ୍କ ସମସ୍ୟା ବିଷୟରେ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିବା ସମୟରେ ସେ ଏହା ସ୍ପଷ୍ଟ କରିଛନ୍ତି। ରଥଯାତ୍ରା ଉତ୍ସବ ଶେଷ ହେବାର ୧୫ ଦିନ ବିତିଥିଲେ ମଧ୍ୟ ବଡ଼ଦାଣ୍ଡର ଉଠାଦୋକାନୀଙ୍କୁ ଥଇଥାନ ନକରାଯିବା ନେଇ ସେ ଉଦ୍ବେଗ ପ୍ରକାଶ କରିଛନ୍ତି।
ବିଧାନସଭାରେ ଏକ ଦୃଷ୍ଟିଆକର୍ଷଣକାରୀ ନୋଟିସ୍ ଦେଇ ଶ୍ରୀ ଷଡ଼ଙ୍ଗୀ ବାଚସ୍ପତିଙ୍କ ମାଧ୍ୟମରେ ସରକାରଙ୍କୁ ଆବଶ୍ୟକ ପଦକ୍ଷେପ ନେବା ଲାଗି ଅନୁରୋଧ କରିଛନ୍ତି। ସେ କହିଛନ୍ତି, ପୁରୀର ବଡ଼ଦାଣ୍ଡ ହେଉଛି ନିମ୍ନ ଆୟକାରୀ ବର୍ଗଙ୍କ ଲାଗି ଏକ ରୋଜଗାରର ସ୍ଥାନ। ଏହିଠାରେ ପାଖାପାଖି ୫୦୦ରୁ ଅଧିକ ପରିବାର ଉଠାଦୋକାନ ମଧ୍ୟମରେ ଗୁଜରାଣ ମେଣ୍ଟାଇଥାଆନ୍ତି। ଯେହେତୁ ପୁରୀରେ କୌଣସି ଶିଳ୍ପ ବା ନିଯୁକ୍ତି ସଂସ୍ଥାନ ନାହିଁଁ, ପୁରୀ ଶ୍ରୀମନ୍ଦିରକୁ ଆସୁଥିବା ଯାତ୍ରୀଙ୍କୁ ସେବା ଯୋଗାଇବା ଏବଂ ସେମାନଙ୍କ ଆଗ୍ରହ ଅନୁସାରେ ଜିନିଷ ବିକି ସେମାନେ କିଛଇ ରୋଜଗାର କରନ୍ତି। କିନ୍ତୁ ଗଲା ମାସେ ହେଲା ସେମାନଙ୍କ ଉପରେ ସଙ୍କଟ ମାଡ଼ି ବସିଛି।
ଏ ଭିତରେ ଶ୍ରୀଜିଉଙ୍କ ଶ୍ରୀମନ୍ଦିର ବିଜେର ୧୫ ଦିନ ବିତିଲାଣି କିନ୍ତୁ ଉଠାଦେକାନୀଙ୍କୁ ନିଜର ପସରା ଖୋଲିବା ଲାଗି ପ୍ରଶାସନ ଅନୁମତି ଦେଉ ନାହାନ୍ତି। ଫଳରେ ପ୍ରତିଦିନ ଏହି ଦୋକାନୀମାନେ ଜିଲ୍ଲାପାଳ ବା ବିଧାୟକଙ୍କ କାର୍ଯ୍ୟାଳୟ ଓ ବାସସ୍ଥାନରେ ଗୁହାରି ପାଇଁ ଜମା ହେଉଛନ୍ତି। ସେମାନଙ୍କ ବ୍ୟବସାୟ ଲାଗି ବିକଳ୍ପ ସ୍ଥାନ ନ ଯୋଗାଇ ସେମାନଙ୍କ ବେଦଖଲ କରାଯିବା ଅମାନବିକ ଓ ଅତ୍ୟାଚାର ବୋଲି ଶ୍ରୀ ଷଡ଼ଙ୍ଗୀ ଅଭିହିତ କରିଛନ୍ତି।
ଯେହେତୁ ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତଙ୍କ ଲାଗି ସେମାନେ ତିଲକ, ମାଳି, ଜଗନ୍ନାଥ ଫଟୋ, ଶଙ୍ଖ ଆଦି ବିକ୍ରି କରିଥାଆନ୍ତି ସେମାନଙ୍କୁ ସେହି ପାଖରେ ହିଁ ପସରା ଖୋଲିବାର ଅନୁମତି ଦେବା ଲାଗି ଜିଲ୍ଲାପ୍ରଶାସନକୁ ନିର୍ଦେଶ ଦେବାକୁ ଶ୍ରୀ ଷଡ଼ଙ୍ଗୀ ଦାବି କରିଛନ୍ତି।