ବଲିଉଡର ପ୍ରଥମ ସାଇନ୍ସ ଫିକ୍ସନ୍ ଫିଲ୍ମ ‘ଚାନ୍ଦ୍ ପର୍ ଚଢ଼ାଇ’, ଲତାଜୀଙ୍କ କଣ୍ଠରେ ସଜା ହୋଇଥିଲା ସଙ୍ଗୀତ

ଇସ୍ରୋ ପକ୍ଷରୁ ‘ଚନ୍ଦ୍ରଯାନ ୨’ର ସଫଳ ଉତ୍ତକ୍ଷେପଣ କରାଯାଇଛି । ବିଭିନ୍ନ ବୁଦ୍ଧିଜୀବୀ ମହଲ ସହିତ ମନୋରଞ୍ଜନ ଦୁନିଆର ତାରକାମାନେ ଏହାକୁ ନେଇ ତାଙ୍କର ଖୁସିକୁ ଟ୍ୱିଟ୍ ମାଧ୍ୟମରେ ସେୟାର୍ କରିଛନ୍ତି । ବିଜ୍ଞାନ ଦୁନିଆର ଅପାର ସଫଳତାକୁ ବଲିଉଡ୍ ମଧ୍ୟ ପରଦାରେ ସ୍ଥାନ ଦେଇଛି । ଏହି ଧାରାରେ ଆଗାମୀ ଅଗଷ୍ଟ ୧୫ ତାରିଖରେ ରିଲିଜ୍ ହେବାକୁ ଯାଉଛି ଅକ୍ଷୟଙ୍କ ଅଭିନୀତ ‘ମିଶନ୍ ମଙ୍ଗଲ’ । ଏହା ପୂର୍ବରୁ ମଧ୍ୟ ବଲିଉଡରେ ଅନେକଥର ସାଇନ୍ସ ଫିକ୍ସନ୍ ଫିଲ୍ମ ରିଲିଜ୍ ହୋଇସାରିଛି । କିନ୍ତୁ ଆପଣ ଜାଣିଛନ୍ତି କି ବଲିଉଡର ପ୍ରଥମ ସାଇନ୍ସ ଫିକ୍ସନ୍ ଫିଲ୍ମର ନାଁ କ’ଣ ଥିଲା ଏବଂ କିଏ ଏଥିରେ ଅଭିନୟ କରିଥିଲେ? ଏହାର ଉତ୍ତରରେ କହିରଖୁଛୁ ଯେ ବଲିଉଡର ପ୍ରଥମ ସାଇନ୍ସଭିତ୍ତିକ ଫିଲ୍ମ ଥିଲା ‘ଚାନ୍ଦ୍ ପର୍ ଚଢ଼ାଇ’ । ୧୯୭୬ ମସିହାରେ କାବେରୀ ପ୍ରଡକସନ୍ ପକ୍ଷରୁ ଏହି ଫିଲ୍ମର ନିର୍ମାଣ କରାଯାଇଥିଲା । ଏଥିରେ ମୁଖ୍ୟ ଭୂମିକାରେ ଥିଲେ ଦାରା ସିଂ । ଏଥିରେ ଦାରା ସିଂଙ୍କ ବ୍ୟତୀତ ହେଲେନ୍, ଅନବର ହୁସେନ୍, ପଦ୍ମା ଖାନ୍ନା, ଭଗବାନ ଦାଦା ଓ ସିରତ୍ନା ମଧ୍ୟ ଅଭିନୟ କରିଥିଲେ । ଏହାର ନିର୍ଦ୍ଦେଶନା ଦେଇଥିଲେ ଟି ପି ସୁନ୍ଦରମ୍ । ଉଷା ଖାନ୍ନା ଫିଲ୍ମରେ ମ୍ୟୁଜିକ୍ ଦେଇଥିଲେ ଏବଂ ଏହାର ଅଧିକାଂଶ ଗୀତ ଶୁଣିବାକୁ ମିଳିଥିଲା ଲତାଜୀଙ୍କ କଣ୍ଠରୁ । ଅନ୍ୟ ସିଙ୍ଗର୍ ମଧ୍ୟରେ ଥିଲେ ମହମ୍ମଦ ରଫି, ସୁମନ କଲ୍ୟାଣପୁର, କମଲ ବାରୋଟ୍ ଓ ଆଶା ଭୋସଲେ । ଫିଲ୍ମର ନାଁ ଭଳି ଏହାର କାହାଣୀ ମଧ୍ୟ ଖୁବ୍ ମନଲାଖି ଥିଲା । କାହାଣୀ ଅନୁଯାୟୀ ଅନ୍ତରୀକ୍ଷ ଯାତ୍ରୀ କ୍ୟାପଟେନ୍ ଆନନ୍ଦ (ଦାରା ସିଂ) ତାଙ୍କର ସହଯୋଗୀ ଭାଗୁ ଚନ୍ଦ୍ରରେ ପାଦ ଦିଅନ୍ତି । ସେଠାରେ ପହଞ୍ଚିବା ପରେ ଅନ୍ୟ ଗ୍ରହର ପ୍ରାଣୀ ଓ ମନଷ୍ଟରମାନଙ୍କ ସହିତ କ୍ୟାପଟେନ୍ ଆନନ୍ଦ ଓ ଭାଗୁଙ୍କର ଯୁଦ୍ଧ ହୁଏ । ଏହାକୁ ନେଇ କାହାଣୀ ଆଗକୁ ବଢ଼େ । ଏହି ଫିଲ୍ମର ମୁଖ୍ୟ ଆକର୍ଷଣ ଥିଲା ବ୍ଲାକ୍ ଆଣ୍ଡ୍ ହ୍ୱାଇଟ୍ ଫିଲ୍ମରେ ରକେଟ୍ ଲଂଚର ଦୃଶ୍ୟ । ଏହି ଫିଲ୍ମ ମାଧ୍ୟମରେ ଦର୍ଶକ ସେହି ସମୟରେ ସ୍ପେସ୍ ସିପ୍ ଓ ସ୍ପେସ୍ ସୁଟ୍ ଦେଖିବାର ସୁଯୋଗ ପାଇଥିଲେ ।

Leave a Reply

Your email address will not be published. Required fields are marked *