ରୋଷେଇ – ମଟର ବାଦାମ୍ ରେସିପି
ଆବଶ୍ୟକୀୟ ଜିନିଷ – ଅଧା କପ୍ କଟା ବାଦାମ୍, ଅଧକପ୍ ଗ୍ରୀନ୍ ମଟର, ୨ ଚାମଚ ତେଲ, ୧ ଚାମଚ ଜିରା, ୧/୨ ଚାମଚ ହିଙ୍ଗୁ, ଗୋଟିଏ ଶୁଖିଲା ଲଙ୍କା, ୩ ଚାମଚ ଗୋଟା ମେଥି, ୧ ଚାମଚ ଅଦା ରସୁଣ ପେଷ୍ଟ୍, ୧/୨ ଚାମଚ ହଳଦୀ, ୨ ଚାମଚ ଧନିଆ ପାଉଡର୍, ୧ ଚାମଚ ଲଙ୍କା ପାଉଡର୍, ୧/୪ କପ୍ କଟା ଧନିଆ ପତ୍ର, ୩ ଚାମଚ ଟମାଟ ପ୍ୟୁରି ଓ ସ୍ୱାଦ ଅନୁଯାୟୀ ଲୁଣ ।
ପ୍ରସ୍ତୁତି ପ୍ରଣାଳୀ – ମେଥିକୁ ଅଧକପ୍ ପାଣିରେ ଭଜାଇ ରଖନ୍ତୁ । କରେଇରେ ତେଲ ଗରମ କରିବା ପରେ ସେଥିରେ ଜିରା, ହିଙ୍ଗୁ ଓ ଶୁଖିଲା ଲଙ୍କା ପକାଇ ଭଲ ଭାବେ ଭାଜନ୍ତୁ । ଏହାପରେ ସେଥିରେ ଅଦା ରସୁଣ ପେଷ୍ଟ୍, ହଳଦୀ, ଲଙ୍କା ପାଉଡର୍, ଧନିଆ ପାଉଡର୍ ପକାଇ ଧିମା ଆଂଚରେ ଭଲ ଭାବେ ଗୋଳାଇ ୧-୨ ମିନିଟ୍ କୁକ୍ ହେବାକୁ ଦିଅନ୍ତୁ । ଏହି ମସଲା ପ୍ରସ୍ତୁତ ହେବା ପରେ ସେଥିରେ ପୂର୍ବରୁ ଭିଜାଇ ରଖିଥିବା ମେଥିକୁ ଛାଣି ହାଲକା ଭାବରେ ଦଳି ଦେଇ ସେଥିରେ ପକାନ୍ତୁ । ଏହାକୁ ୩ ମିନିଟ୍ କୁକ୍ ହେବାକୁ ଦିଅନ୍ତୁ । ଏହା ଯେପରି କରେଇରେ ନ ଲାଗିବ ସେଥିପାଇଁ ଏଥିରେ ଅଳ୍ପ ପାଣି ଦିଅନ୍ତୁ । ଏବେ ଏହି ମିଶ୍ରଣରେ ବାଦାମ୍, ମଟର ଓ ଲୁଣ ପକାଇ ଭଲ ଭାବେ ଗୋଳାନ୍ତୁ । ଏହାପରେ ସେଥିରେ ଟମାଟ ପ୍ୟୁରି ପକାଇ ମିଡିୟମ୍ ଫ୍ଲେମରେ ଅଳ୍ପ ସମୟ ସିଝିବାକୁ ଦିଅନ୍ତୁ । ବାଦାମ୍ ଓ ମଟର ସମ୍ପୂର୍ଣ୍ଣ ସିଝିବା ପରେ ଗ୍ୟାସ୍ ବନ୍ଦ କରନ୍ତୁ । ଏହାକୁ ପୁଣିଥରେ ଭଲ ଭାବେ ଗୋଳାଇ ଦିଅନ୍ତୁ ଏହା ଉପରେ ଧନିଆ ପତ୍ର ପକାଇ ଗରମ ଗରମ ପରଷନ୍ତୁ ।