ପାଟକୁରାରେ ମତଦାନ ଆରମ୍ଭ, ମଝି ଆଙ୍ଗୁଠିରେ ସନ୍ତକ

ପାଟକୁରା, (ଓଟି): କେନ୍ଦ୍ରାପଡା ଜିଲ୍ଲାର ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଶନିବାର ସକାଳୁ ମତଦାନ ଆରମ୍ଭ ହୋଇଛି । କଡ଼ା ସୁରକ୍ଷା ଭିତରେ ଚିହ୍ନିତ ମତଦାନକାରୀମାନେ ସେମାନଙ୍କ ନିର୍ଦ୍ଧାରିତ ବୁଥରେ ଭୋଟ୍‌ ଦେଉଛନ୍ତି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦେଶ ଅନୁସାରେ ଭୋଟରମାନେ ଭୋଟ୍‌ ଦେବା ପୂର୍ବରୁ ସେମାନଙ୍କ ମଝି ଆଙ୍ଗୁଠିରେ ସନ୍ତକ କାଳି ଲଗାଉଛନ୍ତି। ପୁଲିଂ ଅଧିକାରୀଙ୍କ ପକ୍ଷରୁ ଏହି ବ୍ୟବସ୍ଥା କରାଯାଉଛି। ପାଗ ଅନୁକୂଳ ଥିବାରୁ ବିଭିନ୍ନ ମତଦାନ କେନ୍ଦ୍ରରେ ଭୋଟରଙ୍କ ଭିଡ଼ ଦେଖିବାକୁ ମିଳିଛି ।

ସକାଳ ୯ଟା ସୁଦ୍ଧା ୧୨ ପ୍ରତିଶତ ଭୋଟ୍‌ଦାନ ହୋଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି।

୨୦୧୯ ସାଧାରଣ ନିର୍ବାଚନ ସମୟରେ ପାଟକୁରାର ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲାଙ୍କ ମୃତ୍ୟୁ ହୋଇଥିଲା। ଏହାଦ୍ଵାରା ପାଟକୁରା ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ସ୍ଥଗିତ ରଖାଯାଇଥିଲା। ଅପରପକ୍ଷେ ରାଜ୍ୟରେ ପ୍ରଳୟଙ୍କରୀ ବାତ୍ୟା ଫନି ହେତୁ ମଧ୍ୟ ଦ୍ଵିତୀୟ ନିର୍ଦ୍ଧାରିତ ତାରିଖ ବାତିଲ୍‌ କରାଯାଇଥିଲା। ନିର୍ବାଚନ କମିଶନଙ୍କ ବିଜ୍ଞପ୍ତି ପରେ ଆଜି ଭୋଟ୍‌ ଗ୍ରହଣ କରାଯାଉଛି। ଏହି ନିର୍ବାଚନରେ ପ୍ରମୁଖ ପ୍ରାଥୀ ଭାବେ ବିଜେପିର ବିଜୟ ମହାପାତ୍ର ଏବଂ ବିଜେଡି ପ୍ରାର୍ଥୀ ତଥା ସାବିତ୍ରୀ ଅଗ୍ରୱାଲାଙ୍କ ଭିତରେ ପ୍ରତିଦ୍ଵିନ୍ଦିତା ହେଉଛି ।

ପାଟକୁରାରେ ସମୁଦାୟ ୨,୪୪,୭୪୭ଜଣ ଭୋଟର ୧୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ମତଦାନ ପାଇଁ ପାଟକୁରାରେ ୩୦୯ଟି ବୁଥ୍‌ ମଧ୍ୟରୁ ୧୩୮ଟି ସମ୍ବେଦନଶୀଳ ବୁଥ୍‌ ଚିହ୍ନଟ କରାଯାଇଛି । ଏହାକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନଙ୍କ ପକ୍ଷରୁ ୪ କମ୍ପାନୀ ସିଏପିଏଫ୍‌ ମୁତୟନ କରାଯାଇଛି। ୪୦ଟି ସ୍ଥାନରେ ସିସିଟିଭି ଲଗାଯାଇ ଥିବା ବେଳେ ୧୫ଟି ସ୍ଥାନରେ ଭିଡ଼ିଓଗ୍ରାଫି ଏବଂ ୩୧ଟି ଷ୍ଟେସନ୍‌ରେ ୱେବ୍ କାଷ୍ଟିଂ କରାଯାଉଛି। ଏହି କାର୍ଯ୍ୟରେ ୫ ଜୋନାଲ୍ ସେକ୍ଟର ମାଜିଷ୍ଟ୍ରେଟ୍ ୫୨ ଜଣ ମାଇକ୍ରୋ ଅବଜର୍‌ଭର୍ ନିଯୁକ୍ତ ହୋଇଛନ୍ତି। ନିର୍ବାଚନରେ ଗଣ୍ଡଗୋଳ ଆଶଙ୍କା ଥିବାରୁ ଏଥିପାଇଁ ୮ଟି ଜାମିନ୍ ବିହୀନ ଗିରଫ ପରୱାନା କାର୍ଯ୍ୟକାରୀ କରାଯିବା ସହ ୨୨୪ ଜଣଙ୍କୁ ପୁଲିସ ଅଟକ ରଖିଛି।

ମୋଟ୍ ୨ଲକ୍ଷ ୪୭ ହଜାର ୭୪୭ ଜଣ ଭୋଟରଙ୍କ ମଧ୍ୟରୁ ୧ଲକ୍ଷ ୨୭ ହଜାର ୪୩୧ ଜଣ ପୁରୁଷ, ୧ ଲକ୍ଷ ୭ ହଜାର ୩୦୬ ଜଣ ମହିଳା ଏବଂ ୧୦ ଜଣ ତୃତୀୟ ଲିଙ୍ଗ ଭୋଟର ରହିଛନ୍ତି ।

ମୋଟ୍ ୧୦ ଜଣ ପ୍ରାର୍ଥୀ ପାଟକୁରା ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଛନ୍ତି । ସେଥିମଧ୍ୟରୁ ୯ ଜଣ ପୁରୁଷ ଏବଂ ଜଣେ ମହିଳା ପ୍ରାର୍ଥୀ ରହିଛନ୍ତି । ସୂଚନାଯୋଗ୍ୟ ଯେ, ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରୱାଲଙ୍କ ପରଲୋକ କାରଣରୁ ପାଟକୁରା ବିଧାନସଭା ଆସନରେ ମତଦାନ ସ୍ଥଗିତ ରହିଥିଲା । ଆସନ୍ତା ୨୪ ତାରିଖରେ ମତଗଣନା କରାଯାଇ ଫଳାଫଳ ପ୍ରକାଶ କରାଯିବ।

Leave a Reply

Your email address will not be published. Required fields are marked *