୧୦ଟି ବୃହତ୍ କାରଖାନାରେ ତାଲା, ୭୨୦୫ଜଣ ବେକାର
ଭୁବନେଶ୍ୱର, (ଓଟି): ରାଜ୍ୟରେ ବୃହତ୍ ଶିଳ୍ପଗୁଡ଼ିକ ମଧ୍ୟରୁ ପ୍ରାୟ ୫୮୮୪ କୋଟି ଟଙ୍କା ମୂଲ୍ୟରେ ପ୍ରତିଷ୍ଠିତ ୧୦ଟି ଲୌହ ଓ ସ୍ପଞ୍ଜ ଲୁହା କାରଖାନାରେ ତାଲା ପଡ଼ିଛି । ଫଳରେ ୭୨୦୫ଜଣ ବ୍ୟକ୍ତି ନିଯୁକ୍ତି ହରାଇଛନ୍ତି ବୋଲି ଶିଳ୍ପମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି ।
ବିଧାନସଭାରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀଙ୍କ ଅଣତାରକା ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଲେ ଯେ ବାର୍ଷିକ ୩.୧୫ ନିୟୁତ ଟନ୍ ଉତ୍ପାଦନ କ୍ଷମତା ବିଶିଷ୍ଟ ୧୦ଟି ଶିଳ୍ପାନୁଷ୍ଠାନ କ୍ଷତିରେ ଚାଲୁଥିବା ଦୃଷ୍ଟିରୁ ସେମାନଙ୍କର ଉତ୍ପାଦନ ବନ୍ଦ ରଖିଛନ୍ତି । ଏହି ଶିଳ୍ପସଂସ୍ଥାଗୁଡ଼ିକ ବନ୍ଦ ହେବାର କାରଣ ରୂପେ ସେ ଦର୍ଶାଇଛନ୍ତି ଯେ ବଜାର ମୂଲ୍ୟର ହ୍ରାସ ବା ମାନ୍ଦା ଅବସ୍ଥା, ଖଣି ବନ୍ଦ ହେବାରୁ କଞ୍ଚାମାଲର ବହୁଳ ଅଭାବ, ଶିଳ୍ପ ସଂସ୍ଥାଗୁଡ଼ିକର ନିଜସ୍ୱ ଦୁର୍ବଳ ସ୍ଥିତି । ତେବେ ଶିଳ୍ପ ସଂସ୍ଥାଗୁଡ଼ିକ ସମ୍ମୁଖୀନ ହେଉଥିବା ସମସ୍ୟା ଦୂର କରିବା ପାଇଁ ଇଣ୍ଡଷ୍ଟ୍ରି କେୟାର କାର୍ଯ୍ୟ ଶୈଳୀ ଆରମ୍ଭ କରାଯାଇଛି ।