ଜିଓର ନିଟ ଲାଭ ୪୫.୬% ବୃଦ୍ଧି, ୮୯୧ କୋଟି ଟଙ୍କାରେ ପହଞ୍ଚିଲା
ରିଲାଏନ୍ସ ଜିଓ ପକ୍ଷରୁ ଚଳିତ ଆର୍ଥିକ ବର୍ଷର ପ୍ରଥମ ତିନିମାସ (ଅପ୍ରେଲ ରୁ ଜୁନ) ର ଆର୍ଥିକ ଫଳାଫଳ ଘୋଷଣା କରାଯାଇଛି | ଅପ୍ରେଲ ରୁ ଜୁନ ତ୍ରୟମାସରେ ରିଲାଏନ୍ସ ଜିଓର ଶ୍ରେଷ୍ଠ ପ୍ରଦର୍ଶନ ଜାରି ରହିବା ସହିତ ନିଟ ଲାଭ ଗତବର୍ଷ ତୁଳନାରେ ୪୫.୬ ପ୍ରତିଶତ ବୃଦ୍ଧି ପାଇଛି। ଏହା ୮୯୧ କୋଟି ଟଙ୍କାରେ ପହଞ୍ଚିଥିବା କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି | ସେହିଭଳି ଏହି ତ୍ରୟମାସରେ କମ୍ପାନୀର EBIDTA ରେ ଗତବର୍ଷ ତୁଳନାରେ ୪୯ ପ୍ରତିଶତ ବୃଦ୍ଧି ଘଟି ୪୬୮୬ କୋଟି ଟଙ୍କାରେ ପହଁଚିଥିବା ବେଳେ EBIDTA ମାର୍ଜିନ ୪୦ ପ୍ରତିଶତ ରହିଥିବା କୁହାଯାଇଛି | ୨୦୨୦ ଆର୍ଥିକ ବର୍ଷର ଏହି ପ୍ରଥମ ତ୍ରୟମାସରେ ଜିଓ ନୂତନ ଗ୍ରାହକ ଯୋଡ଼ିବାରେ ନିଜର ଜୟଯାତ୍ରା ବଜାୟ ରଖି ମୋଟ ୩.୩୧ କୋଟି ମୋବାଇଲ ଗ୍ରାହକ ଯୋଡିଥିବା ବେଳେ ପ୍ରତି ଉପଭୋକ୍ତାଙ୍କ ମାସିକ ହାରାହାରି ଡାଟା ବ୍ୟବହାର ବୃଦ୍ଧିପାଇ ୧୧.୪ ଜିବି ରହିଥିବା କମ୍ପାନୀ ପକ୍ଷରୁ କୁହାଯାଇଛି | ଉପଭୋକ୍ତା ପିଛା ଭଏସ କଲ ମାସକୁ ହାରାହାରି ୮୨୧ ମିନିଟ ରହିଥିବା ବେଳେ ଉପଭୋକ୍ତା ପିଛା ରାଜସ୍ବ (ARPU ) ୧୨୨ ଟଙ୍କା ରହିଛି |
ଆଜି ମଧ୍ୟ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ଼ ଲିମିଟେଡ଼ର ୨୦୧୯ – ୨୦ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ ଆର୍ଥିକ ଫଳାଫଳ ଘୋଷଣା କରାଯାଇଛି | ଏହି ତ୍ରୟମାସରେ କମ୍ପାନୀର ନିଟ ଲାଭ ଗତବର୍ଷ ତୁଳନାରେ ୬.୮ ପ୍ରତିଶତ ବୃଦ୍ଧି ପାଇ ରେକର୍ଡ ୧୦୧୦୪ କୋଟି ଟଙ୍କାରେ ପହଁଚିଥିବା ଜଣାଯାଇଛି | ଏହି ତିନିମାସରେ କମ୍ପାନୀର ମୋଟ ରାଜସ୍ବ ଗତ ବର୍ଷ ତୁଳନାରେ ୨୨.୧ ପ୍ରତିଶତ ବୃଦ୍ଧି ପାଇ ୧,୭୨,୯୫୬ କୋଟି ଟଙ୍କାରେ ପହଁଚିଥିବା କୁହାଯାଇଛି | ରିଟେଲ ଓ ଡିଜିଟାଲ ସେବା ବ୍ୟବସାୟରେ ଏହି ସମୟରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟି ଏହା ରେକର୍ଡ ସ୍ତର ଛୁଇଁଥିବା ବେଳେ ରିଲାଏନ୍ସ ରିଟେଲର ପ୍ରଥମ ତ୍ରୟମାସ ରାଜସ୍ବରେ ଗତବର୍ଷ ତୁଳନାରେ ୪୮ ପ୍ରତିଶତ ବୃଦ୍ଧି ଘଟି ଏହା ୩୮୨୮୬ କୋଟି ଟଙ୍କାରେ ପହଂଚିଛି | ୬୭୦୦ ରୁ ଅଧିକ ସହରରେ ୧୦୬୪୪ ଷ୍ଟୋର ରହିଥିବା ରିଲାଏନ୍ସ ରିଟେଲର ପଂଜିକୃତ ଗ୍ରାହକ ସଂଖ୍ୟା ଏହି ତିନିମାସରେ ୧୦ କୋଟି ପାର କରିଥିବାବେଳେ ରିଲାଏନ୍ସ ରିଟେଲ ଷ୍ଟୋରକୁ ଏହି ଅବଧିରେ ୧୫ କୋଟି ଗ୍ରାହକ ଆସିଥିବା କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇଛି | ଏହି ତ୍ରୟମାସରେ ରିଲାଏନ୍ସ ପେଟ୍ରୋକେମିକାଲ ବ୍ୟବସାୟରେ EBIDTA ୮୮୧୦ କୋଟି ଟଙ୍କା ରହିଥିବା ବେଳେ ରିଫାଇନିଙ୍ଗ EBIDTA ୫୧୫୨ କୋଟି ଟଙ୍କା ରହିଥିବା ପ୍ରକାଶ କରାଯାଇଛି |
ଆଜି ତ୍ରୈମାସିକ ଆର୍ଥିକ ଫଳାଫଳ ସହିତ କମ୍ପାନୀ ପକ୍ଷରୁ ଭିତ୍ତିଭୂମି କ୍ଷେତ୍ରରେ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ସଂସ୍ଥା ବୃକଫିଲଡ ସହିତ ଟାୱାର ଇନ୍ଫ୍ରାଷ୍ଟ୍ରକ୍ଚର ଟ୍ରଷ୍ଟରେ ୨୫୨୧୫ କୋଟି ଟଙ୍କା ପୁଞ୍ଜିନିବେଶ ପାଇଁ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିବା ଘୋଷଣା କରାଯାଇଛି |