ରୋଷେଇ – ବେସନ ତରକାରି
ଆବଶ୍ୟକୀୟ ଜିନିଷ – ୧ ବଡ଼ କପ୍ ବେସନ, ୧ କପ୍ କଟା ଟମାଟ, ୧କପ୍ କଟା ପିଆଜ, ଅଦା ରସୁଣ ବଟା ୨ ବଡ଼ ଚାମଚ, ୧ କପ୍ କଟା ଧନିଆ ପତ୍ର, ୧ ଛୋଟ ଚାମଚ ଲଙ୍କା ଗୁଣ୍ଡ, ୧ ଛୋଟ ଚାମଚ ହଳଦି ଗୁଣ୍ଡ, ଧନିଆ ଓ ଜିରା ୧ ଚାମଚ, ୧ ଚାମଚ ଗରମ ମସଲା, ୧-୨ଟି ତେଜପତ୍ର, ୧ ଚୁଟକି ଖାଇବା ସୋଡ଼ା, ଛାଣିବା ପାଇଁ ତେଲ ଓ ସ୍ୱାଦ ଅନୁଯାୟୀ ଲୁଣ ।
ବେସନ ପାଇଁ ଆଉ କିଛି ଜିନିଷ – ୧/୨ ଚାମଚ ଲଙ୍କା ଗୁଣ୍ଡ, ୧/୨ ଚାମଚ ହଳଦୀ ଗୁଣ୍ଡ, ଧନିଆ ଗୁଣ୍ଡ ୧/୨ ଚାମଚ ଓ ସ୍ୱାଦ ଅନୁଯାୟୀ ଲୁଣ ।
ପ୍ରସ୍ତୁତି ପ୍ରଣାଳୀ – ଗୋଟିଏ ବାଉଲରେ ବେସନ ରଖି ସେଥିରେ ଲଙ୍କା ଗୁଣ୍ଡ, ହଳଦି, ଲୁଣ, ଖାଇବା ସୋଡ଼ା ଓ ଧନିଆ ପାଉଡରକୁ ପକାଇ ଅଳ୍ପ ପାଣି ଦେଇ ଚକଟି ଦିଅନ୍ତୁ । ଏହି ବେସନକୁ (ରୁଟି ପାଇଁ ଅଟା ଭଳି) କାଠୁଆ କରି ଚକଟିବେ । ଏହାକୁ ୧୦ ମିନିଟ୍ ପର୍ଯ୍ୟନ୍ତ ଏକ ଘୋଡ଼ଣୀ ଦେଇ ରଖିଦିଅନ୍ତୁ । ୧୦ ମିନିଟ୍ ପରେ ଏହି ବେସନ ଚକଟାରୁ ଅଳ୍ପ ଅଳ୍ପ ନେଇ ଛୋଟ ଛୋଟ ବଲସ୍ ତିଆରି କରନ୍ତୁ । ବେସନ ହାତରେ ନ ଲାଗିବା ପାଇଁ ହାତରେ ହାଲ୍କା ତେଲ ଲଗାନ୍ତୁ । ଏହାପରେ କରେଇ ବସାଇ ତେଲ ଗରମ କରନ୍ତୁ । ତେଲ ଗରମ ହେବା ପରେ ବେସନ ବଲସ୍ଗୁଡ଼ିକୁ ସେଥିରେ ପକାଇ ହାଲକା ଲାଲ୍ ହେବା ପର୍ଯ୍ୟନ୍ତ ଛାଣନ୍ତୁ । ଏହାକୁ ଏକ ପ୍ଲେଟରେ ବାହାର କରିଆଣନ୍ତୁ । ଏହାପରେ କରେଇରେ ୨ ଚାମଚ ତେଲ ଦେଇ ଗରମ ହେବାକୁ ଦିଅନ୍ତୁ । ତେଲ ଗରମ ହେବା ପରେ ସେଥିରେ ତେଜପତ୍ର, କଟା ପିଆଜ ପକାଇ ଭଲ ଭାବେ ଭାଜନ୍ତୁ । ପିଆଜର ରଙ୍ଗ ହାଲକା ବଦଳି ଯିବାପରେ ସେଥିରେ ଅଦା ରସୁଣ ବଟା ଓ ଟମାଟ ପକାଇ ଭଲ ଭାବେ ଗୋଲାଇ ଦିଅନ୍ତୁ । ମସଲା ଭଲ ଭାବେ କସି ହୋଇଯିବା ପରେ ହଳଦି, ଲଙ୍କା, ଗରମ ମସଲା, ଜିରା ଓ ଧନିଆ ଗୁଣ୍ଡ ଓ ଲୁଣ ପକାଇ ଚଲାନ୍ତୁ । ଏଥିରେ ଲୁଣର ପରିମାଣ ଦେଖିକରି ନେବେ । କାରଣ ବେସନ ବଲସରେ ମଧ୍ୟ ଲୁଣ ରହିଛି । ଘୋଡ଼ଣୀ ଦେଇ ୩ ମିନିଟ୍ ପର୍ଯ୍ୟନ୍ତ ଟମାଟକୁ କୁକ୍ ହେବାକୁ ଦିଅନ୍ତୁ । ୩ ମିନିଟ୍ ପରେ ସେଥିରେ ଦେଢ ଗ୍ଲାସ୍ ପାଣି ମିଶାନ୍ତୁ ଏବଂ ଫୁଟିବାକୁ ଦିଅନ୍ତୁ । ବେସନ ବଲସ୍ ସିଝିବା ଓ ଟିକେ ଝୋଳ ରହିବା ଅନୁଯାୟୀ ପାଣି ଦେବେ । ପାଣି ଭଲ ଭାବେ ଫୁଟିବା ପରେ ସେଥିରେ ବେସନ ବଲସ୍ ଗୁଡ଼ିକୁ ପକାଇ ଭଲ ଭାବେ ଗୋଲାଇ ଦିଅନ୍ତୁ । ଏହା ଉପରେ କିଛି କଟା ଧନିଆ ପତ୍ର ପକାଇ ଲୋ ଫ୍ଲେମରେ କିଛି ସମୟ ପାଇଁ କୁକ୍ କରିନେବା । ପ୍ରସ୍ତୁତ ହୋଇଗଲା ବେସନ ତରକାରି । ଏହାକୂ ଆପଣ ପରଟା, ରୁଟି କିମ୍ବା ଗରମ ଭାତ ସହିତ ଖାଇପାରିବେ ।











