ରୋଷେଇ – ଚୁଡ଼ା ଚକୁଳି
ଆବଶ୍ୟକୀୟ ଜିନିଷ – ଏକ ଛୋଟ ବାଉଲ୍ କଂଚା ଚୁଡ଼ା, ୧/୨ କପ୍ ସୁଜି, ଗୋଟିଏ ଛୋଟ କପ୍ ଦହି, ପିଆଜ କଟା ୧ କପ୍, ଟମାଟ କଟା ଏକ କପ୍, ଗ୍ରୀନ୍ ମଟର ୧/୨ କପ୍, ଖୁବ୍ ଛୋଟ ଛୋଟ କଟା ହୋଇଥିବା ଗୋଟିଏ ଆଳୁ, ୧ଟି କଟା କଞ୍ଚାଲଙ୍କା, ୧ ଚାମଚ ଜିରା, ୧ କପ୍ ଗାଜର କୋରା, ଅଧାକପ୍ ଧନିଆ ଓ ଭୃସଙ୍ଗ ପତ୍ର, ୧/୨ ଚାମଚ ରାଗଗୁଣ୍ଡ, ପାଣି ଓ ସ୍ୱାଦ ଅନୁଯାୟୀ ଲୁଣ ।
ପ୍ରସ୍ତୁତି ପ୍ରଣାଳୀ – ଗୋଟିଏ ମିକ୍ସିଙ୍ଗ୍ ଜାରରେ କଂଚା ଚୁଡ଼ା, ସୁଜି, ଦହି ଓ ଆବଶ୍ୟକ ଅନୁଯାୟୀ ପାଣି ଦେଇ ଭଲ ଭାବେ ଗ୍ରାଇଣ୍ଡ୍ କରିନିଅନ୍ତୁ । ଏହି ଚୁଡ଼ା ବଟାକୁ ଅଧିକ ଡ୍ରାଏ କରନ୍ତୁ ନାହିଁ । ଏହି ବଟାକୁ ଗୋଟିଏ ବାଉଲରେ ବାହାର କରନ୍ତୁ । ଯଦି ଅଧିକ ଡ୍ରାଏ ଅଛି ତେବେ ୧ରୁ ଦେଢ କପ୍ ପାଣି ଦିଅନ୍ତୁ । ଏହାପରେ ସେଥିରେ ପିଆଜ, ଟମାଟ, ଆଳୁ, ଗ୍ରୀନ୍ ମଟର, ଗାଜର କୋରା, ଭୃସଙ୍ଗ ଓ ଧନିଆ ପତ୍ର, ଜିରା, ଲଙ୍କା ପାଉଡର୍ ଓ ଲୁଣ ଦେଇ ଭଲ ଭାବେ ଗୋଲାଇ ଦିଅନ୍ତୁ । ଏହାକୁ ଭଲ ଭାବେ ଗୋଳାଇବା ପରେ ଏହାକୁ ଢାଙ୍କୁଣୀ ଦେଇ ୧୦ ମିନିଟ୍ ଛାଡ଼ିଦିଅନ୍ତୁ । ୧୦ ମିନିଟ୍ ପରେ ପ୍ୟାନ୍ ବସାଇ ୧ ଚାମଚ ତେଲ ଦିଅନ୍ତୁ । ତେଲ ଗରମ ହେବା ପରେ ସେହି ଚୁଡ଼ା ମିକ୍ସରୁ ଅଳ୍ପ ଅଳ୍ପ ଆଣି ପ୍ୟାନରେ ଦେଇ ଚାରପଟକୁ ଖେଳାଇ ଦିଅନ୍ତୁ । ଗୋଟିଏ ପ୍ୟାନରେ ଆପଣ ୩ଟି ଚୁଡ଼ା ଚକୁଳି ପ୍ରସ୍ତୁତ କରିପାରିବେ । ଏହାପରେ ଗ୍ୟାସର ଆଂଚକୁ ଧିମା କରି ପ୍ୟାନର ଘୋଡ଼ଣୀ ଦେଇଦିଅନ୍ତୁ । ଏହାକୁ ପ୍ରାୟ ୫-୬ ମିନିଟି ରଖିବା ପରେ ଘୋଡ଼ଣୀ ବାହାର କରି ଚକୁଳିଗୁଡ଼ିକୁ ଓଲଟାଇ ଦିଅନ୍ତୁ ଏବଂ ଲାଲ୍ ହେବା ପର୍ଯ୍ୟନ୍ତ ଭାଜନ୍ତୁ । ଚକୁଳିର ଦୁଇପଟ ହାଲ୍କା ବାଦାମୀ ରଙ୍ଗ ହେବା ପର୍ଯ୍ୟନ୍ତ ଭାଜନ୍ତୁ । ପ୍ରସ୍ତୁତ ହୋଇଗଲା ଚୁଡ଼ା ଚକୁଳି । ଏହାକୁ ଦହି, ଆଚାର ଓ କିମ୍ବା କୌଣସି ଚଟପଟା ସସ୍ ସହିତ ଗରମ ଗରମ ଖାଇପାରିବେ ।