ଫି’ ବଢ଼ାଇବା କାରଣରୁ ଆଉଟ୍ ହେଲେ ସନ୍ନି ଦେଓଲ୍, ମେକର୍ସ ଖୋଜୁଛନ୍ତି ନୂଆ ଅଭିନେତା

ସାଂସଦ ହେବା ପରେ ପଞ୍ଜାବୀ ମୁଣ୍ଡା ସନ୍ନି ଦେଓଲ୍ ତାଙ୍କର ଆଗାମୀ ଫିଲ୍ମ ‘ଫତେହ୍ ସିଂହ’ ପାଇଁ ଫି’ ବଢ଼ାଇ ଦେଇଛନ୍ତି ବୋଲି ଚର୍ଚ୍ଚା ହେଉଥିଲା । ଏବେ ଏହାର ଏକ ପ୍ରମାଣ ମଧ୍ୟ ସିନେପ୍ରେମୀଙ୍କୁ ମିଳିଯାଇଛି । ଫିଲ୍ମ ଟିମ୍ ସୂତ୍ରରୁ ପ୍ରକାଶ ଯେ ଏହି ଫିଲ୍ମ ପାଇଁ ସନ୍ନି ୫କୋଟି ଟଙ୍କା ଦାବି କରିଥିଲେ, ଯାହାକି ଫିଲ୍ମର ମେକର୍ସଙ୍କୁ ଅଧିକ ମନେ ହୋଇଥିଲା । କାରଣ ଏହି ଫିଲ୍ମର ଅଧିକାଂଶ ଦୃଶ୍ୟ ଲଣ୍ଡନରେ ସୁଟିଂ କରାଯିବ । ସେଠାରେ କ୍ରୁ ମେମ୍ବରଙ୍କ ରହଣୀ ଓ ସେଠାକାର ଲୋକାଲ୍ କଳାକାର ମଧ୍ୟ କାଷ୍ଟିଙ୍ଗ୍ ତାଲିକାରେ ସାମିଲ୍ ହେବେ । ଫିଲ୍ମରେ ଅଧିକରୁ ଅଧିକ ଦୃଶ୍ୟରେ ଭିଏଫଏକ୍ସ ରହିବ । ଫିଲ୍ମର ପ୍ରି ରିଲିଜ୍ ଖର୍ଚ୍ଚ ସହିତ ଅନ୍ୟସବୁ ବାବଦରେ ୧୫ରୁ ୧୮ କୋଟି ଟଙ୍କାର ବଜେଟ୍ ରହିଛି । ତେବେ ଏହି ବଜେଟ ମଧ୍ୟରୁ ସନ୍ନିଙ୍କ ଫି’ ଅନୁଯାୟୀ ୫କୋଟି ଟଙ୍କା ଖର୍ଚ୍ଚ ହେଲେ ଏହା ମେକର୍ସଙ୍କ ଉପରେ ଭାରି ପଡ଼ିବ । ତେଣୁ ସନ୍ନିଙ୍କୁ ଏହି ପ୍ରୋଜେକ୍ଟରୁ ହଟାଇ ଦିଆଯାଇଥିବାର ଖବର ଆସିଛି । ଫିଲ୍ମର ମୁଖ୍ୟ ଭୂମିକା ପାଇଁ ଫିଲ୍ମ ନିର୍ମାତା ଅନ୍ୟ ଜଣେ କଳାକାରଙ୍କ ସନ୍ଧାନରେ ଅଛନ୍ତି ।

ରାଜକୁମାର ସନ୍ତୋଷୀଙ୍କ ଡ୍ରିମ୍ ପ୍ରୋଜେକ୍ଟ ହେଉଛି ‘ଫତେହ୍ ସିଂ’ । ଏହାର ନାଁ ଘୋଷଣା ହେବା ପରଠାରୁ ସିନେ ମହଲରେ ଏହାକୁ ନେଇ ଚର୍ଚ୍ଚା ଚାଲିଥିଲା ଯେ ଏହା କୌଣସି ଐତିହାସିକ କାହାଣୀକୁ ନେଇ ପ୍ରସ୍ତୁତ ହେବ । କିନ୍ତୁ ଏବେ ଜଣାପଡ଼ିଛି ଏହାର କାହାଣୀ ପଞ୍ଜାବରୁ ଲଣ୍ଡନ୍ ମାଇଗ୍ରେଟ୍ କରୁଥିବା ଯୁବକମାନଙ୍କୁ ନେଇ ରଚନା କରାଯାଇଛି । କାହାଣୀର ନାୟକ ମଧ୍ୟ ଲଣ୍ଡନ ଯାଇ ସେଠାରେ ବମ୍ ଡିଫ୍ୟୁଜ୍ କରୁଥିବା ଏକ ସଂଗଠନରେ ଯୋଗ ଦେଇଛି । ଏହାପରେ କାହାଣୀରେ କ’ଣ ସବୁ ମୋଡ଼ ଆସିଛି, ତାହାକୁ ଦର୍ଶକ ଦେଖିବାକୁ ପାଇବେ ।

Leave a Reply

Your email address will not be published.