ମର୍ଡ଼ର ମିଷ୍ଟ୍ରି ସହିତ କମେଡ଼ି ତଡ଼କା – ଜଜମେଣ୍ଟାଲ୍ ହେ କ୍ୟା
କଙ୍ଗନା ରଣାୱତଙ୍କ ଭର୍ସାଟାଇଲ୍ ଏବଂ ରାଜକୁମାର ରାଓଙ୍କ ଇଣ୍ଟେନ୍ସ ଆକ୍ଟିଙ୍ଗରେ ଭରପୁର ‘ଜଜମେଣ୍ଟାଲ୍ ହେ କ୍ୟା’ ଚଳିତମାସ ୨୬ ତାରିଖରେ ସିନେମାଘରକୁ ଆସିବ । ଏହାର ଟ୍ରେଲର୍ ଜୁଲାଇ ୨ ତାରିଖରେ ରିଲିଜ୍ କରାଯାଇଥିଲା । ବିବାଦ ଘେରରେ ରହିଥିବା ଏହି ଫିଲ୍ମର ଟ୍ରେଲର୍ ଦେଖିବା ପରେ ରିଲିଜ୍ ଡେଟକୁ ଦର୍ଶକ ଚାତକ ଭଳି ଅନେଇ ବସିଛନ୍ତି । ଟ୍ରେଲର୍ ମାଧ୍ୟମରେ କମେଡ଼ି ସହିତ ମର୍ଡ଼ର୍ ମିଷ୍ଟ୍ରିର ତଡ଼କା ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଛି । ମାତ୍ର ଦୁଇଦିନ ତଳେ ରିଲିଜ୍ ହୋଇଥିବା ଟ୍ରେଲରରେ ଥିବା ଏକ ଡାଇଲଗ୍ ଏବେ ଯୁବପିଢିଙ୍କ ପାଇଁ ଟ୍ରେଣ୍ଡରେ ପରିଣତ ହୋଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ଡାଇଲଗଟି ହେଉଛି – ‘ଜିସ୍ ଡାଲି ପର୍ ମୈନେ ନଜର୍ ଡାଲି, ୱୋ ଡାଲି କିସି ନେ କାଟ୍ ଡାଲି’ ।
ପ୍ରକାଶ କୋୱେଲାମୁଦିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର କାହାଣୀ ଲେଖିଛନ୍ତି କନିକା ଢିଲ୍ଲୋ । କହିରଖୁଛୁ ପ୍ରଥମେ ଏହି ଫିଲ୍ମର ଟାଇଟେଲ୍ ଥିଲା ‘ମେଣ୍ଟାଲ୍ ହେ କ୍ୟା’ । କିନ୍ତୁ ଏଭଳି ଏକ ଟାଇଟେଲ୍ ମାନସିକ ଦୁର୍ବଳ ବ୍ୟକ୍ତି ତଥା ସେମାନଙ୍କର ପରିବାର ପ୍ରତି ଏକ ଉପହାସ ବୋଲି ଅଭିଯୋଗ ଆସିଥିବାରୁ ଏହାର ନୂଆ ନାମକରଣ କରାଯାଇଛି ‘ଜଜମେଣ୍ଟାଲ୍ ହେ କ୍ୟା’ । ସେନସର୍ ବୋର୍ଡ଼ ପକ୍ଷରୁ ଏହାକୁ ୟୁ/ଏ ସାର୍ଟିଫିକେଟ୍ ମିଳିଛି ।