ଆଜି ଅବପାତ, ୨ ଦିନ ପ୍ରବଳ ବର୍ଷିବ, ଗୁଣ୍ଡିଚାକୁ ଆକାଶ ସଫା ସମ୍ଭାବନା
ଭୁବନେଶ୍ଵର, (ଓଟି): ଓଡ଼ିଶା ଓ ପଶ୍ଚିମବଙ୍ଗ ସନ୍ନିକଟ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆସନ୍ତା କିଛଇ ଘଣ୍ଟା ଭିତରେ ଅବପାତ ହେବ। ଏହାରି ପ୍ରଭାବରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ରହିଛି। ଦୁଇଦିନ ଯାଏ ଏହିଭଳି ବର୍ଷା ହେବ ଏବଂ ତୃତୀୟ ଦିନରେ ଏହି ଲଘୁଚାପର ପ୍ରଭାବ ରହିବ ନାହିଁ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି।
ଭାରତ ପାଣିପାଗ ବିଭାଗ ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ, ଏହି ଲଘୁଚାପ ଫଳରେ ଓଡ଼ିଶା ଉପକୂଳ ସମୂଦ୍ରଠାରୁ ୭.୬ କିଲୋମିଟର ଉପରେ ଏକ ଘୂଣ୍ର୍ଣିବଳୟ ସୃଷ୍ଟି ହୋଇଛି। ଯାହା ଧୀରେ ଧୀରେ ଉଗ୍ର ନେବାକୁ ଯାଉଛି। ଏହା ଫଳରେ ଲଘୁଚାପ ଅବପାତ ରୂପ ନେଇ ବର୍ଷା ସହ ଝଡ଼ ହେବା ଆଶଙ୍କା ରହିଛି। ଏହି ସମୟରେ ପବନର ବେଗ ୪୦ରୁ ୫୦ କିଲୋମିଟର ରହିବ ଏବଂ ସମୁଦ୍ର ଅଶାନ୍ତ ରହିବ ବୋଲି ଅନୁମାନ କରାଯାଇଛି।
ଏହି ଝଡ଼ ଏବଂ ଅବପାତ ଦ୍ଵାରା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଗତି ଉତ୍ତର ଆବସାଗର ଅଞ୍ଚଳର ଅବଶିଷ୍ଟ ଅଞ୍ଚଳକୁ ବ୍ୟାପ୍ତ ହେବ ବୋଲି ଆଶା କରାଯାଇଛି ।
ଲଘୁଚାପ ଦୁର୍ବଳ ହେବା ଦ୍ଵାରା ଓଡ଼ିଶାରେ ଆକାଶ ସଫା ହେବ। ଅର୍ଥାତ୍ ଗୁଣ୍ଡିଚା ଦିନ ଏହିଭଳି ବର୍ଷା ନ ହେବାର ସମ୍ଭାବନା ରହିଛି।

ଶନିବାର ସନ୍ଧ୍ୟାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଥିଲା। ଯାହାଫଳରେ ରାଜଧାନୀର ବିଭିନ୍ନ ଅଞ୍ଚଳ ଜଳାଣ୍ଣବ ହୋଇଥିଲା। ରାସ୍ତାଘାଟରେ ପାଣି ଜମା ହୋଇଥିବା ଦେଖିବାକୁ ମିଳିଥିଲା।