ରଘୁରାଜପୁରକୁ ‘ଓସା’ର ସହାୟତା
ଆମେରିକାରେ ରହୁଥିବା ଓଡ଼ିଶାର ଲୋକମାନଙ୍କ ଦ୍ୱାରା ଗଠିତ ସାମାଜିକ ସଂଗଠନ ଓଡ଼ିଶା ସୋସାଇଟି ଅଫ୍ ଆମେରିକା ( ଓସା) ପକ୍ଷରୁ ରଘୁରାଜପୁରର ପଟ୍ଟଚ୍ଚିତ୍ର ଶିଳ୍ପୀଙ୍କୁ ସହାୟତା ପ୍ରଦାନ କରାଯାଇଛି । ଫୋନୀ ବାତ୍ୟା ପରେ ସେମାନଙ୍କ ଉଜୁଡ଼ି ଯାଇଥିବା ଜୀବୀକାର ପୁନରୁଦ୍ଧାର ପାଇଁ ଏହି ସହାୟତା ଉଦ୍ଦିଷ୍ଟ ବୋଲି ସୋସାଇଟିର ସଭାପତି ଲଲାଟେନ୍ଦୁ ମହାନ୍ତି କହିଛନ୍ତି ।

ସଂଗଠନ ପକ୍ଷରୁ ୧୧ ତାରିଖ ଦିନ ଶ୍ରୀ ମହାନ୍ତି ଏହି ଅଞ୍ଚଳରେ ପହଞ୍ଚି ଲୋକଙ୍କ ଦୁର୍ଦଶା ସହ ସାମିଲ୍ ହୋଇଥିଲେ । ଏହି ଅଞ୍ଚଳର ୧୫୨ ଶିଳ୍ପୀ ପରିବାର ଯେଉଁମାନେ ସାରା ବିଶ୍ୱରେ ଓଡ଼ିଶାର ନାଁକୁ ଋଦ୍ଧିମନ୍ତ କରିଛନ୍ତି ସେମାନଙ୍କ ଜୀବନଜୀବୀକାକୁ ପୁଣିଥରେ ଉଜ୍ଜୀବୀତ କରିବା ପାଇଁ ଚାହିଁଥିଲେ । ଏହିକ୍ରମରେ ସେମାନଙ୍କୁ ଆବଶ୍ୟକ କଞ୍ଚାମାଲ୍ କିଣିବା ଲାଗି ସହାୟତା ପ୍ରଦାନ କରିଥିଲେ । ଏହାଫଳରେ ସାଧାରଣ ଲୋକଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଥିଲା ।
ଓସା ପକ୍ଷରୁ ଜାରି ଏକ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି ଯେ, ଇତିମଧ୍ୟରେ ଫୋନି ପ୍ରଭାବିତ ଅଞ୍ଚଳରେ ଜୀବୀକା ନିର୍ବାହ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଲାଗି ଓସା ସହାୟତା ପ୍ରଦାନ କରି ଆସୁଛନ୍ତି । ଏଥିଲାଗି ସମୁଦାୟ ଏକ କୋଟିରୁ ଅଧିକ ଟଙ୍କା ସହାୟତା କରିଥିବା ସୋସାଇଟି ପକ୍ଷରୁ କୁହାଯାଇଛି ।