୭ଟି ରାଜନୈତକ ଦଳର ଭୋଟ‌୍‍ ଅଧପ୍ରତିଶତରୁ କମ‌୍‍

ସତରତମ ଲୋକସଭା ଗଠନ ପାଇଁ ଗତ ମାସରେ ଶେଷ ହୋଇଥିବା ନିର୍ବାଚନରେ ୩୬ଟି ରାଜନୈତିକ ଦଳ କ୍ଷମତା ହାସଲ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ସେମାନଙ୍କ ମଧ୍ୟରୁ ୧୫ଟି ରାଜନୈତିକ ଦଳ ନୋଟା ଭୋଟ‌୍‍ ପରିମାଣଠାରୁ କମ‌୍‍ ଭୋଟ‌୍‍ ପାଇଛନ୍ତି। ଏହି ଦଳମାନେ ନାମକୁମାତ୍ର ହାତଗଣତି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ।

କେନ୍ଦ୍ରମନ୍ତ୍ରୀ ରାମବିଳାସ ପାସୱାନଙ୍କ ଦଳ ଲୋକ ଜନଶକ୍ତି ପାର୍ଟି (ଏଲ‌୍‍ଜେପି) ବିହାରରୁ ମାତ୍ର ୬ଟି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରି ସମସ୍ତ ଆସନରେ ବିଜୟୀ ହୋଇଛି। କିନ୍ତୁ ଏଲ‌୍‍ଜେପି ଯେତିକି ଭୋଟ‌୍‍ ପାଇଛି ତାହା ସମଗ୍ର ଦେଶରେ ହୋଇଥିବା ମତଦାନର ମାତ୍ର ୦.୫୨ ପ୍ରତିଶତ ବୋଲି ନିର୍ବାଚନ କମିଶନଙ୍କ ସୂତ୍ରରୁ ପ୍ରକାଶ।

ଏକଦା ଜାତୀୟ ସ୍ତରରେ ନିଜର ପ୍ରଭାବ ବିସ୍ତାର କରିଥିବା ବାମପନ୍ଥୀ ଦଳ ସିପିଏମ‌୍‍ ଏବେ ଜାତୀୟ ମାନ୍ୟତା ହରାଇବାକୁ ଯାଉଛି। ୨୦୧୯ ନିର୍ବାଚନରେ ସିପିଏମ‌୍‍ ମାତ୍ର ୩ଟି ଲୋକସଭା ଆସନରେ ବିଜୟୀ ହୋଇଛି। ଏହି ଦଳ ପାଇଥିବା ଭୋଟ‌୍‍ ହାର ହେଉଛି ୦.୦୧ ପ୍ରତିଶତ।

ଜାମ୍ମୁକାଶ୍ମୀରର ନ୍ୟାସନାଲ‌୍‍ କନ‌୍‍ଫରେନ୍ସ ୦.୦୫ ପ୍ରତିଶତ ଭୋଟ‌୍‍ ପାଇ ୩ଟି ଲୋକସଭା ଆସନରେ ବିଜୟୀ ହୋଇଛି। ଇଣ୍ଡିଆନ‌୍‍ ମୁସ‌୍‍ଲିମ‌୍‍ ଲିଗ‌୍‍ ମୁସଲମାନ ମତଦାତାଙ୍କ ଭରସାଯୋଗ୍ୟ ହୋଇପାରିନାହଁି। ଏହି ଦଳକୁ ନିର୍ବାଚନରେ ମାତ୍ର ୦.୨୫ ପ୍ରତିଶତ ଭୋଟ‌୍‍ ମିଳିଛି। ପଞ୍ଜାବର ଶିରୋମଣି ଅକାଳୀ ଦଳ, ତେଲେଙ୍ଗାନାର ଏଏଆଇଏମ‌୍‍ଏମ‌୍‍, ସିପିଆଇ, ଉତ୍ତରପ୍ରଦେଶରେ ଅପ‌୍‍ନା ଦଳ ୨ଟି ଲେଖାଏଁ ଲୋକସଭା ଆସନରେ ବିଜୟୀ ହୋଇଥିଲେ ହେଁ ୧ ପ୍ରତିଶତରୁ କମ‌୍‍ ଭୋଟ‌୍‍ ପାଇଛନ୍ତି।

ଝାଡ଼ଖଣ୍ଡ ଆଜସୁ ୦.୧୧ ପ୍ରତିଶତ, ଆର‌୍‍ପିଆଇ ୦.୧୨ ପ୍ରତିଶତ ଭୋଟ‌୍‍ ପାଇଥିବା ବେଳେ ଅନ୍ୟ ୫ଟି ରାଜନୈତିକ ଦଳ ୦.୦୫ ପ୍ରତିଶତରୁ କମ‌୍‍ଭୋଟ‌୍‍ ପାଇଛନ୍ତି। କେରଳ କଂଗ୍ରେସ (ମଣି) ୦.୦୭ ପ୍ରତିଶତ, ମିଜୋରାମ ମିଜୋ ନ୍ୟାସନାଲ ଫ୍ରଣ୍ଟ ୦.୦୪ ପ୍ରତିଶତ, ନାଗା ପିପୁଲ୍ସ ଫ୍ରଣ୍ଟ ୦.୦୬ ପ୍ରତିଶତ ଭୋଟ‌୍‍ ପାଇବାରେ ସକ୍ଷମ ହୋଇଛି। ନ୍ୟାସନାଲ‌୍‍ ଡେମୋକ୍ରାଟିକ‌୍‍ ପ୍ରୋଗ୍ରେସିଭ‌୍‍ ପାର୍ଟି ୦.୦୮ ପ୍ରତିଶତ ଭୋଟ‌୍‍ ପାଇଥିବା ବେଳେ ସିକିମ‌୍‍ କ୍ରାନ୍ତିକାରୀ ମୋର୍ଚ୍ଚା ୦.୦୩ ପ୍ରତିଶତ ଭୋଟ‌୍‍ ପାଇଛି।

Leave a Reply

Your email address will not be published. Required fields are marked *