ଓବିସି ସଂରକ୍ଷଣ ୩ ଭାଗରେ ବିଭକ୍ତ ହେବ
ଦେଶର ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ମାନଙ୍କ ପାଇଁ ଥିବା ୨୭ଞ୍ଝ ସଂରକ୍ଷଣକୁ ପରିବର୍ତ୍ତନ କରି ୩ ଭାଗରେ ବିଭକ୍ତ କରିବା ପାଇଁ କେନ୍ଦ୍ର ସରକାରଙ୍କ ଏକ କମିଟି ସୁପାରିଶ କରିଛି। କମିଟିର ଏହି ସୁପାରିଶକୁ ଯଦି କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରାଳୟ ଗ୍ରହଣ କରେ ତେବେ ଦେଶର ସାମାଜିକ ଓ ରାଜନୈତିକ ସମୀକରଣରେ ନାଟକୀୟ ପରିବର୍ତ୍ତନ ଦେଖିବାକୁ ମିଳିବ।
କେନ୍ଦ୍ର ସରକାର ଏହି କମିଟି ଓବିସି ସଂରକ୍ଷଣରେ ଥିବା ଅନ୍ୟାନ୍ୟ ପଛୁଆ ବର୍ଗମାନଙ୍କୁ ତିନିଟି ଉପ-ବର୍ଗରେ ବିଭକ୍ତ କରିବା ପାଇଁ ପ୍ରସ୍ତାବ ଦେଇଛି। ପ୍ରସ୍ତାବ ଅନୁସାରେ ପ୍ରତ୍ୟେକ ବର୍ଗକୁ କେତେ ପରିମାଣରେ ସଂରକ୍ଷଣ ମିଳୁଛି ସେହି ଅନୁସାରେ ବିଭକ୍ତ କରାଯିବ। ମୋଦି ସରକାର ନିଜର ୧୦୦ ଦିନ ଏଜେଣ୍ଡାରେ ଏହି ପ୍ରସ୍ତାବକୁ ସାମିଲ କରି ଏହା ଉପରେ ନିଷ୍ପତ୍ତି ନେଇପାରେ।
ବର୍ତ୍ତମାନ ସମଗ୍ର ଦେଶରେ ୨,୬୩୩ ପ୍ରକାରର ଜାତି ଓବିସି କୋଟା ଉପଭୋଗ କରୁଛନ୍ତି। ଏହି ଜାତିମାନଙ୍କ ମଧ୍ୟରୁ ଯେଉଁମାନଙ୍କୁ ସଂରକ୍ଷଣର ଲାଭ ଆଦୌ ମିଳିନାହିଁ ସେମାନଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ନିଶ୍ଚିତ ଭାବରେ ଦେବା ପାଇଁ ପ୍ରସ୍ତାବରେ ଉଲ୍ଲେକ କରାଯାଇଛି। ଯେଉଁ ଜାତି ସବୁଠାରୁ ଅଧିକ ଲାଭ ପାଇଛି ସେମାନଙ୍କ ପାଇଁ ୭ ପ୍ରତିଶତ ସଂଂରକ୍ଷଣ ଦେବାକୁ କୁହାଯାଇଛି। ବାକି ୧୦ ପ୍ରତିଶତ ଅନ୍ୟମାନଙ୍କ ପାଇଁ ରହିବ ବୋଲି କମିଟି ପକ୍ଷରୁ କୁହାଯାଇଛି।
କେନ୍ଦ୍ର ସରକାରଙ୍କ କମିଟି ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି ଯେ, କେବଳ ମାତ୍ର ୧୦ଟି ଉପଜାତିକୁ ଓବିସି ସଂରକ୍ଷଣରୁ ୨୫ ପ୍ରତିଶତ ଲାଭ ମିଳିଛି। ଅପରପକ୍ଷରେ ୯୮୩ଟି ଉପଜାତିକୁ ସଂରକ୍ଷଣର ଲାଭ ନାମକୁ ମାତ୍ର ମିଳିଛି। ଓବିସି ସଂରକ୍ଷଣ ଉପରେ ସମୀକ୍ଷା ରିପୋର୍ଟ ଜୁଲାଇ ୩୧ ତାରିଖ ସୁଦ୍ଧା କେନ୍ଦ୍ର ସରକାରଙ୍କୁ ପ୍ରଦାନ କରାଯିବ ବୋଲି କମିଟିର ଅଧ୍ୟକ୍ଷ ଜଷ୍ଟିସ ଜି. ରୋହିଣୀ ସୂଚନା ଦେଇଛନ୍ତି।