ମୋଦୀଙ୍କୁ ଭେଟିବାକୁ ମନ୍ତ୍ରୀଙ୍କୁ ଧରି ୮ରେ ଦିଲ୍ଲୀ ଯାଉଛନ୍ତି ନବୀନ!

ଆସନ୍ତା ୮ତାରିଖ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀ ଯାଉଛନ୍ତି। ଏହା ଯେ ତାଙ୍କର ପ୍ରଥମ ଦିଲ୍ଲୀ ଗସ୍ତ, ତାହା ନୁହେଁ। କିନ୍ତୁ ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ହେବ ତାଙ୍କର ପ୍ରଥମ ଗସ୍ତ। ହେଲେ ଏହି ପ୍ରଥମ ଗସ୍ତ ମଧ୍ୟ ରାଜନୈତିକ ଦୃଷ୍ଟିକୋଣରୁ ଅତି ଗୁରୁତ୍ୱପୂର୍ଣ୍ଣ।

ଦ୍ୱିତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀ ଗତ ୩୦ ତାରିଖରେ ଶପଥ ନେଇଛନ୍ତି। ଶପଥ ଗ୍ରହଣ ଉତ୍ସବକୁ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଭଳି ଓଡ଼ିଶାର ନବୀନ ପଟ୍ଟନାୟକ ମଧ୍ୟ ରାଷ୍ଟ୍ରପତିଙ୍କ ଦ୍ୱାରା ଆମନ୍ତ୍ରିତ ହୋଇଥିଲେ। ନବୀନ ଗୋଟିଏ ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ସାରିଥିଲେ। ମାତ୍ର ଦିଲ୍ଲୀ ନଯିବା ପାଇଁ ୨୯ ତାରିଖ ରାତିରେ ନେଲେ ନିଷ୍ପତ୍ତି।

କାରଣ ସ୍ୱରୂପ ଦେଖାଇବାକୁ ଚାହିଁଲେ ଯେ, ନବନିର୍ବାଚିତ ବିଧାୟକମାନେ ବିଧାନସଭାର ସଦସ୍ୟଭାବେ ଶପଥ ନେବାକୁ ଥିବାରୁ ସେ ଉପସ୍ଥିତ ରହିବେ, ତେଣୁ ଦିଲ୍ଲୀ ଯାଇପାରିବେ ନାହିଁ ବୋଲି ଦର୍ଶାଇ ଥିଲେ। ଅଥଚ ମାତ୍ର ୮ ମିନିଟ ଗୃହରେ ଉପସ୍ଥିତ ରହିଲେ। ଚାହିଁଥିଲେ ସେହିଦିନ ସେ ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ସାମିଲ ହୋଇପାରିଥାନ୍ତେ।

ମାତ୍ର ଆଗାମୀ ୮ ତାରିଖ ଦିନ ସେ କିଛି ବଛାବଛା ମନ୍ତ୍ରୀଙ୍କୁ ନେଇ ଯାଉଛନ୍ତି ଦିଲ୍ଲୀ। ଯଦିଓ ସରକାରୀ ଭାବେ କାର୍ଯ୍ୟସୂଚୀ ପ୍ରଘଟ କରାଯାଇ ନାହିଁ, ତେବେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାର ଏଜେଣ୍ଡା ସବୁଠାରୁ ଉପରେ ଅଛି। ତେବେ ମନ୍ତ୍ରୀମାନଙ୍କୁ ନେଇ ଯିବା ପଛର ରହସ୍ୟ କ’ଣ ହୋଇଥାଇପାରେ?

ନିର୍ବାଚନ ପୂର୍ବରୁ ନବୀନ ଏକ ସାକ୍ଷାତକାରରେ ଦ୍ୱିତୀୟ ଥର ପ୍ରଧାନମନ୍ତ୍ରୀ ହେବାକୁ ମୋଦୀ ଅଯୋଗ୍ୟ ବୋଲି କହିଥିଲେ। ୨୦୧୩ରେ ମଧ୍ୟ ସମାନ ମନ୍ତବ୍ୟ ଦେଇଥିଲେ ନବୀନ। ଗୁଜରାଟ ଦଙ୍ଗାକୁ ଉଲ୍ଲେଖ କରି ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବାକୁ ଅଯୋଗ୍ୟ ବୋଲି କହିଥିଲେ ନବୀନ। ବୋଧହୁଏ ସେତେବେଳେ ମୋଦୀ ପ୍ରଧାନମନ୍ତ୍ରୀ ହେବେ ବୋଲି ସାମାନ୍ୟତମ କଳ୍ପନା କରି ନଥିବେ ସେ। ମାତ୍ର ମୋଦୀ ବିପୁଳସଂଖ୍ୟା ଗରିଷ୍ଠତା ସହ ସରକାର ଗଠନ କରିବା ପରେ ‘ଅଯୋଗ୍ୟ’ଙ୍କୁ ଭେଟିବା ଲାଗି ସବୁ ସାଂସଦଙ୍କୁ ଧରି ପହଞ୍ଚି ଥିଲେ ନବୀନ।

ଏଥର ସେ ସାଂସଦମାନଙ୍କୁ ନେଇ ମୋଦୀଙ୍କୁ ଭେଟିବେ ନାହିଁ ବୋଲି ସୂଚନା ମିଳିଛି। ୩/୪ଜଣ ବଛାବଛା ମନ୍ତ୍ରୀଙ୍କୁ ନେଇ ସେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ଅଛି। ଚଳିତ ଥର ନରେନ୍ଦ୍ର ମୋଦୀ ଦ୍ୱିତୀୟ ଥର ପ୍ରଧାନମନ୍ତ୍ରୀ ହେବେ ବୋଲି କେବେ ବି ଭାବି ନଥିବେ ନବୀନ ପଟ୍ଟନାୟକ। ସେଥିପାଇଁ ବାରମ୍ୱାର କେନ୍ଦ୍ରରେ ଖଣ୍ଡିତ ଜନାଦେଶ ମିଳିବ ବୋଲି କହୁଥିଲେ। ଏପରି କି କେନ୍ଦ୍ରରେ ସରକାର ଗଠନରେ ବିଜଦର ଭୂମିକା ରହିବ ବୋଲି ନବୀନ ପୂର୍ବାନୁମାନ କରିଥିଲେ। ବୋଧହୁଏ ସେଥିଲାଗି ୨୧ରୁ ୨୧ ଲୋକସଭା ଆସନ ଜିଣିବା ସକାଶେ ଜନତାଙ୍କୁ ସେ ନିବେଦନ କରିଥିଲେ।

ଗତଥର ବିଜେଡି ୨୦ ଲୋକସଭା ଆସନରେ ଜିତିଥିଲା। ଏଥର ଜିତିଛି ୧୨। ବିଜେପି୧ରୁ ବଢ଼ି ୮ରେ ପହଞ୍ଚିଛି। ୨୩ ତାରିଖ ପରେ କେନ୍ଦ୍ରରେ ମୋଦୀ ଇଞ୍ଜିନ ଲାଇନଚ୍ୟୁତ ହେବ ବୋଲି ନବୀନଙ୍କ ଭବିଷ୍ୟବାଣୀ ବେକାର ହୋଇଛି। ଗତଥର ଅପେକ୍ଷା ବିଜେପି ଓ ଏନଡିଏକୁ ମିଳିଛି ଅଧିକ ଆସନ।

କେନ୍ଦ୍ର ଅବହେଳା ନାମରେ ବର୍ତ୍ତମାନ ମୋଦୀ ସରକାରଙ୍କୁ ଚ୍ୟାଲେଞ୍ଜ କରିବା ସାମର୍ଥ୍ୟ ନବୀନଙ୍କର ଆଉ ନାହିଁ। ଅମିତ୍ ଶାହ ସ୍ୱରାଷ୍ଟ୍ର ବିଭାଗ ମନ୍ତ୍ରୀ ହେବା ପରେ ନବୀନ ଏବଂ ତାଙ୍କ ଜେନେରାଲଙ୍କ ଭୟ ଓ ଆଶଙ୍କା ବଢ଼ିଛି। ଆଉ ରାଜ୍ୟସଭାରେ ସହଯୋଗ ଥୋପ ମୋଦୀ କିମ୍ୱା ଶାହ ଗିଳିବେ ନାହିଁ। ସେଥିପାଇଁ ସାଂସଦଙ୍କୁ ନନେଇ ମନ୍ତ୍ରୀଙ୍କୁ ଧରି ଶରଣମୁଦ୍ରାରେ ମୋଦୀଙ୍କୁ ଭେଟିବାର ଯୋଜନା କରାଯାଉଥିବା ଆଲୋଚନା ହେଉଛି।

ଏହା ମୋଦୀଙ୍କ ହୃଦୟକୁ କେତେ ତରଳାଇବ, ତାହା ପରବର୍ତ୍ତୀ ସମୟରେ ଜଣାପଡ଼ିବ। କିନ୍ତୁ ପୂର୍ବୋଦୟ ଅଭିଯାନରୁ ବିଜେପି ଓହରି ଯିବାର ସମ୍ଭାବନା କ୍ଷୀଣ ହୋଇଥିବାରୁ ପୁଣି ଚିଟଫଣ୍ଡ ଝଟକା ବିଜେଡି ନେତାଙ୍କୁ ମିଳିପାରେ ବୋଲି ଆଶଙ୍କା କରାଯାଉଛି।

Leave a Reply

Your email address will not be published.