ରିଲିଜ୍ ହେଲା ‘ଭାରତ’, ଦର୍ଶକଙ୍କ ଜବରଦସ୍ତ ଭିଡ଼
ଅଲ୍ଲୀ ଆବାସ୍ ଜଫରଙ୍କ ନିର୍ଦ୍ଦେଶିତ ଓ ସଲମାନଙ୍କ ଅଭିନୀତ ବହୁ ପ୍ରତିକ୍ଷିତ ଫିଲ୍ମ ‘ଭାରତ’ ରିଲିଜ୍ ହୋଇଯାଇଛି । ସଲମାନଙ୍କ ଇଦ୍ ଉପହାର ଭାବେ ମୁକ୍ତିଲାଭ କରିଥିବା ଏହି ଫିଲ୍ମର ଓପନିଙ୍ଗ୍ ଡେ’ରେ ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଏଥିରେ ସଲମାନଙ୍କ ଅନସ୍କ୍ରୀନ୍ ନାୟିକା ସାଜିଛନ୍ତି କାଟ୍ରିିନା କୈଫ୍ । ଏହି ଯୋଡ଼ି ସହିତ ପରଦା ଉପରକୁ ଆସିଛନ୍ତି ଜ୍ୟାକି ସ୍ରଫ୍, ଦିଶା ପଟାନି ଓ ନୋରା ଫତେହି । ଫିଲ୍ମ ପ୍ରତି ଦର୍ଶକଙ୍କ ର ଜବରଦସ୍ତ କ୍ରେଜି ରହିଛି ଏବଂ ଫିଲ୍ମ ଦେଖିବା ପରେ ସଲମାନ୍ ସୁପରହିଟ୍ ବୋଲି ପ୍ରତିକ୍ରିୟା ଦେଇଛନ୍ତି । ୨୦୧୪ରେ ରିଲିଜ୍ ହୋଇଥିବା କୋରିଆନ୍ ଫିଲ୍ମ ‘ଓଡ୍ ଟୁ ମାଇ ଫାଦର୍’ର ହିନ୍ଦି ସଂସ୍କରଣ ଭାବେ ‘ଭାରତ’ ଫିଲ୍ମକୁ ପ୍ରସ୍ତୁତ କରାଯାଇଛି । ସଲମାନ୍ ଓ କ୍ୟାଟଙ୍କ ଅନସ୍କ୍ରିନ୍ କେମେଷ୍ଟ୍ରୀ ଏବଂ କାହାଣୀରେ ଥିବା ଇମୋସନ୍ ଦର୍ଶକଙ୍କୁ ଆକୃଷ୍ଟ କରିଛି । ଫିଲ୍ମ ସମୀକ୍ଷକମାନେ ଏହାକୁ ୫ ଅଙ୍କରୁ ୪ ଅଙ୍କ ଦେଇଥିବାବେଳେ ଅନେକ ବଲିଉଡ୍ ତାରକାଙ୍କୁ ମଧ୍ୟ ଫିଲ୍ମଟି ବେଶ୍ ପସନ୍ଦ ଆସିଛି ।
ଫିଲ୍ମରେ ସଲମାନଙ୍କ ବିଭିନ୍ନ ଲୁକ୍ ପ୍ରଶଂସକଙ୍କୁ ଖୁବ୍ ଆକର୍ଷିତ କରିଛି । ଫିଲ୍ମ ପୁଣିଥରେ ଇଦ୍ ବ୍ଲକବଷ୍ଟର୍ ହେବ ବୋଲି ଜଣେ ପ୍ରଶଂସକ ଟ୍ୱିଟ୍ କରିଛନ୍ତି । ଆଉ ଜଣେ ଦର୍ଶକ କହିଛନ୍ତି ଯେ କାହାଣୀରେ ସଲମାନ୍ ଓ କ୍ୟାଟଙ୍କ ଅନେକ ଦୃଶ୍ୟ କାନ୍ଦିବାକୁ ବାଧ୍ୟ କରୁଛି । ଭାରତ ବିଭାଜନ ପରେ ପୁଣିଥରେ ନିଜ ପ୍ରିୟଜନଙ୍କ ସହିତ ସାକ୍ଷାତର ସେହି ମୁହୂର୍ତ୍ତ ଖୁବ୍ ଭାବବିହ୍ୱଳ କରୁଛି । ସମସ୍ତ କଳାକାରଙ୍କ ଅଭିନୟ ବେଶ୍ ଚମତ୍କାର ଏବଂ ଦିଶାଙ୍କ ଡ୍ୟାନ୍ସ ଷ୍ଟେପ୍ ଖୁବ୍ ଭଲ ଲାଗୁଛି । ‘ବଜରଙ୍ଗୀ ଭାଇଜାନ୍’ ଠାରୁ ଦର୍ଶକଙ୍କୁ ଆହୁରି ଅଧିକ ଇମୋସନାଲ୍ କରିଛନ୍ତି ସଲମାନ୍ । ମୋଟ ଉପରେ କହିବାକୁ ଗଲେ ଏହି ଫିଲ୍ମ ପୁଣିଥରେ ବକ୍ସ ଅଫିସରେ ଚହଳ ସୃଷ୍ଟି କରିବ ବୋଲି ଟ୍ରେଡ୍ ଆନାଲିଷ୍ଟମାନେ ଏକରକମ କନଫର୍ମ ହୋଇଯାଇଛନ୍ତି ।