ଓଡ଼ିଶାରେ କେଉଁ ସାଂସଦ ପ୍ରାର୍ଥୀଙ୍କ ଜିତିବା ପ୍ରାୟ ନିଶ୍ଚିତ, ଜାଣନ୍ତୁ
ଭୁବନେଶ୍ଵର, (ଓଟି): ଅପରାହ୍ଣ ସାଢ଼େ ତିନିଟା ସୁଦ୍ଧା କେଉଁ ସାଂସଦ ପ୍ରାର୍ଥୀଙ୍କ ଜିତିବା ପ୍ରାୟ ନିଶ୍ଚିତ ଆସନ୍ତୁ ଜାଣିବା। ଏହି ତାଲିକାରେ ଆଗ ଆସିବେ ଆସ୍କାର ବିଜୁ ଜନତା ଦଳ ପ୍ରାର୍ଥୀ ପ୍ରମିଳା ବିଶୋଇ। ଦୀର୍ଘ ସମୟ ହେଲା ସେ ୮୩ ହଜାରରୁ ଅଧିକ ଭୋଟ୍ରେ ଆଗୁଆ ରହିଛନ୍ତି। ଏସ୍ଏଚ୍ଜି ଆନ୍ଦୋଳନର ଜଣେ ପୁରୋଧା ସାଜିଥିବା ପ୍ରମିଳାଙ୍କୁ ନବୀନ ପଟ୍ଟନାୟକ ମହିଳା ସଶକ୍ତିକରଣ ସ୍ଲୋଗାନରେ ମଇଦାନକୁ ଓହ୍ଲାଇଥିଲେ।
ଏହାଙ୍କ ପରେ ଯାଜପୁରରୁ ସର୍ମିଷ୍ଠା ସେଠୀ ୬୭ ହଜାରରୁ ଅଧିକ ଭୋଟ୍ରେ ଆଗୁଆ ରହିଛନ୍ତି। ସୁନ୍ଦରଗଡ଼ର ବିଜେପି ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ ନିଜର ଆସ୍ଥାନ ବଜାୟ ରଖିଛନ୍ତି। ୫୦ ହଜାର ଭୋଟ୍ରେ ଆଗୁଆ ଥିବା ଓରାମ ଏଥର ଜିତିବେ ବୋଲି ଏକ ପ୍ରକାର ସ୍ପଷ୍ଟ ହେଉଛି। ବ୍ରହ୍ମପୁରର ବିଜେଡି ପ୍ରାର୍ଥୀ ଚନ୍ଦ୍ର ଶେଖର ସାହୁ ୪୪.୭ ହଜାର ଭୋଟ୍ରେ ଆଗୁଆ ଚାଲିଛନ୍ତି। ନବରଙ୍ଗପୁରରୁ ବିଜେଡି ଟିକେଟ୍ରେ ଲଢ଼ୁଥିବା ପୂର୍ବତନ ମନ୍ତ୍ରୀ ରମେଶ ମାଝି ଏଥର କଂଗ୍ରେସ ପ୍ରାର୍ଥୀ ପ୍ରଦୀପ ମାଝିଙ୍କୁ ଅନେକ ଭୋଟ୍ରେ ହରାଇବାକୁ ଯାଉଛନ୍ତି। ସେ ୪୩ ହଜାର ଭୋଟ୍ରେ ଆଗୁଆ ରହିଛନ୍ତି। ଜଗତସିଂହପୁରର ବିଜେଡି ପ୍ରାର୍ଥୀ ରାଜଶ୍ରୀ ମଲ୍ଲିକ ୫୭ ହଜାର ଭୋଟ୍ରେ ଆଗୁଆ ଅଛନ୍ତି। ଏତେ ପରିମାଣରେ ଭୋଟ୍ ତାରତମ୍ୟ ଏହି ପ୍ରାର୍ଥୀ ବିଜୟ ନିଶ୍ଚିତ ବୋଲି ସୂଚନା ଦେଉଛି।
୨୦ହଜାରରୁ ଅଧିକ ଭୋଟ୍ ଆଗୁଆ ଚାଲିଥିବା ପ୍ରାର୍ଥୀଙ୍କ ଭିତରେ ବି ଅନେକ ରହିଛନ୍ତି। କଳାହାଣ୍ଡିର ବିଜେପି ପ୍ରାଥ;ୀ ବସନ୍ତ ପଣ୍ଡା, କନ୍ଧମାଳ ବିଜେଡି ପ୍ରାର୍ଥୀ ଅଚ୍ୟୁତ ସାମନ୍ତ, କେନ୍ଦ୍ରପଡ଼ା ବିଜେଡି ପ୍ରାର୍ଥୀ ଅନୁଭବ ମହାନ୍ତି, ବରଗଡ଼ର ବିଜେପି ପ୍ରାର୍ଥୀ ସୁରେଶ ପୂଜାରୀ, କଟକ ବିଜେଡି ପ୍ରାର୍ଥୀ ଭର୍ତ୍ତୃହରି ମହତାବ, ବଲାଙ୍ଗୀରର ବିଜେପି ପ୍ରାର୍ଥୀ ସଙ୍ଗୀତା ସିଂହଦେଓ।
ଦଶ ହଜାରରୁ ୨୦ ହଜାର ଭୋଟ୍ ତାରତମ୍ୟରେ ଆଗୁଆ ଥିବା ପ୍ରାର୍ଥୀମାନେ ହେଲେ, ଢେଙ୍କାନାଳର ବିଜେଡି ପ୍ରାର୍ଥୀ ମହେଶ ସାହୁ, ସମ୍ବଲପୁରର ବିଜେପି ସାଂସଦ ପ୍ରାର୍ଥୀ ନିତିଶ ଗଙ୍ଗଦେବ, କୋରାପୁଟର ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା।
ଭୁବନେଶ୍ଵରରୁ ଅପରାଜିତା ଷଡ଼ଙ୍ଗୀ ନିକଟତମ ପ୍ରାର୍ଥୀ ଅରୂପ ପଟ୍ଟନାୟକଙ୍କଠାରୁ ୮ ହଜାର ୨୦୦ ଭୋଟ୍ରେ ଆଗୁଆ ଅଛନ୍ତି। ଭଦ୍ରକରେ ବିଜେଡି ପ୍ରାଥ;ୀ ମଞ୍ଜୁଲତା ମଣ୍ଡଳ ମାତ୍ର ୧୮୦୦ ଭୋଟ୍ରେ ଆଗୁଆ ଥିବାବେଳେ ବାଲେଶ୍ଵରର ରବୀନ୍ଦ୍ର ଜେନା ବିଜେପି ପ୍ରାର୍ଥୀ ପ୍ରତାପ ଷଡ଼ଙ୍ଗୀଙ୍କଠାରୁ ମାତ୍ର ୩୮୦୦ ଭୋଟ୍ରେ ଆଗୁଆ ରହିଛନ୍ତି। ପୁରୀରେ ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର ମାତ୍ର ୫୧୦୦ ଭୋଟ୍ରେ ଆଗୁଆ ରହିଥିବା ସଳଚନା ମିଳିଛି। ମୟୁରଭଞ୍ଜରେ ସେହିପରି ବିଜେଡିକୁ ବିଜେପିର ଟକ୍କର ଖାଇବାକୁ ପଡ଼ିଛି। ଏହାର ପ୍ରାଥ;ୀ ଦେବାଶୀଷ ମାରାଣ୍ଡି ୩.୬ ହଜାର ଭୋଟ୍ରେ ଆଗୁଆ ଅଛନ୍ତି।