ଏକ ଅନେକର ବ୍ୟାଖ୍ୟାକାର ବିଜୟା ମୁଲେ ଆଉ ନାହାନ୍ତି

୮୦ ଓ ୯୦ ଦଶକକୁ ଟେଲିଭିଜନର ଗୋଲଡେନ୍ ଯୁଗ କହିଲେ ଅତ୍ୟୁକ୍ତି ହେବ ନାହିଁ । ଯେଉଁ ଦର୍ଶକମାନେ ଏହି ସମୟକୁ ନିଜର କରିପାରିଛନ୍ତି, ତାଙ୍କର ନିଶ୍ଚିତ ମନେ ଥିବ ‘ଏକ୍ ଚିଡ଼ିୟାଁ ଅନେକ ଚିଡ଼ିୟାଁ…’ର କାର୍ଟୁନ୍ ସର୍ଟ ଫିଲ୍ମ । କୁନି କୁନି ପିଲାଙ୍କ ପାଇଁ ଉଦ୍ଦିଷ୍ଟ ଏହି ୭ ମିନିଟର ଆନିମେସନ୍ ଫିଲ୍ମର ଚର୍ଚ୍ଚା ସେହି ସମୟରେ ଘରେ ଘରେ ସମସ୍ତଙ୍କ ମୁହଁରେ ଥିଲା । ଏହାର କଥାକାର ଓ ନିର୍ଦ୍ଦେଶିକା ଥିଲେ ବିଜୟା ମୁଲେ । ଏହି ସର୍ଟ ଫିଲ୍ମ ମାଧ୍ୟମରେ ନିଜର ଅଲିଭା ଛାପ ଛାଡ଼ି ଯାଇଛନ୍ତି ବିଜୟା । ୯୮ ବର୍ଷ ବୟସରେ ଦିଲ୍ଲୀ ସ୍ଥିତ ବାସଭବନରେ ବିଜୟାଙ୍କର ମୃତ୍ୟୁ ଘଟିଛି ।

ଫିଲ୍ମ କାହାଣୀ ରଚନା କ୍ଷେତ୍ରରେ ତାଙ୍କୁ ନ୍ୟାସନ୍ୟାଲ୍ ଆୱାର୍ଡ଼ରେ ସମ୍ମାନିତ କରାଯାଇଥିଲା । ସେ କଥାକାର ଓ ନିର୍ଦ୍ଦେଶନା ବ୍ୟତୀତ ଅନେକ ଡକ୍ୟୁମେଣ୍ଟାରୀ ଫିଲର ନିର୍ମାତା ଭାବେ ମଧ୍ୟ ସୁପରିଚିତ । ସେ ପାଟନା ଫିଲ୍ମ ସୋସାଇଟିର ଫାଉଣ୍ଡର୍ ମେମ୍ବର ଭାବେ ନିଜର ପରିଚୟ ସୃଷ୍ଟି କରିବା ସହିତ ଦିଲ୍ଲୀ ଫିଲ୍ମ ସୋସାଇଟିରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିଲେ । ଶିକ୍ଷା କ୍ଷେତ୍ରରେ ଅନେକ ସ୍ୱାଗତଯୋଗ୍ୟ ପଦକ୍ଷେପ ଗ୍ରହଣ କରିଥିବା ବିଜୟା ମୁଲେ ଭାରତର ପୂର୍ବ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଖୁବ୍ ନିକଟତର ବାନ୍ଧବୀ ଥିଲେ । ବିଜୟାଙ୍କ ମୃତ୍ୟୁ ଖବର ସୋସିଆଲ୍ ମିଡିଆରେ ଆସିବା ପରେ ୮୦-୯୦ ଦଶକର ଦର୍ଶକ ମହଲରେ ଶୋକର ଛାୟା ଖେଳିଯାଇଛି ଏବଂ ବିଜୟାଙ୍କ ସେହି ଅପାସୋରା ‘ଏକ ଚିଡ଼ିୟାଁ…’ର କିଛି ଦୃଶ୍ୟ ପୁଣିଥରେ ଦର୍ଶକଙ୍କ ଆଖିଆଗରେ ନାଚି ଉଠିଛି ।

Leave a Reply

Your email address will not be published. Required fields are marked *