ମଙ୍ଗଳବାର ଖୋଲିବ କୋଣାର୍କ, ଶ୍ରୀମନ୍ଦିରକୁ କ୍ଷତି ପହଞ୍ଚାଇଛି ଫୋନି

ଭୁବନେଶ୍ଵର, (ଓଟି): ଫୋନିଦ୍ଵାରା କ୍ଷତିଗ୍ରସ୍ତ ହୋଇଥିବା ପ୍ରସିଦ୍ଧ ଐତିହ୍ୟ କୋଣାର୍କ ଓ ଶ୍ରୀମନ୍ଦିରର ମରାମତି ଓ ପନରୁଦ୍ଧାର ପାଇଁ ଅଣ୍ଟା ଭିଡ଼ିଛି ଏଏସ୍‌ଆଇ। ଏକ ସ୍ଵତନ୍ତ୍ର ବୈଷୟିକ ଦଳ ସହ ଶ୍ରୀମନ୍ଦିର ମରାମତି କାର୍ଯ୍ୟ ତୁରନ୍ତ ଆରମ୍ଭ ସହ କୋଣାର୍କକୁ ମଙ୍ଗଳବାରଠାରୁ ଦର୍ଶକଙ୍କ ନିମନ୍ତେ ଖୋଲିବାକୁ ମଧ୍ୟ ନିଷ୍ପତ୍ତି ନେଇଛି। ଶନିବାର ଏଏସ୍‌ଆଇର ଡିଜି ଉଷାଶର୍ମା ଉଭୟ ମନ୍ଦିର ପରିଦର୍ଶନ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ନିର୍ଦେଶ ଦେଇଥିବା କହିଛନ୍ତି।

ଫୋନି ଦ୍ଵାରା କୋଣାର୍କ ମନ୍ଦିରର କୌଣସି କ୍ଷତି ହୋଇନାହିଁ। ଯାହା ହୋଇଛି ତାହା କେମିକାଲ୍‌ ଟଅିଟ୍‌ମେଣ୍ଟ ଦ୍ଵାରା ଭରଣା କରିହେବ। ଏଣୁ ଦୁଇଦିନଭିତରେ ତାହା ଶେଷ କରିବାକୁ ନିର୍ଦେଶ ଦିଆଯାଇଛି। ଅପରପକ୍ଷେ ପୁରୀ ଶ୍ରୀମନ୍ଦିର ଢାଞ୍ଚାରେ କିଛଇ ଆଞ୍ଚ ଆସିଛି। ଏହା କେତେ ଗଭୀର ତାହାର ଆକଳନ କରିବା ପାଇଁ ଏଏସ୍‌ଆଇ ଏକ ସ୍ଵତନ୍ତ୍ର ଟିମ୍‌ ଗଠନ କରିଛି। ରଥଯାତ୍ରା ପୂର୍ବରୁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶ୍ରୀମତୀ ଶର୍ମା କହିଛନ୍ତି।

ପ୍ରଳୟଙ୍କରୀ ବାତ୍ୟା ଫୋନି’ ପରେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଓ କୋଣାର୍କସ୍ଥିତ ବିଶ୍ବପ୍ରସିଦ୍ଧ ସୂର୍ଯ୍ୟ ମନ୍ଦିର ପରିସରରେ ହୋଇଥିବା କ୍ଷୟକ୍ଷତିର ଅନୁଧ୍ୟାନ କରିଛନ୍ତି ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ଡିଜି ଊଷା ଶର୍ମା। ଶ୍ରୀମତୀ ଶର୍ମା ପୂର୍ବାହ୍ନରେ ସୂର୍ଯ୍ୟମନ୍ଦିର ସ୍ଥିତି ଅନୁଧ୍ୟାନ କରିବା ପରେ ଅପରାହ୍ନରେ ପୁରୀ ଯାଇ ଶ୍ରୀମନ୍ଦିରରେ ହୋଇଥିବା କ୍ଷୟକ୍ଷତିର ଯାଞ୍ଚ କରିଥିଲେ।

ଫୋନି’ ପରେ ପର୍ଯ୍ୟଟକଙ୍କ ପାଇଁ ସୂର୍ଯ୍ୟ ମନ୍ଦିରକୁ ବନ୍ଦ ରଖା ଯାଇଛି। ବାତ୍ୟା ମାଡ଼ରେ ମନ୍ଦିର ପରିସରରେ ଭାଙ୍ଗି ପଡ଼ିଥିବା ଗଛ ସଫା କରାଯିବା ସହିତ କ୍ଷତିଗ୍ରସ୍ତ ହୋଇଥିବା ଅନ୍ୟାନ୍ୟ ଭିତ୍ତିଭୂମି ସଜଡ଼ା କାର୍ଯ୍ୟ ଜାରି ରହିଛି। ତେବେ ଆଜି ପୂର୍ବାହ୍ନରେ ଏଏସ୍‌ଆଇ ଡିଜି ଶ୍ରୀମତୀ ଶର୍ମା ମନ୍ଦିରରେ ପହଞ୍ଚି ସ୍ଥିତି ଯାଞ୍ଚ କରିବା ସହ ମଙ୍ଗଳବାର ସୂର୍ଯ୍ୟମନ୍ଦିର ପର୍ଯ୍ୟଟକଙ୍କ ପାଇଁ ଖୋଲିବ ବୋଲି ସୂଚନା ଦେଇଛନ୍ତି। ମନ୍ଦିର ଚାରିପାଖରେ ଲାଗିଥିବା କଳଙ୍କି ଲଗା ଲୁହା ପାଇପ୍‌ଗୁଡ଼ିକୁ ତୁରନ୍ତ ହଟାଇବାକୁ ମଧ୍ୟ ସେ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି। ତେବେ ମନ୍ଦିର ପରିସରରେ କୁଢ଼କୁଢ଼ ଅଳିଆ ଓ ଭଙ୍ଗା ଗଛ ଏବେବି ପଡ଼ିଥିବାର ଦେଖି ସେ ବିରକ୍ତି ପ୍ରକାଶ କରିଥିଲେ। ୧୫ ଦିନ ଭିତରେ ମନ୍ଦିରର ଅବସ୍ଥା ବଦଳାଇବା ପାଇଁ ସେ ବିଭାଗୀୟ ଅଧିକାରୀମାନଙ୍କୁ ତାଗିଦ କରିଥିବା ଜଣାପଡ଼ିଛି। ଏପରିକି ପ୍ରତିଦିନ ଦୁଇ ଘଣ୍ଟା ଅନ୍ତରରେ ଭିଡିଓ କଲିଂ ଜରିଆରେ କାର୍ଯ୍ୟର ଅଗ୍ରଗତି ନେଇ ତାଙ୍କୁ ଅବଗତ କରିବାକୁ ସେ ନିର୍ଦେଶ ଦେଇଛନ୍ତି। ମନ୍ଦିର ପରିସର ସ୍ବାଭାବିକ କରିବାକୁ ଏଏସ୍‌ଆଇର ଦିଲ୍ଲୀରେ ଥିବା ଜଣେ ଅଧିକାରୀଙ୍କୁ ଆସନ୍ତାକାଲିଠାରୁ କୋଣାର୍କରେ କାର୍ଯ୍ୟରେ ଯୋଗଦେବାକୁ ଡିଜି ଶ୍ରୀମତୀ ଶର୍ମା ନିର୍ଦେଶ ଦେଇଛନ୍ତି। ସୂର୍ଯ୍ୟମନ୍ଦିରରେ ଆବଶ୍ୟକ କାର୍ଯ୍ୟ ସମେତ କୋଣାର୍କ ଯାତ୍ରୀ ନିବାସ ସାମ୍ନାରେ ବନ୍ଦ ପଡ଼ିଥିବା ପାର୍କ କାମ ଶୀଘ୍ର ଆରମ୍ଭ କରାଯିବ ବୋଲି ସେ କହିଛନ୍ତି।

ଅପରାହ୍ନରେ ଶ୍ରୀମତି ଶର୍ମା ପୁରୀ ଯାଇ ଫୋନି ପ୍ରଭାବରେ ହୋଇଥିବା ବ୍ୟାପକ କ୍ଷୟକ୍ଷତି ଅନୁଧ୍ୟାନ କରିଥିଲେ। ଶ୍ରୀମନ୍ଦିର ସମେତ ସି˚ହଦ୍ବାର, କୋଇଲି ବୈକୁଣ୍ଠ, କଳ୍ପବଟ ସମେତ ଅନେକ ସ୍ଥାନରେ କ୍ଷୟକ୍ଷତି ଘଟିଛି। ଶ୍ରୀମନ୍ଦିର ସମେତ ପାର୍ଶ୍ବ ଦେବାଦେବୀ ମନ୍ଦିର, କୋଇଲି ବୈକୁଣ୍ଠ ଆଦି ବୁଲି ଦେଖିବା ସହ କ୍ଷୟକ୍ଷତିର ଆକଳନ କରିଛନ୍ତି। ବିରଳ କଳାକୃତି ସବୁ ଅତି ନିକଟରୁ ପରଖିଥିଲେ।

ସୂର୍ଯ୍ୟମନ୍ଦିର ତୁଳନାରେ ଶ୍ରୀମନ୍ଦିର ବ୍ୟାପକ କ୍ଷୟକ୍ଷତି ହୋଇଥିବାରୁ ଏହାର ଆଳକନ କାର୍ଯ୍ୟ ପ୍ରତ୍ନତତ୍ତ୍ବ ବିଭାଗ ଆରମ୍ଭ କରିଛି। ବରିଷ୍ଠ ଅଧିକାରୀଙ୍କ ଏହି ଦଳ ପ୍ରଥମେ ଶ୍ରୀମନ୍ଦିର ସି˚ହଦ୍ବାରର ଭଗ୍ନ ଦେବାଦେବୀଙ୍କ ମୂର୍ତି ସବୁ ଅନୁଧୢାନ କରିଥିଲେ। ପରେ ଶ୍ରୀମନ୍ଦିର ପରିସରର କ୍ଷୟକ୍ଷତି ବୁଲି ଦେଖିଥିଲେ। ଶ୍ରୀମନ୍ଦିରରେ ପ୍ରତ୍ନତତ୍ତ୍ବ ବିଭାଗ ପକ୍ଷରୁ ଲାଗିଥିବା ଲୁହା ଭାରା ବାତ୍ୟା ପ୍ରଭାବରେ ଖସି ପଡ଼ିଥିବାବେଳେ ଏହାଦ୍ବାରା ଶ୍ରୀମନ୍ଦିରର କ’ଣ କ୍ଷୟକ୍ଷତି ହୋଇଛି ତାର ହିସାବ କରିଥିଲେ। ପରେ ପରେ ଶ୍ରୀମନ୍ଦିର ଭିତର ସ୍ଥିତି ଅନୁଧୢାନ କରିଥିଲେ।

Leave a Reply

Your email address will not be published. Required fields are marked *