ବିଜେପିର ଅଭିଯୋଗ: ରିଲିଫ୍‍ ବଣ୍ଟନରେ ହେଉଛି ହେରଫେର

ଭୁବନେଶ୍ୱର,(ଓଟି): ବାତ୍ୟା “ଫୋନି” କୁ ଦୀର୍ଘ୍ୟ ୭ ଦିନ ବିତି ଯାଇଥିଲେ ମଧ୍ୟ ପ୍ରଭାବିତଙ୍କୁ ରିଲିଫ୍‍ ମିଳୁ ନାହିଁ । କେବଳ ବିଭିନ୍ନ ଏଜେନ୍ସୀଠୁ ବାହାବା ନେବା ଛଡ଼ା ଅନ୍ୟ କିଛି ଚିନ୍ତା ସରକାର କରୁନାହାନ୍ତି ବୋଲି ଅଭିଯୋଗ କରିଛି ବିଜେପି । ଏହା ସରକାରୀ କଳର ସ୍ଥାଣୁତା ତଥା ଅପାରଗତା ବୋଲି ବର୍ଣ୍ଣନା କରାଯାଇଛଇ । ଯଦି ଠିକଣା ସମୟରେ ସରକାର ପ୍ରସ୍ତୁତ ହୋଇଥାଆନ୍ତେ ତେବେ ରିଲିଫ୍‍ କାର୍ଯ୍ୟ ବାଧା ପାଇନଥାଆନ୍ତା ବୋଲି ଅଭିଯୋଗ କରି ବିଜେପିର ଏକ ପ୍ରତିନିଧି ଦଳ ଆଜି ସ୍ୱତନ୍ତ୍ର ରିଲିଫ୍‍ କମିଶନରଙ୍କୁ ଭେଟିଛନ୍ତି ।

ଏହି ପ୍ରତିନିଧି ଦଳର ନେତୃତ୍ୱ ନେଉଥିବା ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି କହିଛନ୍ତି, ପ୍ରଳୟଙ୍କାରୀ ବାତ୍ୟାକୁ “ଫୋନି” ହେବାର ୭ ଦିନ ପରେ ମଧ୍ୟ ପ୍ରଶାସନର ଅପାରଗତା ଓ ସ୍ଥାଣୁତା ଯୋଗୁଁ ଲୋକଙ୍କୁ ପିଇବାକୁ ପାଣି ମିଳୁନାହିଁ, ବିଦ୍ୟୁତ ସଂଯୋଗ ନାହିଁ, ଖାଦ୍ୟ ନାହିଁ, ଏବଂ ରହିବାକୁ କୌଣସି ପଲିଥିନ ମିଳିନାହିଁ । କେନ୍ଦ୍ର ସରକାର ଅଗ୍ରିମ ୧୩୪୧ କୋଟି ଟଙ୍କା ଏବଂ ଅନ୍ୟାନ୍ୟ ସହାୟତା ଦେଇଛନ୍ତି । କେନ୍ଦ୍ର ସରକାର ଦେଇଥିବା ସାହାଯ୍ୟ ଏବଂ ସହାୟତାକୁ ନେବାରେ ରାଜ୍ୟ ସରକାର ଇଚ୍ଛା ପ୍ରକାଶ କରୁନାହାନ୍ତି । କିନ୍ତୁ କେନ୍ଦ୍ରସରକାର ରାଜ୍ୟ ସରକାରଙ୍କର ବିନା ସହଯୋଗରେ ବାତ୍ୟା ବିପନ୍ନକୁ ସହାୟତା ପ୍ରଦାନ କରିଚାଲିଛନ୍ତି । ଏପ୍ରକାର ପରିସ୍ଥିତିରେ ରାଜଧାନୀ ବାସୀ ନିଜ ଗାଁ ମାଟିକୁ ଏବଂ ନିଜର ଜନ୍ମ ସ୍ଥାନକୁ ଚାଲିଯାଇଛନ୍ତି । ରାଜ୍ୟ ସରକାରଙ୍କ ଅନିୟମିତତା ଓ ଆନ୍ତରକିତାର ଅଭାବ ଯୋଗୁଁ ରାଜଧାନୀରେ ୭ ଦିନ ମଧ୍ୟରେ କେବଳ ୨୫ ପ୍ରତିଶତ ଲୋକଙ୍କ ପାଖରେ ବିଦ୍ୟୁତ ପହଂଚି ପାରିଛି । ରାଜ୍ୟ ସରକାର କୌଣସି ସାମାଜିକ ସଙ୍ଗଠନ ଓ ରାଜନୈତିକ ଦଳଙ୍କ ସହ ସହଯୋଗ ଏବଂ ସହାୟତା ନେଉନାହାନ୍ତି । ଫଳରେ ବାତ୍ୟା ବିପନ୍ନମାନେ କଷ୍ଟ ଭୋଗୁଛନ୍ତି । ଯେଉଁମାନେ ଶାସକ ଦଳକୁ ଭୋଟ ଦେଇନାହାନ୍ତି, ବିରୋଧୀ ଦଳର କର୍ମକର୍ତା ହୋଇଥିବାରୁ ସେମାନଙ୍କୁ ରିଲିଫ୍ ମିଳୁନାହିଁ ।

ବାତ୍ୟା ପ୍ରଭାବିତ ଅଚଂଳରେ ବିଜେପି କର୍ମକର୍ତା ହୋଇଥିବା କାରଣରୁ ରିଲିଫ୍ ମିଳିବାରେ ବିଳମ୍ବ ହେଉଛି ଯାହା ଶାସକ ଦଳର ନେତାମାନଙ୍କ ନିୟନ୍ତ୍ରଣରେ କରାଯାଉଛି । ରାଜ୍ୟ ପ୍ରଶାସନ ତରଫରୁ ଏହି ପରିସ୍ଥିତି କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇ ନାହିଁ ବୋଲି ବିଜେପି ଅଭିଯୋଗ କରିଛି ।

ଏହି ପରିସ୍ଥିତିରେ ସମସ୍ତଙ୍କୁ ସମାନ ଦୃଷ୍ଠିରେ ଦେଖାଯାଉ ଏବଂ ପକ୍ଷପାତିତା ନକରି ସମସ୍ତ ବିପନ୍ନଙ୍କୁ ରିଲିଫ୍ ବଂଟନ କରାଯାଉ ବୋଲି ରିଲିଫ କମିଶନରଙ୍କ ପାଖରେ ପ୍ରତିନିଧି ଦଳ ଦାବି ଜଣାଇଛି ।

ରାଜ୍ୟ ସ୍ୱତନ୍ତ୍ର ରିଲିଫ୍ କମିଶନଙ୍କୁ ଭେଟିଥିବା ଏହି ପ୍ରତିନିଧୀ ଦଳରେ ରାଜ୍ୟ ପ୍ରବକ୍ତା ଉମାକାନ୍ତ ପଟ୍ଟନାୟକ, ଯୁବମୋର୍ଚ୍ଚାର ସଭାପତି ଟଙ୍କଧର ତ୍ରିପାଠୀ, ରାଜ୍ୟ କାର୍ଯ୍ୟକାରଣୀ ସଦସ୍ୟ ସୁବାସ ଗୋଚ୍ଛାୟତ, ବରି ବିଧାନସଭାର ବିଜେପି ବିଧାୟକ ପ୍ରାର୍ଥୀ ବିଶ୍ୱରଂଜନ ମଲ୍ଲିକ ଏବଂ ନିର୍ବାଚନ ପ୍ରକୋଷ୍ଠର ଆବାହକ ରବିଶଙ୍କର ପଟ୍ଟନାୟକ ପ୍ରମୁଖ ସାମିଲ୍‍ ଥିଲେ

Leave a Reply

Your email address will not be published. Required fields are marked *